www.samajalive.in
Sunday, December 14, 2025
26.1 C
Bhubaneswar

ସତ୍ୟବାଦୀ ଓଡ଼ିଆ ନବଜାଗରଣ ଓ ଜାତୀୟ ଚେତନାର କେନ୍ଦ୍ର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ସାକ୍ଷିଗୋପାଳ : ଓଡ଼ିଆ ନବଜାଗରଣର ପୀଠ ହେଉଛି ସତ୍ୟବାଦୀ ଏବଂ ସତ୍ୟବାଦୀ ବନ ବିଦ୍ୟାଳୟ ଥିଲା ଓଡ଼ିଆ ଜାତୀୟ ଚେତନାର କେନ୍ଦ୍ର। ସତ୍ୟବାଦୀର ପଞ୍ଚସଖା ଥିଲେ ସମାଜର ଆଇନା ସଦୃଶ। ସେମାନେ ଶିକ୍ଷା ଦ୍ୱାରା ମାନବ ଜୀବନର ନୀତି ଆଦର୍ଶକୁ ପ୍ରତିଫଳନ କରାଇବା ସହିତ ଓଡ଼ିଶାର ବୌଦ୍ଧିକ ସ୍ବାତନ୍ତ୍ର୍ୟର ବାର୍ତ୍ତାବହ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସାକ୍ଷିଗୋପାଳଠାରେ ସତ୍ୟବାଦୀ ମହୋତ୍ସବ ୨୦୨୫ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସତ୍ୟବାଦୀର ଅସ୍ମିତା ଓ ଗୌରବକୁ ଆଧାର କରି ଏ ଅଞ୍ଚଳର ଆବଶ୍ୟକ ଭିତ୍ତିଭୂମି ଏବଂ ସମସ୍ତପ୍ରକାର ମୌଳିକ ସୁବିଧା ସୁଯୋଗର ବିକାଶ କରାଯିବ। ସମଗ୍ର ଓଡ଼ିଶାକୁ ଶିକ୍ଷାର ଜ୍ୟୋତିରେ ଆଲୋକିତ କରୁଥିବା ଐତିହ୍ୟସମ୍ପନ୍ନ ସତ୍ୟବାଦୀ ବନ ବିଦ୍ୟାଳୟର ପୁନରୁଦ୍ଧାର ପାଇଁ ଆମ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏହି ବିଦ୍ୟାଳୟର ଐତିହ୍ୟ ଓ ପରମ୍ପରା ସମ୍ପର୍କରେ ବର୍ତ୍ତମାନର ପିଢ଼ିକୁ ଅବଗତ କରାଇବା ପାଇଁ ବକୁଳ ବନରେ ଏହାର ମୌଳିକ ଢାଞ୍ଚା ଅନୁରୂପ ଶିକ୍ଷା ପରିବେଶ ବିକଶିତ କରାଯିବ। ବକୁଳ ବନ ଓ ସତ୍ୟବାଦୀ ବନ ବିଦ୍ୟାଳୟର ପୁନରୁଦ୍ଧାର ଓ ବିକାଶ କରାଯାଇ ଏହାକୁ ଏକ ଐତିହ୍ୟ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରାଯିବ। ଏଥିସହିତ ସାକ୍ଷିଗୋପାଳ ମନ୍ଦିର ଓ ଏହାର ପାରିପାର୍ଶ୍ବିକ ଅଞ୍ଚଳର ବିକାଶ କରାଯିବ।
ସତ୍ୟବାଦୀ ବନ ବିଦ୍ୟାଳୟ ଥିଲା ସେ ସମୟରେ ଓଡ଼ିଶାର ଏକ ମଣିଷ ତିଆରି କାରଖାନା। ପଣ୍ଡିତ ଗୋପବନ୍ଧୁଙ୍କ ତତ୍ତ୍ୱାବଧାନରେ ଗୁରୁମାନଙ୍କ ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠା ଫଳରେ ଏହି ବନ ବିଦ୍ୟାଳୟ ସମଗ୍ର ରାଜ୍ୟରେ ଏକ ଆଦର୍ଶ ଶିକ୍ଷାକେନ୍ଦ୍ର ଭାବରେ ପରିଗଣିତ ହେଉଥିଲା। ଏହି ବିଦ୍ୟାଳୟ ଛାତ୍ରଙ୍କୁ ଚରିତ୍ରବାନ୍‍, ସେବା ପରାୟଣ ଓ ସ୍ବାର୍ଥତ୍ୟାଗୀ କରି ଗଢ଼ି ତୋଳୁଥିଲା। ସତ୍ୟବାଦୀ ମହୋତ୍ସବରେ ଯୋଗଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଓଡ଼ିଆ ବିଶ୍ବବିଦ୍ୟାଳୟ ପରିଦର୍ଶନ କରି ଏହାର ଭିତ୍ତିଭୂମି ସମ୍ପର୍କରେ ଅନୁଧ୍ୟାନ କରି ବିଶ୍ବବିଦ୍ୟାଳୟର କୁଳପତି, ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ସହ ସେ ଆଲୋଚନା କରିଥିଲେ। ସତ୍ୟବାଦୀରେ ପ୍ରତିଷ୍ଠିତ ଓଡ଼ିଆ ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ତ୍ବରାନିତ କରାଯିବ। ଏହାକୁ ଓଡ଼ିଆ ଭାଷା ସାହିତ୍ୟର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବ। ଓଡ଼ିଆ ଅସ୍ମିତାର ପ୍ରଚାର ପ୍ରସାର ପାଇଁ ଏହା ଏକ ପ୍ରମୁଖ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ସତ୍ୟବାଦୀର ଇତିହାସକୁ ଅବତାରଣା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦେଶ ସ୍ବାଧୀନତାର ଘଡ଼ିସନ୍ଧି ମୁହୂର୍ତ୍ତରେ ଏହି ପଞ୍ଚସଖା ସତ୍ୟବାଦୀ ବନ ବିଦ୍ୟାଳୟ ପରିଚାଳନା କରିବା ସହିତ ନିଜ ନିଜ ଲେଖନୀ ଚାଳନା ବଳରେ ସ୍ବାଧୀନତା ସଂଗ୍ରାମକୁ ଏଠାରୁ ଇନ୍ଧନ ଯୋଗାଉ ଥିଲେ। ପ୍ରାଚୀନ ଗୁରୁକୁଳ ଆଦର୍ଶରେ ଯୁଗୋପଯୋଗୀ ଶିକ୍ଷା ପ୍ରଦାନ ଆଭିମୁଖ୍ୟ ରଖିଥିବା ଏହି ବନ ବିଦ୍ୟାଳୟରେ ପଣ୍ଡିତ ଗୋପବନ୍ଧୁଙ୍କ ଅଟଳ ମନବୃତ୍ତି, ନୀଳକଣ୍ଠଙ୍କ ସାଙ୍ଗଠନିକ ଶକ୍ତି, ଗୋଦାବରୀଶଙ୍କ ଶିକ୍ଷାଦାନର ଆଦର୍ଶ, କୃପାସିନ୍ଧୁଙ୍କ ଐତିହ୍ୟ ଓ ପରମ୍ପରା ପ୍ରତି ଅଗାଧ ବିଶ୍ବାସ ଏବଂ ଆଚାର୍ଯ୍ୟ ହରିହରଙ୍କ ଋଷିପ୍ରାଣତା ଓ ପିତୃସୁଲଭ ବାତ୍ସଲ୍ୟ ମନୋଭାବ ଶିଷ୍ୟଙ୍କୁ ବାନ୍ଧି ରଖିଥିଲା ଓ ଅନୁପ୍ରାଣିତ କରୁଥିଲା। ଓଡ଼ିଆ ଭାଷା ସାହିତ୍ୟକୁ ସତ୍ୟବାଦୀର ଅବଦାନ ଅତୁଳନୀୟ। ସତ୍ୟବାଦୀ ସାହିତ୍ୟ ଥିଲା ଓଡ଼ିଆ ଜାତି ଗଠନର ପ୍ରେରଣା ଓ ପ୍ରୋତ୍ସାହନ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୮ ମାସ ମଧ୍ୟରେ ଆମ ସରକାର ରାଜ୍ୟବାସୀଙ୍କ ପାଇଁ ଅନେକ କଲ୍ୟାଣକାରୀ ପଦକ୍ଷେପ ନେଇଛନ୍ତି। କାର୍ଯ୍ୟକ୍ରମରେ ପୁରୀ ସାଂସଦ ଡ. ସମ୍ୱିତ ପାତ୍ର, ସତ୍ୟବାଦୀ ବିଧାୟକ ଓମ୍‌ପ୍ରକାଶ ମିଶ୍ର ଓ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ପ୍ରମୁଖ ସତ୍ୟବାଦୀର ବିକାଶ ସହିତ ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟ ପୂରଣ ଦିଗରେ ସମସ୍ତେ ମିଳିମିଶି କାମ କରିବା ପାଇଁ ଆହ୍ୱାନ ଦେଇଥିଲେ।
ମହୋତ୍ସବ କମିଟି ସମ୍ପାଦକ ଦୀପକ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଆସିବା ସମୟରେ ମୁଖ୍ୟମନ୍ତ୍ରୀ ସାକ୍ଷିଗୋପାଳ ମନ୍ଦିରରେ ଠାକୁର ଶ୍ରୀଶ୍ରୀ ଗୋପାଳ ଜୀଉ ଓ ଠାକୁରାଣୀ ଶ୍ରୀଶ୍ରୀ ରାଧାରାଣୀଙ୍କୁ ଦର୍ଶନ କରି ଆଶୀର୍ବାଦ କାମନା କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories