www.samajalive.in
Saturday, December 6, 2025
17.1 C
Bhubaneswar

ଓଡିଶାର ନଦନଦୀ ସୁରକ୍ଷା

ଭୁବନେଶ୍ଵର: କଥାରେ ଅଛି ‘ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ।’ ଏହାକୁ ଦୃଷ୍ଟିରେ ରଖି ଯେ କୌଣସି ସରକାର ବେଳ ଥାଉଁଥାଉଁ ବନ୍ଧ ବାନ୍ଧିବା ଆବଶ୍ୟକ ଥିଲା। ବୈଜ୍ଞାନିକମାନେ ବହୁ ଆଗରୁ ସଚେତନ କରାଇ ଆସୁଛନ୍ତି ଯେ ଉପକୂଳବର୍ତ୍ତୀ ଅଞ୍ଚଳରେ ପାନୀୟ ଜଳର ଉତ୍କଟ ଅଭାବ ଦେଖାଦେବ। ସେଥିପାଇଁ ୨୦୦୨ ମସିହାରୁ ପୂର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ନଦୀ ସଂଯୋଗୀକରଣ ଏବଂ ସମୁଦ୍ରକୁ ବହି ଯାଉଥିବା ଜଳର ସଂରକ୍ଷଣ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ପୁଣି ଡ. ମନମୋହନ ସିଂହ ଯେତେବେଳେ ପ୍ରଧାନ ମନ୍ତ୍ରୀ ହେଲେ ସେତେବେଳେ ସେ ତାଙ୍କ ଘରକୁ ଯାଇ ନଦୀ ସଂଯୋଗୀକରଣର ସଫଳ ରୂପାୟଣ ପାଇଁ ଦୃଷ୍ଟି ଦେବାକୁ ନିବେଦନ କରିଥିଲେ। ଇତି ମଧ୍ୟରେ ୨୫ ବର୍ଷ ଅତିକ୍ରମ କରିଗଲାଣି। ଏହାରି ମଧ୍ୟରେ ଓଡ଼ିଶାର ନଦନଦୀଗୁଡିକ ପ୍ରତି ସରକାର ଦୃଷ୍ଟି ଦେଲେ ନାହିଁ। କିଛି ଅଞ୍ଚଳରେ ନାଳ ଖନନ କରାଯାଇ ବିପୁଳ ପରିମାଣର କେନ୍ଦ୍ରୀୟ ଅର୍ଥ ବ୍ୟୟ କରାଗଲା; କିନ୍ତୁ ତାହା ବୈଜ୍ଞାନିକ ଉପାୟରେ କରା ନଯାଇ କେବଳ ଅର୍ଥ ଶ୍ରାଦ୍ଧ କରାଯିବା ଦେଖାଗଲା। ଫଳରେ ଏବେ ସାରା ଓଡ଼ିଶାରେ ନଦୀଗୁଡିକ ଶୁଖିଲା, ପାନୀୟ ଜଳର ଅଭାବ, ଭୂତଳ ଜଳସ୍ତର ହ୍ରାସ। ଚଳିତ ବର୍ଷ ଏହା ଭୟଙ୍କର ରୂପ ନେବ ବୋଲି ସରକାର ଆକଳନ କରି ରାଜ୍ୟ ଓ ଜିଲା ସ୍ତରରେ ୨୪ ଘଣ୍ଟିଆ କଂଟ୍ରୋଲ ରୁମ ଖୋଲିବାକୁ ନି‌େ​‌ର୍ଦଶ ଦେଲେଣି।
ଓଡ଼ିଶାରେ ନଦନଦୀଗୁଡିକର ଅବସ୍ଥା ପ୍ରତି ଦୃଷ୍ଟି ଦେଲେ ଦେଖାଯାଏ ଯେ ସବୁଠାରୁ ବଡ ନଦୀ ମହାନଦୀର ଗର୍ଭ ଶୁଖିଲା। ସମ୍ବଲପୁରରେ ମହାନଦୀ ଆଉ ନଦୀ ହୋଇ ରହିନାହିଁ। ଏହା ଏକ ନାଳରେ ପରିଣତ ହୋଇ ଯାଇଛି। ଓଡ଼ିଶାରେ ୪୯୪ କିଲୋମିଟର ପରିବ୍ୟାପ୍ତ ହୋଇଛି ମହାନଦୀ। ଏହି ନଦୀଟିରେ ଜଳ ପ୍ରବାହ େ‌‌ଯତେ କମୁଛି ନିଜକୁ ସଫା କରିବାରେ କ୍ଷମତା ମଧ୍ୟ ହରାଇ ଚାଲିଛି। ନଦୀ ଜଳରେ କଳକାରଖାନାରୁ ଆସୁଥିବା ଦୂଷିତ ବର୍ଜ୍ୟବସ୍ତୁର ବିଷ ମିଶୁଥିଲେ ହେଁ ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ୍‌ କେଉଁଠି ହେଲେ କାର୍ଯ୍ୟକାରୀ ହୋଇ ନାହିଁ। ପ୍ରତ୍ୟେକ ନଦୀର ନିଜସ୍ୱ ଜଳ ବିଶୋଧନ ପ୍ରକ୍ରିୟା ଶକ୍ତି ଥିଲେ ହେଁ ତାହା ପ୍ରବହମାନ ହୋଇ ନ ପାରିଲେ ବିଶୋଧନ କ୍ଷମତା ଆପେ ଆପେ ହରାଇଥାଏ। ଏହି ଭଳି କିଛି ଦିନ ହେଲା ମହାନଦୀରେ ତା’ର ଶାଖା ପ୍ରଶାଖାରେ ଜଳ ପ୍ରବାହ ନଥିବାରୁ ଅଧିକାଂଶ ନଦୀର ଜଳ ପ୍ରଦୂଷିତ ​‌େହବାରେ ଲାଗିଛି। ଓଡ଼ିଶାରେ ପ୍ରବାହିତ ଅଧିକାଂଶ ନଦନଦୀ ଏବେ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ସେଥିପାଇଁ ନଦୀ ବଞ୍ଚାଅ ଆନ୍ଦୋଳନ ଜୋର ମୁଣ୍ଡ ଟେକି ଉଠିଛି। ଦୀର୍ଘ ଦିନରୁ ମହାନଦୀ ବଞ୍ଚାଅ, ଆନ୍ଦୋଳନ, ନିର୍ମଳ ଦୟା ନଦୀ, ଓଡ଼ିଶା ନଦୀ ସୁରକ୍ଷା ସମିତି, ଚିଲିକା ବଞ୍ଚାଅ, , ବ୍ରାହ୍ମଣୀ ନଦୀ ପୁନରୁଦ୍ଧାର, ଖରସ୍ରୋତା ନଦୀ ବଞ୍ଚାଅ, ବୈତରଣୀ ନଦୀର ପୁନରୁଦ୍ଧାର ଆନ୍ଦୋଳନ ହୋଇ ଆସୁଥିଲେ ହେଁ ତାହାକୁ ପ୍ରଶାସନ କିମ୍ବା ସରକାର ଦୃଷ୍ଟିକୁ ନେଲେ ନାହିଁ। ଏବେ ନେଡି ଗୁଡ କହୁଣିକୁ ବହିଗଲା ପରେ ଚଳିତ ବର୍ଷ ଓଡ଼ିଶାର ନୂତନ ସରକାର ଆଖି ଖୋଲିଛନ୍ତି।
ଭାରତ ସ୍ୱାଧୀନତା ପାଇବା ଦିନରୁ ଏ ଯାବତ୍‌ କୌଣସି ସରକାର ନଦୀ ବଞ୍ଚାଇବା ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଲେ ନାହିଁ। ପଶ୍ଚିମ ଓଡ଼ିଶାର ପରିସ୍ଥିତି ମଧ୍ୟ ଅସମ୍ଭାଳ ହେଲାଣି। ନବରଙ୍ଗପୁରଠାରେ ଜାନୁଆରୀରୁ ଶୁଖିଗଲାଣି ଚିରସ୍ରୋତା ଭାସ୍କେଲ। ନଦୀରେ ଟୋପାଏ ପାଣି ନାହିଁ। ପୂର୍ବ ଭଳି ଝରଣାର ପାଣି ନଦୀକୁ ଆସୁନି। ଜଙ୍ଗଲ କ୍ଷୟ ଯୋଗୁଁ ଜଳ ଉତ୍ସଗୁଡିକର ଚିହ୍ନ ବର୍ଣ୍ଣ ନାହିଁ। ଏଠାରେ ବହୁ ଦିନ ଧରି ଜଙ୍ଗଲ କ୍ଷୟ ସହ ପାହାଡ ପର୍ବତଗୁଡିକର ରକ୍ଷଣାବେକ୍ଷଣ ହେଉ ନାହିଁ। ପଶ୍ଚିମ ଓଡ଼ିଶାରେ ଥିବା ୪୬ ପ୍ରତିଶତ ଜଙ୍ଗଲ ଏବେ ମାତ୍ର ୧୬ ପ୍ରତିଶତରେ ରହିଛି। ଏଥିପ୍ରତି ସରକାରଙ୍କର ଚିନ୍ତା କରିବାର ଥିଲା। ଇନ୍ଦ୍ରାବତୀ ପରେ ନବରଙ୍ଗପୁରବାସୀଙ୍କ ଅନ୍ୟତମ ଜୀବନ ପ୍ରବାହ ହେଉଛି ଭାସ୍କେଲ। ଭାସ୍କେଲ ନଦୀ ଜିଲାରେ ୭୦ କିଲୋମିଟର ଯାଏ ପ୍ରବାହିତ। ଏହା ଇନ୍ଦ୍ରାବତୀରେ ମିଶି ଛତିଶଗଡ଼଼କୁ ପ୍ରବାହିତ। ଓଡ଼ିଶାରେ ଯେତେ ନଦନଦୀ ଅଛି ସେଥିରୁ ସେହି ନଦୀରୁ ପାଣିକୁ ଉପଯୋଗ କରି ଚାଷୀମାନେ ସୁନାର ଫସଲ ଫଳାଉଥିଲେ। ନଦୀଗୁଡିକର ଶାଖା ସବୁବେଳେ ଶୁଖିଲା ପଡୁଥିବା ବେଳେ ଉପନଦୀଗୁଡିକର ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନାହିଁ। ବରଗଡ଼଼ରେ ଥିବା ଜୀରା ନଦୀ ଏବେ ପ୍ରଦୂଷିତ ହୋଇ ପଡ଼ିଥିବା ବେଳେ ଏହି ନଦୀଟି ତାର ସତ୍ତା ହରାଇବାକୁ ଯାଉଛି। ନଦୀର ଜମିକୁ ଲୋକେ ମାଡିବସିଥିବା ବେଳେ ସରକାର ମଧ୍ୟ ଜମି ଦଖଲକରି ନିର୍ମାଣ କାର୍ଯ୍ୟ କରୁଛି। ପ୍ରଦୂଷଣ ଓ ଜବରଦଖଲରୁ ନଦୀକୁ ରକ୍ଷା କରିବା ପାଇଁ ମହାନଦୀ ବଞ୍ଚାଅ ଆନ୍ଦୋଳନର କର୍ମକର୍ତ୍ତା ଆଗକୁ ଆସିଛନ୍ତି। ସେଠାରେ ଏବେ ଜୀରା ବଞ୍ଚାଅ ଆନ୍ଦୋଳନ ଆରମ୍ଭ ହୋଇଛି। ମହାନଦୀ ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳରେ ଏବେ ଉତ୍କଟ ଜଳାଭାବ। ଲୁଣା ନଦୀରେ ସାମାନ୍ୟ ଜଳ ପ୍ରବାହିତ ହେଉଥିବା ବେଳେ ଚିତ୍ରୋତ୍ପଳା ଏବେ ଶୁଖିଲା। ଫଳରେ ଏହି ଦ୍ୱୀପାଞ୍ଚଳର ଅଧିବାସୀ ସାମାନ୍ୟ ଟିକେ ପାଣି ପାଇବା କଷ୍ଟକର ହୋଇ ପଡ଼ିଛି। ଏଠାରେ ବ୍ୟାରେଜ ନିର୍ମାଣ ପାଇଁ ଆନ୍ଦୋଳନ ଆରମ୍ଭ ହୋଇଛି। ଦେଖିବାକୁ ଗଲେ ସାରା ଓଡ଼ିଶାରୁ ନଦୀ ବଞ୍ଚାଅ ଆନ୍ଦୋଳନ ଏବେ ଜୋରସୋର ମୁଣ୍ଡ ଟେକିଉଠିଛି। ସବୁ ଜିଲାରେ ଏକା କଥା। ଜଳ ପାଇଁ ହାହାକାର। ଦକ୍ଷିଣ ଓଡ଼ିଶା ମଧ୍ୟ ଏଥିରୁ ବାଦ ପଡ଼ିନାହିଁ। କେଉଁଝର, ଯାଜପୁର, ଭଦ୍ରକ ଜିଲାର ପ୍ରମୁଖ ନଦୀ ମଧ୍ୟରେ ବୈତରଣୀ ଅନ୍ୟତମ। ଧୀରେ ଧୀରେ ନଦୀର ଧାର ଶୁଖି ଯିବାକୁ ବସଛି। ଦକ୍ଷିଣ ଓଡ଼ିଶାରେ ଥିବା ପ୍ରମୁଖ ନଦୀ ବ୍ରାହ୍ମଣୀ, ବୈତରଣୀ, ବୁଢା, ଖରସ୍ରୋତା ନଦୀ ଏବେ ଶୁଖିଲା ପଡ଼ିଛି। ଏହି ସବୁ ନଦୀର ଉପଯୁକ୍ତ ଜଳ ପରିଚାଳନା ନହେବାରୁ ନଦୀର ପ୍ରବାହିତ ଜଳ ସବୁଦିନେ ସମୁଦ୍ରକୁ ଚାଲିଯାଇଥାଏ। ନଦୀ ଜଳକୁ କିଛି ଶିଳ୍ପାନୁଷ୍ଠାନ ଶୋଷି ନେଉଥିବା ବେଳେ ଶାଖା ଓ ଉପଶାଖା ନଦୀ ନାଳ କେଉଁ ଦିନରୁ ତା’ର ସତ୍ତା ହରାଇଛି। ବୈତରଣୀ ନଦୀଟିର ମୋଟ ଦୈର୍ଘ୍ୟ ୩୬୫ କିମି ହୋଇଥିବା ବେଳେ କେବଳ କେନ୍ଦୁଝର ଜିଲାରେ ଏହାର ଦୈର୍ଘ୍ୟ ୨୨୦ କିମି। ଯାଜପୁର ଜିଲାରେ ଏହା ୧୪୫ କିମି ଅତିକ୍ରମ କରି ପ୍ରବାହିତ ହୋଇଛି। ଭଦ୍ରକର ୩୦, ୪୦ କି.ମି ଅତିକ୍ରମ କରି ସମୁଦ୍ରରେ ମିଶିଛି। ଏବେ ଖଣି କଂପାନୀ ପାଇଁ ବୈତରଣୀ ଓ ବ୍ରାହ୍ମଣୀ ବିପଦଗ୍ରସ୍ତ ହୋଇ ପଡ଼ିଛି। ଅଧିକାଂଶ ନଦୀର ଜଳ ଏବେ ବ୍ୟବହାର ଉପଯୋଗୀ ହୋଇ ରହି ନାହିଁ। ପାଣିର ପ୍ରଦୂଷଣ ମାତ୍ରା ଅତ୍ୟନ୍ତ ଗମ୍ଭୀର ସ୍ଥିତିରେ ରହିଛି।
