www.samajalive.in
Saturday, December 13, 2025
26.1 C
Bhubaneswar

ଆର୍ତ୍ତର ତ୍ରାଣକର୍ତ୍ତା

ବାଲ୍ୟକାଳରେ ତାଙ୍କର ନାମ ଥିଲା ଲକ୍ଷ୍ମଣ। ତୁଳସୀ ଦୁଇ ପତ୍ରରୁ ବାସିଲା କରି ପିଲାଦିନରୁ ହିଁ ସେ ନିଜ ଅନ୍ତର୍ନିହିତ ପ୍ରତିଭାର ପରିଚୟ ଦେଇଥିଲେ। ଗୁରୁଥିଲେ ଆଚାର୍ଯ୍ୟ ଯାଦବ ପ୍ରକାଶ। ବିଭିନ୍ନ ସମୟରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଗୁରୁ ଶିଷ୍ୟ ଦୁହିଁଙ୍କର ଖୁବ୍‌ ଯୁକ୍ତି ହେଉଥିଲା, ହେଲେ ଅନେକ କ୍ଷେତ୍ରରେ ଗୁରୁ ପରାଜିତ ହେଉଥିଲେ। ବାହାରକୁ ସେ ଶିଷ୍ୟକୁ ପସନ୍ଦ କରୁଥିଲେ ମଧ୍ୟ ଭିତରେ ଭିତରେ ଈର୍ଷାରେ କୁହୁଳୁଥିଲେ। ଥରେ ରାଜକନ୍ୟାଙ୍କଠାରେ ଏକ ପ୍ରେତ ସବାର ହେଲା, ରାଜା ଗୁରୁ ଆଚାର୍ଯ୍ୟ ଯାଦବପ୍ରକାଶଙ୍କ ସହାୟତା ନେଇଥିଲେ ପ୍ରେତକୁ ଦୂର କରିବା ନିମନ୍ତେ। ତନ୍ତ୍ରମନ୍ତ୍ର ପ୍ରୟୋଗ କରି ମଧ୍ୟ ଯାଦବ ପ୍ରକାଶ ସଫଳ ହୋଇନଥିଲେ। ଯେତେବେଳେ ଲକ୍ଷ୍ମଣ ଏହା ଜାଣିିବାକୁ ପାଇଲେ ନିଜେ ରାଜଉଆସକୁ ଯାଇଥିଲେ ଓ ରାଜକୁମାରୀ ତାଙ୍କ ପ୍ରଚେଷ୍ଟାରେ ସୁସ୍ଥ ହୋଇଯାଇଥିଲେ। ରାଜା ବହୁତ ଖୁସି ହୋଇ ପ୍ରଚୁର ଧନରତ୍ନ ଯାଚିଥିଲେ, ହେଲେ ଲକ୍ଷ୍ମଣ ସେସବୁକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ଦୁଃଖ-ଦୁର୍ଦଶାକୁ ସାଥି କରି ରହିଥିବା ଲକ୍ଷ୍ମଣ ଧନମୋହରେ ନପଡ଼ିବା ପାଇଁ ଏହି ନିଷ୍ପତ୍ତି ନେଇଥିଲେ।
ଶିଷ୍ୟର ଏଭଳି କୃତିତ୍ବରେ ଗୁରୁ ଯାଦବପ୍ରକାଶଙ୍କ ଈର୍ଷା ଦ୍ବିଗୁଣିତ ହୋଇଯାଇଥିଲା। ଲକ୍ଷ୍ମଣଙ୍କୁ ଯେ କୌଣସି ପ୍ରକାରେ ହେଉ ବାଟରୁ ହଟାଇ ଦେବାକୁ ମନସ୍ଥ କଲେ। ତୀର୍ଥାଟନ ନାମରେ ଲକ୍ଷ୍ମଣଙ୍କୁ ସାଥିରେ ନେଇ ଘୋର ଜଙ୍ଗଲ ଭିତରେ ମାରିଦେବାକୁ ମନରେ ପାଞ୍ଚିଲେ। ଲକ୍ଷ୍ମଣ ଏସବୁ ଜାଣିପାରି ନଥିଲେ।
ଗୁରୁ ଷଡ଼ଯନ୍ତ୍ର ଅନୁସାରେ ତୀର୍ଥଭ୍ରମଣ ଉଦ୍ଦେଶ୍ୟରେ ଶିଷ୍ୟକୁ ସାଥିରେ ନେଇଥିଲେ। ତୀର୍ଥାଟନରେ ଯିବା ସମୟରେ ଜନପଦ, ପ୍ରାନ୍ତର ଅତିକ୍ରମ କରି ଏକ ଘୋର ଜଙ୍ଗଲରେ ଉଭୟେ ଗୁରୁ-ଶିଷ୍ୟ ପହଞ୍ଚିଥିଲେ, ସେଇଠାରେ ହିଁ ସେ ଗୁରୁଙ୍କ କୁଚକ୍ରାନ୍ତ ସମ୍ପର୍କରେ ଜାଣିପାରି ସୁଯୋଗ ଉଣ୍ଡି ଖସି ଆସିଥିଲେ। ଘୋର ଜଙ୍ଗଲରେ ବାଟବଣା ହୋଇ ଏଣେତେଣେ ଘୂରିବୁଲିଲେ ଭୋକ ଉପାସରେ। ଜଙ୍ଗଲର କଣ୍ଟାଝଣ୍ଟାରେ ପାଦଛିଡ଼ି ରକ୍ତାକ୍ତ ହୋଇଯାଇଥାଏ। ଏଭଳି ସ୍ଥିତି ହୋଇଥିଲା ଯେ ଆଉ ଆଗେଇବା ନିମିତ୍ତ ଶରୀରରେ ସାମର୍ଥ୍ୟ ନଥିଲା କି ମନରେ ବଳ ନଥିଲା। ଉପାୟହୀନ ହୋଇ କାତର ଭାବରେ ଆରାଧ୍ୟ ପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ- ‘ମୋତେ ବଞ୍ଚାଅ ପ୍ରଭୁ: ମୋତେ ସହାୟ ହୁଅ।’
ଅତି ଆଶ୍ଚର୍ଯ୍ୟଜନକ ଭାବରେ ଏକ ବ୍ୟାଧ ଦମ୍ପତିକୁ ସେହିଠାରେ ଦେଖିବାକୁ ପାଇଥିଲେ ଲକ୍ଷ୍ମଣ। ବ୍ୟାଧ ଦମ୍ପତି ତାଙ୍କୁ ସହାୟତା ପ୍ରଦାନପୂର୍ବକ ବାଟ କଢ଼ାଇ ନେଇଥିଲେ। ତିନିହେଁ ଜଙ୍ଗଲ ପଥ ଅତିକ୍ରମ କରି ଏକ କୂପ ନିକଟରେ ପହଞ୍ଚିଥିଲେ। ସେହି କୂପରୁ ଅନେକ ବ୍ୟକ୍ତି ଜଳସଂଗ୍ରହ କରୁଥାନ୍ତି। ବ୍ୟାଧ ପତ୍ନୀଙ୍କୁ ଭୟଙ୍କର ଶୋଷ ଲାଗିଲା, କିନ୍ତୁ କୂପରୁ ପାଣି ଆଣିବାର ଉପକରଣ ନଥିଲା। ଲକ୍ଷ୍ମଣ ଜଳ ନେଉଥିବା ଲୋକଙ୍କଠାରୁ ଆଞ୍ଜୁଳାଆଞ୍ଜୁଳା ପାଣି ଆଣି ବ୍ୟାଧ ପତ୍ନୀଙ୍କୁ ଦେଇଥିଲେ। ତିନିଆଞ୍ଜୁଳାପାଣି ଦେଇ ଚତୁର୍ଥ ଆଞ୍ଜୁଳା ପାଣି ଆଣିବାକୁ ଯାଇ ଫେରିଲାବେଳକୁ ବ୍ୟାଧ ଦମ୍ପତି ସେଠାରୁ ଅଦୃଶ୍ୟ ହୋଇଯାଇଥିଲେ। ଅନେକ ଖୋଜାଖୋଜି ପରେ ଲକ୍ଷ୍ମଣ ତାଙ୍କର ସନ୍ଧାନ ପାଇ ନଥିଲେ। ଲୋକମାନଙ୍କୁ ସେହି ସ୍ଥାନର ନାମ ପଚାରିବାରୁ ସେ ଜାଣିବାକୁ ପାଇଥିଲେ ଏହା କାଶୀନଗରୀ। ଲକ୍ଷ୍ମଣଙ୍କ ଆନନ୍ଦର ସୀମା ନଥିଲା, କାରଣ କାଶୀଧାମ ସଂକ୍ରାନ୍ତରେ ସେ ଅନେକ କଥା ଜାଣିଥିଲେ। କୁହାଯାଏ ଯେ ସେହି ବ୍ୟାଧଦମ୍ପତି ଥିଲେ ସ୍ବୟଂ ଶଙ୍କର ଓ ପାର୍ବତୀ। ଲକ୍ଷ୍ମଣଙ୍କ କାତର ପ୍ରାର୍ଥନାରେ ନିରାଶ୍ରୟର ଆଶ୍ରୟଦାତା ଭାବରେ ତାଙ୍କୁ ସହାୟତା ନିମିତ୍ତ ଘୋର ବନ ପ୍ରଦେଶରେ ଆବିର୍ଭୂତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେଦିନର ସେହି ଜ୍ଞାନୀ ବାଳକଟି ରାମାନୁଜାଚାର୍ଯ୍ୟ ନାମରେ ପ୍ରସିଦ୍ଧିଲାଭ କରିଥିଲେ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories