www.samajalive.in
Saturday, December 6, 2025
23.1 C
Bhubaneswar

ଖୋଲୁଛି ବିଜେଡି ନେତା ରାଜା ଚକ୍ରଙ୍କ ଠକେଇ ଗୁମର; ବାସଭବନ ସମେତ ୧୦ ସ୍ଥାନରେ ଇଓଡବ୍ଲ୍ୟୁ ଚଢ଼ଉ

ଭୁବନେଶ୍ବର/କେନ୍ଦୁଝରଗଡ଼ : ଜାଲ୍‌ ଦସ୍ତାବିଜ ବଳରେ ପ୍ରାୟ ୫୦ କୋଟି ଟଙ୍କା ଆତ୍ମସାତ ମାମଲା ଭିନ୍ନ ମୋଡ଼ ନେଇଛି। ଖଣିଜ ପରିବହନ ନାଁରେ ଶହ ଶହ କୋଟି ଠକେଇ ହୋଇଥିବା ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଛି। କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ହାତରେ ପ୍ରମାଣ ଲାଗିବା ପରେ ମଙ୍ଗଳବାର ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜାଙ୍କ ବାସଭବନ ସମେତ ୧୦ଟି ଠିକଣାରେ ଏକସଙ୍ଗେ ଚଢ଼ଉ କରିଛି। କେନ୍ଦୁଝର ସମେତ ସୁନ୍ଦରଗଡ଼଼, ସମ୍ବଲପୁର, ଗଞ୍ଜାମ ଓ ବ୍ରହ୍ମପୁରର ବିଭିନ୍ନ ଖଣି କାରବାର ସମ୍ପର୍କିିତ କାର୍ଯ୍ୟାଳୟରେ ତଦନ୍ତକାରୀ ସଂସ୍ଥା ଚଢ଼ଉ କରିଥିଲା। କେନ୍ଦୁଝରରେ ତାଙ୍କ ପରିବାର ଲୋକଙ୍କୁ ତଦନ୍ତକାରୀ ଦଳ ପଚରାଉଚରା କରିଛି। ସେଠାରୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ପରିବହନରେ ବ୍ୟବହୃତ ୧୭ଟି ବଡ଼ ଗାଡ଼ି, ଦାମୀ କାର୍‌ ଜବତ କରିଛି। ରାଜାଙ୍କ କୋଟି କୋଟି ଟଙ୍କା ଆତ୍ମସାତର ଗୁମର ଖୋଲିବା ଲାଗି ତଦନ୍ତକାରୀ ସଂସ୍ଥା ଅଣ୍ଟା ଭିଡ଼ିଛି। ରାଜାଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବା ପରେ କେତେକ ରାଜନେତାଙ୍କ ମଧ୍ୟରେ ଛନକା ପଶିଛି। ଗନ୍ଧମାର୍ଦନ ଲୋଡିଂ ଏଜେନ୍ସିର ସଦସ୍ୟ ନଥାଇ ରାଜାଙ୍କ ଆକାଉଣ୍ଟକୁ ଶତାଧିକ ଥର ଲକ୍ଷ ଲକ୍ଷ ଟଙ୍କା ଯାଇଥିବା ତଦନ୍ତରୁ ଇଓଡବ୍ଲ୍ୟୁ ହାତରେ ପ୍ରମାଣ ଲାଗିଛି। ତାଙ୍କ ଆକାଉଣ୍ଟରୁ ଏକାଧିକ ରାଜନେତାଙ୍କ ପାଖକୁ କୋଟି କୋଟି ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଥିବା ଜଣାପଡ଼ିଛି। ରାଜାଙ୍କଠାରୁ କୋଟି କୋଟି ଟଙ୍କା କିଏ ଆଉ କେଉଁ କାରଣ ପାଇଁ ନେଇଥିଲେ, ସେନେଇ ଇଓଡବ୍ଲ୍ୟୁ ଖୋଳତାଡ଼ କରୁଛି। ଦୁର୍ନୀତି କରିଥିବା ଏହି ସଂସ୍ଥା କେମିତି ଓଏମ୍‌ସିକୁ ଜାଲ୍‌ କାଗଜପତ୍ର ଦେଇ କାମ ହାତେଇ ଥିଲା ସେନେଇ ମଧ୍ୟ ତଦନ୍ତକାରୀ ସଂସ୍ଥା ଛାନଭିନ୍ ଚଳାଇଛି। ଏହାକୁ ନେଇ ଓଏମ୍‌ସିକୁ ତଦନ୍ତକାରୀ ସଂସ୍ଥା ତଥ୍ୟ ମାଗିଛି। ଜାଲ୍‌ କାଗଜପତ୍ରକୁ ସିଏମ୍‌ସି କିପରି ଯାଞ୍ଚ ନକରି ସଂସ୍ଥାକୁ କାମ ଦେଇଥିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମାମଲାରେ ସ୍ବତନ୍ତ୍ର କାର୍ଯ୍ୟବଳ , ପ୍ରବର୍ତ୍ତନ ନିର୍ଦେଶାଳୟ ଓ ଆୟକର ବିଭାଗ ମଧ୍ୟ ସାମିଲ ହୋଇଛନ୍ତି। ଏସ୍‌ଟିଏଫ୍‌ ମାମଲାର ତଦନ୍ତ ପାଇଁ ୧୦ଟି ସ୍ବତନ୍ତ୍ର ଦଳ ଗଠନ କରିଛି। ଗତ ସୋମବାର ରାଜାଙ୍କୁ ଇଓଡବ୍ଲ୍ୟୁ ମାରାଥନ୍‌ ଜେରା କରିଥିଲା। ଭୁବନେଶ୍ବରସ୍ଥିତ ଇଓଡବ୍ଲ୍ୟୁ କାର୍ଯ୍ୟାଳୟରେ ତାଙ୍କୁ ଦିନ ୧୧ଟାରୁ ରାତି ୯ଟା ପର୍ଯ୍ୟନ୍ତ ତଦନ୍ତକାରୀ ଅଧିକାରୀ ଗୁଡ଼େଇତୁଡ଼େଇ ପ୍ରଶ୍ନ କରିଥିଲେ। ପୂର୍ବରୁ ମାମଲାରେ ସମବାୟ ସମିତିର ପୂର୍ବତନ ସଭାପତି ଓ ସମ୍ପାଦକ ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉତ୍କଳ ଦାସଙ୍କୁ ଇଓଡବ୍ଲ୍ୟୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ତଦନ୍ତକାରୀ ସଂସ୍ଥା ଜାଲ୍‌ ଦସ୍ତାବିଜ୍‌ ଜବତ କରିଥିଲା। ରାଜା ଏହି ମାମଲାରେ ଉଚ୍ଚ ନ୍ୟାୟାଳୟରୁ ଆଗୁଆ ଜାମିନ ପାଇଛନ୍ତି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଅାଗୁଆ ଜାମିନ ମିଳିଥିବା ବେଳେ ମାର୍ଚ୍ଚ ୧୨ ତାରିଖ ପରେ ଯେକୌଣସି ମୁହୂର୍ତ୍ତରେ ତାଙ୍କୁ ଗିରଫ କରାଯିବା ନେଇ କେନ୍ଦୁଝର ସହରର ରାଜନୈତିକ ମହଲରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଇଓଡବ୍ଲ୍ୟୁ ସୂତ୍ରରୁ ପ୍ରକାଶ, କେନ୍ଦୁଝର ଶୁଆକାଟିରେ ଥିବା ‘ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି’ ଏବଂ ପରିବହନ ସମବାୟ ସମିତି ଲି. ୨୦୦୬ରେ ପଞ୍ଜିକୃତ ହୋଇଥିଲା। ସୋସାଇଟି ଦ୍ୱାରା ପ୍ରାପ୍ତ ଲାଭରୁ ଖଣି ପ୍ରଭାବିତ ଅଞ୍ଚଳର ବାସିନ୍ଦାଙ୍କ ଆର୍ଥିକ ଉନ୍ନତି ମୂଳକ କାର୍ଯ୍ୟ ସହିତ କେନ୍ଦୁଝର ଖଣିରୁ ଲୁହାପଥର ଲୋଡିଂରେ ନିୟୋଜିତ ଥିଲା। ୨୦୧୭-୧୮ରୁ ୨୦୨୩-୨୪ରେ ସୋସାଇଟି କାର୍ଯ୍ୟରେ କିଛି ପ୍ରଭାବଶାଳୀ ବ୍ୟକ୍ତି ପ୍ରବେଶ କରିଥିଲେ। ଏହି ପ୍ରଭାବଶାଳୀ ବ୍ୟକ୍ତି ଅପରାଧିକ ଷଡ଼ଯନ୍ତ୍ର କରି ଶ୍ରମଦେୟ, ପରିଧି ବିକାଶ, ଭିତ୍ତିଭୂମି ଖର୍ଚ୍ଚ, ପ୍ରଭାବିତ ସଦସ୍ୟଙ୍କୁ ଦେୟ, ଇପିଏଫ୍‌ କାଟ୍ ବାବଦରେ ମିଥ୍ୟା ଦସ୍ତାବିଜ୍‌ ପ୍ରସ୍ତୁତ କରି କୋଟି କୋଟି ଟଙ୍କା ଆତ୍ମସାତ କରିଥିଲେ। ସମବାୟ ସଂସ୍ଥା ଲୁହାପଥର ଲୋଡିଂ ପାଇଁ ଏଜେନ୍ସି ଗୁଡ଼ିକଠାରୁ ଟନ୍ ପିଛା ୬୦ ଟଙ୍କା ନେଉଥିଲା। ଯାହା ଅନ୍ୟ କୌଣସି ଲୋଡିଂ ଏଜେନ୍ସି ତୁଳନାରେ ଅଧିକ। ଏହି ଉପାୟରେ ସଂସ୍ଥା ବର୍ଷ ବର୍ଷ ଧରି ଲାଭବାନ ହେଉଥିଲା। ପ୍ରତିବର୍ଷ ଲୋଡିଂ ଚାର୍ଜ ମଧ୍ୟ ବୃଦ୍ଧି କରି ଚାଲିଥିଲା। ଏହା ବ୍ୟତୀତ ସଂସ୍ଥା ଟେଣ୍ଡର, କାର୍ଯ୍ୟାଦେଶ, ୟୁସି, ଭାଉଚର ଇତ୍ୟାଦି ବିଭିନ୍ନ ବ୍ୟକ୍ତିଙ୍କ ନାମରେ ଖର୍ଚ୍ଚ ଦେଖାଉଥିଲା। ଏହା ଡେ ବୁକ୍, ଲେଜର, ହାଜିରା ବହିରେ ନଲେଖି ଟଙ୍କା ଉଠାଯାଉଥିଲା। ୨୦୧୨ରୁ ସମବାୟ ସମିତିର କୌଣସି ଅଡ଼ିଟ୍ ହୋଇନଥିଲା। ଅଭିଯୋଗ ପରେ ୨୦୨୨ରେ ସଂସ୍ଥାର ଅଡ଼ିଟ ହେବାରୁ ଅର୍ଥ ଆତ୍ମସାତ୍‌ ଘଟଣା ପଦାକୁ ଆସିଥିଲା। ଏନେଇ ବିଶ୍ୱନାଥ ରାଉଳଙ୍କ ଲିଖିତ ଅଭିଯୋଗ ଆଧାରରେ ଇଓଡବ୍ଲ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତମାନେ ଯୋଜନାବଦ୍ଧ ଭାବେ ଜାଲ୍ ଦସ୍ତାବିଜ୍‌ ଦର୍ଶାଇ କୋଟି କୋଟି ଟଙ୍କା ଆତ୍ମସାତ କରିଥିବା ଇଓଡବ୍ଲ୍ୟୁ ଜାଣିବାକୁ ପାଇଥିଲା, ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏବେସୁଦ୍ଧା ୩୫ କୋଟି ଟଙ୍କା ଆତ୍ମସାତ ହୋଇଥିବା ତଥ୍ୟ ତଦନ୍ତକାରୀ ସଂସ୍ଥା ହାତରେ ଲାଗିଛି। ଏହି ଦୁର୍ନୀତିର ଚେର କେଉଁ ଯାଏ ଲମ୍ବିଛି ତାକୁ ଖୋଜୁଛି ତଦନ୍ତକାରୀ ଦଳ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories