ଭୁବନେଶ୍ଵର: ଆସନ୍ତାକାଲି ମହାଶିବରାତ୍ରି। ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର। ଏକାମ୍ରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ଉପଲକ୍ଷେ କମିଶନରେଟ୍ ପୁଲିସ୍ ପକ୍ଷରୁ ଟ୍ରାଫିକ୍ କଟକଣା ଓ ଯାନ ବାହାନ ରହଣୀ ପାଇଁ ସ୍ଵତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ରଥରୋଡ୍ ଏବଂ ପୁନାମା ଗେଟ୍ ପଟୁ ଲିଙ୍ଗରାଜ ମନ୍ଦିର ଆଡକୁ ଆସୁଥିବା ସମସ୍ତ ଦୁଇ ଚକିଆ ଏବଂ ଚାରି ଚକିଆ ଯାନ ବଢେଇବାଙ୍କଠାରୁ ଆଗକୁ ନଯାଇ ବିଏମ୍ ହାଇସ୍କୁଲ ପଡିଆରେ ପାର୍କିଂ କରିବେ। ସେହି ସମୟରେ ରଥରୋଡ୍ ଦେଇ କୌଣସି ଭାରୀଯାନ ଚଳାଚଳ କରିପାରିବନାହିଁ। କେଦାରଗୌରୀ ମନ୍ଦିର ନପଟୁ ଓ ସାନିଟାରିୟମ୍ ଛକ ପଟୁ ଲିଙ୍ଗରାଜ ମନ୍ଦିର ଆଡକୁ ଆସୁଥିବା ଯାନବାହାନ ଗୁଡିକ କୋଟି ତୀର୍ଥ ଗଳି ଦେଇ କାଚେରୀ ପିଣ୍ଡି ରାସ୍ତାରେ ଯାଇ ତରଙ୍ଗ କ୍ଲବ ପଛପଟେ ଥିବା ଖାଲି ସ୍ଥାନରେ ରହିବ।
ସେହିପରି ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣି ପୀଠରେ ମହା ଶିବରାତ୍ରିକୁ ଯାକଜାମକରେ ପାଳନ କରିବାକୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜିଲ୍ଲା ପ୍ରଶାସନ ଓ ସେବାୟତ ମାନେ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଶିବରାତ୍ରି ପାଇଁ ମନ୍ଦିର ରଙ୍ଗ କାର୍ଯ୍ୟ ସରିଥିବା ବେଳେ ଅନ୍ୟାନ୍ୟ କାର୍ଯ୍ୟ ଜାରି ରହିଛି । ପୀଠରେ ଆଲୋକୀକରଣ, ପରିମଳ, ପିଇବା ପାଣି, ଡ୍ରେନେଜ ବ୍ୟବସ୍ଥା ଉପରେ କାମ ଜାରି ରହିଛି ।



