ପୁରୀ : ଚୈତ୍ର ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି । ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ହେବ। ତେଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୫ରୁ ରାତି ୧୦ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ନୀତି ସମ୍ପାଦନ ବେଳେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିଥାଏ। ବନକଲାଗି ନୀତିରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇଥାଏ। ପରମ୍ପରା ଅନୁଯାୟୀ ଦ୍ବିପ୍ରହର ଧୂପ ଶେଷ ହେବା ପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି ସମ୍ପନ୍ନ କରାଯାଏ। ଦତ୍ତମହାପାତ୍ର ସେବକମାନେ ରତ୍ନ ସିଂହାସନ ଉପରକୁ ଯାଇ ଠାକୁରମାନଙ୍କ ଶ୍ରୀମୁଖସିଂହାର କରିଥାନ୍ତି। ଏହି ନୀତି ସମାପନ ହେବା ପର୍ଯ୍ୟନ୍ତ ପ୍ରାୟ ୫ଘଣ୍ଟା ଶ୍ରୀମନ୍ଦିରର ସମସ୍ତ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରହିଥାଏ। ତିନି ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ଶ୍ରୀମନ୍ଦିର ଭାଷାରେ ବନକଲାଗି କୁହାଯାଏ। ଆଜି ମହାପ୍ରଭୁଙ୍କ ବନକ ଲାଗି ଏବଂ ୨୦ରେ ଗୁରୁତ୍ବପୂର୍ଣ୍ଣ ନୀତି ଯୋଗୁଁ ରତ୍ନଭଣ୍ଡାର ମରାମତି ଏବଂ ସଂରକ୍ଷଣ କାର୍ଯ୍ୟ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
Popular Categories



