ବିଦ୍ୟୁତ ବିଲରେ ତ୍ରୁଟି, ଟାଟା ସେକ୍ସନ ସୁପରଭାଇଜରଙ୍କୁ ଘେରିଲେ ପୋଡ଼ମପେଟା ଗ୍ରାମବାସୀ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡ଼ମାପେଟା ଗ୍ରାମରେ ସ୍ମାର୍ଟ ମିଟର ଲଗାଯିବା ପରେ ବିଦ୍ୟୁତ ବିଲ ଅଧିକ ଆସିବା ନେଇ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି । ଯାହାଫଳରେ ମଙ୍ଗଳବାର ଟାଟା ସେକ୍ସନ ସୁପରଭାଇଜର ଓ ଅନ୍ୟ ଜଣେ ଟାଟା କର୍ମଚାରୀଙ୍କୁ ଗ୍ରାମବାସୀ ଘେରିଥିଲେ । ଏହାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । କର୍ମଚାରୀ ମାନଙ୍କୁ ଲୋକମାନେ ପ୍ରଶ୍ନ ପରେ ପ୍ରଶ୍ନ ପଚାରିଥିଲେ । ପରେ କିଛି ମଧ୍ୟସ୍ଥି ବୁଝା ସୁଝା ପରେ ସେଠାରୁ କର୍ମଚାରୀମାନେ ମୁକୁଳିଥିଲେ । ସୂଚନା ଯୋଗ୍ୟ ଯେ ସେହି ଗ୍ରାମର ପି ଯୋଗୁଡୁଙ୍କ ୧୫ ଦିନରେ ଆଠ ଶହ ଟଙ୍କା ବିଲ ଆସିଥିବାବେଳେ ପୋଲରୁ ବିଦ୍ୟୁତ ବିଛିନ୍ନ ଥିବା ବି ସନ୍ୟାସୀଙ୍କ ୩୧୮ ଟଙ୍କା ବିଲ କେମିତି ଆସିଲା ବୋଲି ଦୁଇ ଟାଟା କର୍ମଚାରୀଙ୍କୁ ପ୍ରଶ୍ନ କରିଥିଲେ ପୋଡ଼ମପେଟାବାସୀ। ସେହି ଗ୍ରାମରେ ଗତ ଡିସେମ୍ବର ମାସରେ ଗ୍ରାମରେ କେହି ନଥିବାବେଳେ ଟାଟା କର୍ମଚାରୀ ସ୍ଥାନୀୟ ପୁଲିସ ସହାୟତାରେ ଜବରଦସ୍ତ ୯୦ ପ୍ରତିଶତ ଲୋକଙ୍କ ଘରେ ସ୍ମାର୍ଟ ମିଟର ଲଗାଯାଇଥିବା ସେମାନେ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଛନ୍ତି । ଗ୍ରାମର ୩୬୫ ପରିବାର ସମସ୍ତେ ମତ୍ସଜୀବୀ ଅଟନ୍ତି। ସ୍ମାର୍ଟ ମିଟର ଲଗାଯିବା ସମୟରେ ସେମାନେ ସମୁଦ୍ରରେ ଥିଲେ ବୋଲି ସୂଚନା ଦେଇଛନ୍ତି । ଅଧିକାଂଶ ଘରେ ଗୋଟିଏ କିମ୍ଵା ଦୁଇଟି ବଲବ ଜଳୁଥିବା ବେଳେ ଶୀତ ଦିନ ହୋଇଥିବାରୁ ଫ୍ୟାନ ବ୍ୟବହାର ହୋଇନି କିନ୍ତୁ ବିଲ ହଜାରେ ଟଙ୍କା କିଭଳି ଆସୁଛି ବୋଲି ପ୍ରଶ୍ନ କରିଛନ୍ତି ପୋଡ଼ମପେଟା ବାସୀ। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଶୋଷଣ ନୀତି ବିରୁଦ୍ଧରେ ଆନ୍ଦୋଳନ କରିବେ ବୋଲି ସେମାନେ କହିଛନ୍ତି। ଏନେଇ ବୁଧବାର ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିବେ ବୋଲି କଡା ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

Comments are closed.