କ୍ୟାବିନେଟରେ ୧୧ ପ୍ରସ୍ତାବ ଅନୁମୋଦିତ, ଅନ୍ତ୍ୟାଦୟରେ ସବୁ ଗରିବଙ୍କୁ ଘର

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟରେ ଏକୀକୃତ ପେନସନ ଯୋଜନାଠାରୁ ଆରମ୍ଭ କରି, ଅ‌େ‌ନ୍ତ୍ୟାଦୟ ଗୃହ ଯୋଗାଣ, ପ୍ରତି ବ୍ଲକରେ ଷ୍ଟାଡ଼ିୟମ୍‌ ନିର୍ମାଣ ସମେତ ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ଏଣିକି ପ୍ରାକୃତିକ ଅଥବା ମନୁଷ୍ୟକୃତ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ପରିବାର, ବିଭିନ୍ନ ସରକାରୀ ପ୍ରକଳ୍ପ ହେତୁ ବିସ୍ଥାପିତ ହୋଇଥିବା ପରିବାର, ଭିନ୍ନକ୍ଷମ ବ୍ୟକ୍ତି ମୁଖ୍ୟ ଉପାର୍ଜନକାରୀ ହୋଇଥିବା ପରିବାର, ଜଙ୍ଗଲ ଅଧିକାର ଆଇନ ହିତାଧିକାରୀ ପରିବାର ଏବଂ ପ୍ରଚଳିତ ଗୃହ ନିର୍ମାଣ ଯୋଜନାରେ ଉପକୃତ ହୋଇ ନ ଥିବା ଯୋଗ୍ୟ ପରିବାରବର୍ଗଙ୍କୁ ଅ‌େ‌ନ୍ତ୍ୟାଦୟ ଗୃହ ଯୋଜନାରେ ପକ୍କାଘର ମିଳିବ।

ଏହି ଯୋଜନାରେ ହିତାଧିକାରୀ, (ଶୌଚାଳୟର ଅଞ୍ଚଳକୁ ହିସାବକୁ ନ ନେଇ) ୨୫ ବର୍ଗ ମିଟର ପରିଧି ବିଶିଷ୍ଟ ପକ୍କା ଘର ନିର୍ମାଣ ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପାଇପାରିବେ। ତିନି ବର୍ଷ ମଧ୍ୟରେ ଏହି ଯୋଜନାରେ ଅନ୍ୟୂନ ୨, ୨୫, ୦୦୦ ନୂତନ ପକ୍କା ଘର ମଞ୍ଜୁର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି। ଏହି ଯୋଜନା ପାଇଁ ୭,୫୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

କ୍ୟାବିନେଟ ବୈଠକ ସମ୍ପର୍କରେ ସୂଚନ‌ା‌ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅ‌େ‌ନ୍ତ୍ୟାଦୟ ଗୃହ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ), ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ ଓ ଅନ୍ୟାନ୍ୟ ସରକାରୀ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାର ହିତାଧିକାରୀ, ଯେଉଁମାନେ ପ୍ରଥମ କିସ୍ତି ପାଇବାର ୪ ମାସ ଓ ୬ ମାସ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ସମାପ୍ତ କରିବେ ସେମାନଙ୍କୁ ଯଥାକ୍ରମେ ୨୦ ହଜାର ଟଙ୍କା ଏବଂ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ ବ୍ୟବସ୍ଥା ରହିଛି ।

ଯୋଜନାରେ ପକ୍କାଘରର ସଂଜ୍ଞାକୁ ସରଳୀକରଣ କରାଯାଇ ଆଜବେଷ୍ଟସ୍, ଟିଣ ଓ ଟାଇଲ ଛାତଘରକୁ କଚ୍ଚାଘର ରୂପେ ବିବେଚନା କରାଯାଇଛି। କେବଳ ସିମେଣ୍ଟ ଯୋଡ଼େଇ କାନ୍ଥ ସହିତ ଆର.ସି.ସି. ଛାତକୁ ପକ୍କାଘରର ମାନ୍ୟତା ପ୍ରଦାନ କରାଯାଉଛି। ପରିବାରର ସଂଜ୍ଞାକୁ ମଧ୍ୟ ସରଳୀକରଣ କରାଯାଇ ଯୋଜନାରେ ପରିବାରର ଅର୍ଥ ସ୍ୱାମୀ, ସ୍ତ୍ରୀ, ନିର୍ଭରଶୀଳ ପିତାମାତା ଓ ସନ୍ତାନଙ୍କୁ ବୁଝାଉଛି। ଏହାଦ୍ୱାରା ସୃଷ୍ଟି ହୋଇଥିବା ନୂଆ ପରିବାର ଯୋଜନାରେ ଉପକୃତ ହୋଇପାରିବେ।

ଗତକାଲି ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଶନିବାର ସାମ୍ବାଦିକଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ସମସ୍ତ ୩୧୪ ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡ଼ିୟମ୍ ନିର୍ମାଣ ପାଇଁ ଏକ ନୂତନ ଯୋଜନା ଅନୁମୋଦନ କରାଯାଇଛି। ଏହି ପ୍ରକଳ୍ପର ଲକ୍ଷ୍ୟ ହେଲା ଗ୍ରାମୀଣ କ୍ରୀଡ଼ା ଭିତ୍ତିଭୂମିରେ ଗୁରୁତ୍ବପୂର୍ଣ୍ଣ ଆନ୍ତର୍ଜାତିକ ମାନର କ୍ରୀଡ଼ାବିତ୍ ସୃଷ୍ଟି କ୍ଷେତ୍ରରେ ଥିବା ପ୍ରତିବନ୍ଧକ ହଟାଯାଇ ଉନ୍ନତ ଭିତ୍ତିଭୂମି ପ୍ରସ୍ତୁତ କରିବା। ରାଜ୍ୟରେ ବ୍ଲକସ୍ତରୀୟ ଷ୍ଟାଡ଼ିୟମ୍ ନିର୍ମାଣ ପ୍ରକଳ୍ପ ଦ୍ୱାରା ଏହି ଲକ୍ଷ୍ୟ ହାସଲ କରାଯାଇପାରିବ। ଏହି ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ବ୍ଲକସ୍ତରୀୟ ଷ୍ଟାଡ଼ିୟମ୍ ୮ରୁ ୧୦ ଏକର ଜମିରେ ନିର୍ମାଣ ହେବ ଏବଂ ଏଥିରେ ଫୁଟବଲ୍ କିମ୍ୱା କ୍ରିକେଟ ପଡ଼ିଆ, ଥ୍ରୋ ଓ ଜମ୍ପ ଫିଲ୍‍ଡ ସହିତ ଆଥଲେଟିକ୍ ଟ୍ରାକ୍, ଭଲିବଲ୍, ଖୋ ଖୋ, କବାଡ଼ି କୋର୍ଟ, ବ୍ୟାଡ଼ମିଣ୍ଟନ୍, ଟେବୁଲ ଟେନିସ୍ ଇତ୍ୟାଦି ଖେଳର ସୁବିଧା ସହିତ ଇଣ୍ଡୋର ହଲ୍ ନିର୍ମାଣ କରାଯିବ।

ରାଜ୍ୟରେ ବ୍ଲକସ୍ତରୀୟ ଷ୍ଟାଡ଼ିୟମ୍ ନିର୍ମାଣ ପାଇଁ, କ୍ୟାବିନେଟ ପର୍ଯ୍ୟାୟକ୍ରମେ ୫ ବର୍ଷ ପାଇଁ ୪,୧୨୪ କୋଟି ଟଙ୍କା ବ୍ୟୟ ମଞ୍ଜୁର କରିଛନ୍ତି । ନିଯୁକ୍ତି ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ଏବଂ ରାଜ୍ୟର ସବଅର୍ଡିନେଟ୍ ନ୍ୟାୟପାଳିକାରେ ନିଯୁକ୍ତି ପାଇଁ ପ୍ରତ୍ୟେକ ଶ୍ରେଣୀର ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ ଓଡ଼ିଶା ଜିଲା ତଥା ସିଭିଲ୍ କୋର୍ଟର ଜୁଡ଼ିସିଆଲ୍ ଷ୍ଟାଫ୍ ସର୍ଭିସେସ୍ ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତ (ସଂଶୋଧନ) ନିୟମ ୨୦୦୮କୁ ସଂଶୋଧନ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।

ଓଡ଼ିଶା ଅକ୍ଷୟ ଶକ୍ତି ନୀତି, ୨୦୨୨ର ସଂଶୋଧନ କରାଯାଇଛି। ସଂଶୋଧିତ ପ୍ରସ୍ତାବ ଅନୁସାରେ ଏହି ନୀତିର ଅବଧି ମଧ୍ୟରେ ଅର୍ଥାତ ୧୫ବର୍ଷ ପର୍ଯ୍ୟନ୍ତ ଅକ୍ଷୟ ଶକ୍ତି ପ୍ରକଳ୍ପରୁ ଉତ୍ପାଦିତ ବିଦ୍ୟୁତ୍ ଶକ୍ତି ବ୍ୟବହାର ନିମନ୍ତେ ହ୍ୱିଲିଂ ଚାର୍ଜରେ ପଚିଶ ପ୍ରତିଶତ ପରିବର୍ତ୍ତେ ପଚାଶ ପ୍ରତିଶତ ଛାଡ଼ ପ୍ରଦାନ କରାଯାଇଛି। ତେବେ ଅନ୍ୟ ନବୀକରଣ ଶକ୍ତି ପ୍ରକଳ୍ପଗୁଡ଼ିକ ପାଇଁ ହ୍ୱିଲିଂ ଚାର୍ଜରେ ପ୍ରଚଳିତ ୨୫ ପ୍ରତିଶତ ଛାଡ଼ ବଳବତ୍ତର ରହିବ। ପୂର୍ବ ନୀତିରେ ୧୦ କିମ୍ବା ତଦୁର୍ଦ୍ଧ୍ୱ ବାସଗୃହ ଥିବା ଜନବସତିର ୧ କିମି ପରିସରରେ ପବନ କଳ ସ୍ଥାପନକୁ ବାରଣ କରାଯାଇଥିଲା । ତେବେ ଭାରତ ସରକାରଙ୍କ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ସଂଶୋଧିତ ପ୍ରାବଧାନ ଅନୁଯାୟୀ ଏହି ନିୟମକୁ ପରିବର୍ତ୍ତନ କରାଯାଇଛି।

ଓଡ଼ିଶା ଲୋକସେବା ଆୟୋଗ (ସେବା ସର୍ତ୍ତାବଳୀ) ନିୟମ, ୧୯୫୨ର ସଂଶୋଧନ କରାଯାଇଛି। ଯଦି କୌଣସି ବ୍ୟକ୍ତି ଆୟୋଗର ଅଧ୍ୟକ୍ଷ କିମ୍ବା ସଦସ୍ୟ ଭାବେ ନିଯୁକ୍ତ ହୁଅନ୍ତି ଏବଂ ତାଙ୍କ ଅନ୍ତିମ ନିର୍ଦ୍ଧାରିତ ବେତନ ଯାହାକି ଅଧ୍ୟକ୍ଷ ଓ ସଦସ୍ୟଙ୍କ ପାଇଁ ଯଥାକ୍ରମେ ମାସିକ ୨,୨୫,୦୦୦ ଟଙ୍କା ଓ ୧,୮୨,୦୦୦ ଟଙ୍କାରୁ ଅଧିକ ହୋଇଥିବ, ତେବେ ସେ ସରକାରୀ ଚାକିରିରେ ଥିବା ସମୟର ଅନ୍ତିମ ବେତନରୁ ମୋଟ ପେନ୍‍ସନ୍‍ ରାଶିକୁ ବାଦ୍‍ ଦେଲା ପରେ ଯେଉଁ ରାଶି ଉପନୀତ ହେବ, ତାକୁ ପାଇବାକୁ ହକ୍‍ଦାର ହେବେ।

ରାଜ୍ୟ କ୍ୟାବିନେଟ୍ ୧,୦୬୬.୩୮ କୋଟି ଟଙ୍କା ଆନୁମାନିକ ମୂଲ୍ୟରେ ଆଗାମୀ ଛଅ ବର୍ଷ ମଧ୍ୟରେ ଅର୍ଥାତ୍‍ ୨୦୨୫-୨୬ ରୁ ୨୦୩୦-୩୧ ମଧ୍ୟରେ ବିଶ୍ୱ ବ୍ୟାଙ୍କ ଏବଂ ଏସିଆନ ଇନ୍‍ଫ୍ରାଷ୍ଟ୍ରକ୍‍ଚର ଇନଭେଷ୍ଟମେଣ୍ଟ ବ୍ୟାଙ୍କ ସହାୟତାରେ ‘ଡ଼୍ୟାମ ପୁନର୍ବାସ ଓ ଉନ୍ନତି ପ୍ରକଳ୍ପ’ କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ଅଧୀନରେ ତିନୋଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ।
ଏହି ପ୍ରକଳ୍ପଗୁଡ଼ିକ ହେଲା ହୀରାକୁଦ ଡ୍ୟାମ୍‌ର ବାମ ଡାଇକରେ ଅତିରିକ୍ତ ସିଲ୍‌ୱେ ନିର୍ମାଣ, ହୀରାକୁଦ ଡ୍ୟାମ୍‌ର ସଂକଟଜନକ ପରିସ୍ଥିତିର ସର୍ବେକ୍ଷଣ କରି ତା’ର ମରାମତି ଏବଂ ଉନ୍ନତିକରଣ ଏବଂ ହୀରାକୁଦ ଡ୍ୟାମ୍‌ ତଥା ପ୍ରସ୍ତାବିତ ଅତିରିକ୍ତ ସ୍ପିଲୱେର ଫାଟକଗୁଡ଼ିକୁ ସ୍କାଡା ପ୍ରଣାଳୀରେ ସ୍ୱୟଂଚାଳିତ କରିବା।

ହୀରାକୁଦ ଡ୍ୟାମ୍‌ର ଅତିରିକ୍ତ ସ୍ପିଲୱେ ନିର୍ମାଣ ଦ୍ୱାରା ଅତିରିକ୍ତ ବନ୍ୟା ଜଳକୁ ନିରାପଦ ଭାବରେ ନିଷ୍କାସିତ କରାଯାଇ ପାରିବ। ଏତଦ୍‍ବ୍ୟତୀତ ହୀରାକୁଦ ଡ୍ୟାମ୍‌ର ସଙ୍କଟଜନକ ପରିସ୍ଥିତିର ସର୍ବେକ୍ଷଣ କରି ଏହାର ମରାମତି ଏବଂ ଉନ୍ନତିକରଣ ଦ୍ୱାରା ଡ୍ୟାମ୍‌ଟିକୁ ଦୀର୍ଘସ୍ଥାୟୀ କରାଯାଇ ପାରିବ। ଡ୍ୟାମ୍‌ର ତଥା ପ୍ରସ୍ତାବିତ ଅତିରିକ୍ତ ସ୍ପିଲୱେର ଗେଟ୍‌ଗୁଡ଼ିକୁ ସ୍ୱୟଂଚାଳିତ କରାଯିବା ଦ୍ୱାରା ଏହାର ଉତ୍ତମ ନିୟନ୍ତ୍ରଣ ଓ ପର୍ଯ୍ୟବେକ୍ଷଣ ସୁନିଶ୍ଚିତ କରାଯାଇ ପାରିବ।

Comments are closed.