କଟକ : ଐତିହାସିକ ବାରବାଟୀ ଷ୍ଟାଡ଼ିୟମ ଚଳଚଞ୍ଚଳ। ସମ୍ପୂୂର୍ଣ୍ଣ ନୂଆ ରୂପରେ ସଜେଇ ହୋଇଛି ଷ୍ଟାଡ଼ିୟମ। ୫ ବର୍ଷ ପରେ ଏଠାରେ ଆୟୋଜିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ୍। ଆଜି ଭାରତ ଓ ଇଂଲଣ୍ଡ ଦ୍ବିତୀୟ ଦିନିକିଆ ମ୍ୟାଚ ଖେଳାଯିବ। ଏହାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ସୃଷ୍ଟି ହୋଇଛି। ଶନିବାର ଭାରତୀୟ ଦଳ ଅଭ୍ୟାସ କରିବା ସହ ବାରବାଟୀ ମ୍ୟାଚ ପାଇଁ ପ୍ରସ୍ତୁତି ଶେଷ କରିଛି। ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ରହିଛି।
ବାରବାଟୀ ମ୍ୟାଚକୁ ଜିତି ଭାରତ ଚଳିତ ବର୍ଷ ପ୍ରଥମ ଦିନିକିଆ ଶୃଙ୍ଖଳା ହାତେଇବାକୁ ଲକ୍ଷ୍ୟ ରଖିଛି। ଚମ୍ପିଆନ୍ସ ଟ୍ରଫି ପୂର୍ବରୁ ଭାରତ ଉକ୍ତ ଶୃଙ୍ଖଳା ଜିତି ମାନସିକସ୍ତରରେ ନିଜକୁ ପ୍ରସ୍ତୁତ କରିବାକୁ ନିଶ୍ଚିତ ଉଦ୍ୟମ କରିବ। ୨୦ତମ ଦିନିକିଆ ମ୍ୟାଚ ଲାଗି ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଏବେ ଖେଳକୁ ଅପେକ୍ଷା ରହିଛି। ବାରବାଟୀରେ ଶେଷ ଦୁଇ ଦିନିକିଆ ହାଇ ସ୍କୋରିଂ ହୋଇଥିବାରୁ ଏଥର ମଧ୍ୟ ଦର୍ଶକ ଏକ ବଡ ସ୍କୋର ବିଶିଷ୍ଟ ମ୍ୟାଚ ଦେଖିବା ନେଇ ଆଶା ରଖିଛନ୍ତି।
ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତୀୟ ଦଳ ନାଗପୁରରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ୪ ୱିକେଟରେ ବିଜୟୀ ହୋଇଥିଲା। ବ୍ୟାଟିଂରେ ରୋହିତ ବିଫଳ ହୋଇଥିବାଳେ ଦିନିକିଆ ପଦାର୍ପଣ କରିଥିବା ଯଶସ୍ବୀ ଜୟସୱାଲ ୧୫ରନ କରିଥିଲେ। ଖରାପ ଫର୍ମ ଦେଇ ଗତି କରୁଥିବା ରୋହିତଙ୍କ ପାଇଁ ବାରବାଟୀରେ ଫର୍ମକୁ ଫେରିବା ନେଇ ବଡ଼ ସୁଯୋଗ ରହିଛି। ରୋହିତଙ୍କ ସହ ଜୟସୱାଲ ଓପନିଂ କରିବାବେଳେ ୩ ନମ୍ବର ସ୍ଥାନରେ ଶୁବମାନ ଗିଲ୍ ଖେଳିବେ। ଗିଲ୍ ନାଗପୁରରେ ୮୭ରନର ଇନିଂସ ଖେଳିଥିଲେ। ନାଗପୁରରେ ୪ର୍ଥ ଡାଉନରେ ଶ୍ରେୟସ ଆୟର ଖେଳି ୫୯ରନ କରିଥିଲେ । ବିରାଟ ଯଦି ବାରବାଟୀରେ ଖେଳନ୍ତି ତେବେ ଶ୍ରେୟସଙ୍କୁ ବିଶ୍ରାମ ଦିଆଯିବାର ଆଶା କରାଯାଉଛିି। ଋଷଭ ପନ୍ତ୍ଙ୍କ ସ୍ଥାନରେ ୱିକେଟ ରକ୍ଷକ ଦାୟିତ୍ବ ତୁଲାଇଥିବା ରାହୁଲ ମଧ୍ୟ ଖେଳିବା ନେଇ ଆଶା କରାଯାଉଛି। ପନ୍ତଙ୍କୁ ପୁଣି ବସିବାକୁ ପଡ଼ିପାରେ। ଅଲରାଉଣ୍ଡର ଭାବେ ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡେଜା ଖେବେଳେ ଦ୍ରୁତ ବୋଲିଂ ବିଭାଗରେ ମହମ୍ମଦ ସାମି ଓ ଅର୍ଶଦୀପ୍ ସିଂହ ଖେଳିପାରନ୍ତି। ରାଣା ନାଗପୁରେ ପଦାର୍ପଣ କରିବା ସହ ୩ଟି ୱିକେଟ ନେଇଥିଲେ। ରାଣାଙ୍କ ସ୍ଥାନରେ ଅର୍ଶଦୀପ୍ ଖେଳିବାର ସମ୍ଭାବନା ରହିଛି। ବାରବାଟୀ ପିଚ୍ ସ୍ପିନରଙ୍କୁ ବିଶେଷ ଭାବେ ସୁହାଇବା ନେଇ ଆଶା କରାଯାଉଥିବାରୁ ବରୁଣ ଚକ୍ରବର୍ତ୍ତୀ ଖେଳିବା ନେଇ ଆଶା କରାଯାଉଛି। ନାଗପୁରରେ କୁଳଦୀପ୍ ଖେଳି ଗୋଟିଏ ୱିକେଟ ନେଇଥିଲେ। କୁଳଦୀପ୍ ବାରବାଟୀରେ ମଧ୍ୟ ଖେଳିବାର ଆଶା ରହିଛି। ସ୍ପିନ କମ୍ବିନେଶନକୁ ଭାରତ ପରିବର୍ତ୍ତନ କରିବାର ସମ୍ଭାବନା କମ୍ ରହିଥିବାବେଳେ ୩ଜଣ ସ୍ପିନରଙ୍କୁ ନେଇ ବାରବାଟୀରେ ଖେଳିବାର ଆଶା କରାଯାଉଛି। ଅନ୍ୟପକ୍ଷରେ ଜୋସ ବଟ୍ଲରଙ୍କ ନେତୃତ୍ବାଧିନ ଇଂଲଣ୍ଡ ଦଳ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବାରୁ ପ୍ରତ୍ୟାବର୍ତ୍ତନ ନେଇ ଉଦ୍ୟମ କରିବ। ନାଗପୁରରେ ଦଳ ବ୍ୟାଟିଂରେ ଭଲ ଆରମ୍ଭ କରିଥିବାବେଳେ ମଧ୍ୟକ୍ରମରେ ବିଫଳତା ପାଇଁ ବଡ ସ୍କୋର କରିପାରିନଥିଲା। ବ୍ୟାଟିଂରେ ଜୋସ ବଟ୍ଲର ୬୨ ଓ ଜ୍ୟାକବ ବିଥେଲ ୫୧ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଏହାଛଡ଼ା ଓପନର ଫିଲ ସଲ୍ଟ ୪୩, ବେନ୍ ଡକେଟ ୩୨ରନ ମଧ୍ୟ କରିଥିଲେ। ଲିୟାମ ଲିଭିଙ୍ଗଷ୍ଟୋନ ଓ ଜୋ ରୁଟ୍ ରନ କରିବାରେ ବିଫଳ ହୋଇଥିଲେ। ଦଳ ଦ୍ବିତୀୟ ମ୍ୟାଚରେ ବ୍ୟାଟିଂ କ୍ରମରେ କୌଣସି ପରିବର୍ତ୍ତନ କରିବାର ଆଶା କରାଯାଉନାହିଁ। ବୋଲିଂ ବିଭାଗରେ ବ୍ରାଇଡନ କ୍ରାସ, ଜୋଫ୍ରା ଆର୍ଚରଙ୍କ ସହ ସାକିବ ମେହମୁଦ ରହିଛନ୍ତି। ସ୍ପିନ ବୋଲିଂ ବିଭାଗରେ ଆଦିଲ ରସିଦଙ୍କ ସହ ଜ୍ୟାକବ ବିଥେଲ, ଲିୟାମ ଲିଭିଙ୍ଗଷ୍ଟୋନ, ଜୋ ରୁଟ୍ ରହିଛନ୍ତି। ଦଳ ପ୍ରଥମ ଦିନିକିଆର ତ୍ରୁଟିକୁ ସୁଧାରି ବାରବାଟୀରେ ଖେଳିବା ନେଇ ଆଶା ରଖିଛି। ବାରବାଟୀରେ ଦୁଇ ଦଳ ଦିନିକିଆରେ ୫ଥର ମୁହଁାମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ଇଂଲଣ୍ଡ ୨ଟି ଓ ଭାରତ ୩ଟି ମ୍ୟାଚରେ ବିଜୟୀ ହୋଇଛି। ଶେଷ ଦୁଇ ଦିନିକିଆରେ ଭାରତ ଇଂଲଣ୍ଡକୁ ପରାସ୍ତ କରିବାରେ ସଫଳ ହୋଇଛି। ରୋହିତ ଶର୍ମା(ଅଧିନାୟକ), ଯଶସ୍ବୀ ଜୟସୱାଲ, ବିରାଟ କୋହଲି, ଶୁବ୍ମାନ ଗିଲ୍, ଶ୍ରେୟସ ଆୟର, ଲୋକେଶ ରାହୁଲ, ଋଷଭ ପନ୍ତ୍(ୱିକେଟରକ୍ଷକ), ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ମହମ୍ମଦ ସାମି, ହର୍ଷିତ ରାଣା, କୁଳଦୀପ୍ ଯାଦବ, ଅର୍ଶଦୀପ୍ ସିଂହ,ହାର୍ଦିକ ପାଣ୍ଡ୍ୟା, ବରୁଣ ଚକ୍ରବର୍ତ୍ତୀ, ୱାଶିଂଟନ ସୁନ୍ଦର, ମୁଖ୍ୟ ପ୍ରଶିକ୍ଷକ-ଗୌତମ ଗମ୍ଭୀର ଭାରତୀୟ ଦଳରେ ରହିଥିବାବେଳେ ଜୋସ୍ ବଟ୍ଲର(ଅଧିନାୟକ),ଜ୍ୟାକବ ବିଥେଲ,ସାକିବ ମେହମୁଦ, ଆଦିଲ ରସିଦ, ଫିଲ୍ ସଲ୍ଟ,ବେନ୍ ଡକେଟ, ଜୋ ରୁଟ୍, ହ୍ୟାରୀ ବ୍ରୁକ, ଲିୟାମ ଲିଭିଙ୍ଗଷ୍ଟୋନ, ବ୍ରାଇଡନ କାର୍ସ , ଜୋଫ୍ରା ଆର୍ଚର ଇଂଲଣ୍ଡ ଦଳରେ ରହିଛନ୍ତି।
ଆଜି ବାରବାଟୀରେ ଭାରତ-ଇଂଲଣ୍ଡ ଟକ୍କର
Popular Categories