ପରୋକ୍ଷରେ ଦେଖିବାକୁ ଗଲେ ନଦୀ ଉପରେ ନିର୍ଭର କରୁଥିବା ଓଡ଼ିଶାର ଜନଜୀବନ, ଅର୍ଥନୀତି, ଗମନାଗମନ, ତୀର୍ଥକ୍ଷେତ୍ରଗୁଡିକ ବିପନ୍ନ ହେବାକୁ ବସିଲାଣି; କିନ୍ତୁ କାହାରି ଚେତନା ଫେରୁ ନାହିଁ। ଚାଷ, ମତ୍ସ୍ୟ ସମ୍ପଦ, ତୈଳବୀଜ ଫସଲ, ବର୍ଷରେ ଋତୁ ଅନୁଯାୟୀ ଉତ୍ପାଦିତ ଫସଲ ଲୋପ ପାଇବାକୁ ବସିଲାଣି। ଲୋକଙ୍କ ମୁଣ୍ଡପିଛା ଆୟ ବୃଦ୍ଧି ପାଉଥିଲେ ହେଁ ଓଡ଼ିଶାବାସୀ ଆତ୍ମନିର୍ଭରତାଠାରୁ ଦୂରେଇ ଯାଇଛନ୍ତି। ପାଖ ପଡୋଶୀ ରାଜ୍ୟ, ଆନ୍ଧ୍ର, ତାମିଲନାଡୁ, ଉତ୍ତର ପ୍ରଦେଶର ଲୋକେ ବିଭିନ୍ନ କୃଷିକୁ ନେଇ ବେଶ୍‌ ଆତ୍ମନିର୍ଭରଶୀଳ ହୋଇ ପାରିଥିବାବେଳେ ଆମ ଓଡିଶା କାହିଁକି ଆତ୍ମ ନିର୍ଭର ହୋଇ ପାରୁ ନାହିଁ, ତାହା ବିଚାର କରିବା କଥା। ସରକାର ଆସୁଛନ୍ତି ଯାଉଛନ୍ତି; କିନ୍ତୁ ଆତ୍ମ ନିର୍ଭର ଓଡ଼ିଶା ପାଇଁ ଅଙ୍ଗୀକାରବଦ୍ଧ ହୋଇ ପାରୁ ନାହାନ୍ତି। ଓଡ଼ିଶାରେ ଥିବା ନଦନଦୀଗୁଡ଼ିକରେ ଜଳ ପରିଚାଳନା ବ୍ୟବସ୍ଥା ହୋଇ ପାରୁନାହିଁ। ପ୍ରତି ନଦୀରେ ଚେକଡ୍ୟାମ, ବ୍ୟାରେଜ ନିର୍ମାଣର ଆବଶ୍ୟକତାକୁ କେହି ଦୃଷ୍ଟିକୁ ନେଉ ନାହାନ୍ତି। ଏବେ କିଛି ବର୍ଷ ହେଲା ଯେପରି ପାଣିପାଗର ପରିବର୍ତ୍ତନ ଘଟିଛି ସେଥିପ୍ରତି ଦୃଷ୍ଟି ଦେଇ ବର୍ଷାଦିନେ ବର୍ଷା ଜଳକୁ ଧରି ରଖିବା ଏବଂ ସମୁଦ୍ରକୁ ଟୋପାଏ ପାଣି ନ ଛାଡିବା ପାଇଁ ଧ୍ୟାନ ଦିଆଯିବା ଦରକାର। ଝରଣା ପାଣିର ଉତ୍ସକୁ ମୁକ୍ତ ରଖିବା ସହିତ ଏହାର ସଂରକ୍ଷଣ ପାଇଁ ବ୍ୟବସ୍ଥା କରିବା ତଥା ନଦୀର ଜଳକୁ କେବଳ କୃଷି ପାଇଁ ବିନିଯୋଗ କରାଯିବା ଉଚିତ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories