ସମ୍ବଲପୁର : ପୂର୍ବତନ ଶ୍ରମମନ୍ତ୍ରୀ ତଥା ପୂର୍ବତନ ଭଟଲି ବିଧାୟକ ସୁଶାନ୍ତ ସିଂ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ସେ କିଛି ବର୍ଷ ହେଲା ଜଟିଳ ସ୍ନାୟୁବିକ ଓ ଶ୍ବାସଜନିତ ରୋଗରେ ଆକ୍ରାନ୍ତ ଅଛନ୍ତି। ଗତକାଲି ଅପରାହ୍ନ ପ୍ରାୟ ୪ଟା ସମୟରେ ତାଙ୍କୁ ଭୁବନେଶ୍ବର ଆପୋଲୋ ହସପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଛି। ରବିବାର ବିଳମ୍ବିତ ରାତିରେ ତାଙ୍କ ଦେହ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ବରଗଡ଼ର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଗତକାଲି ଭୋର ସମୟରେ ଭୁବନେଶ୍ବର ଆପୋଲୋରୁ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ତାଙ୍କୁ ଦିନ ସାଢ଼େ ୧୦ଟା ସମୟରେ ବରଗଡ଼ରୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ସହିତ ସାନଭାଇ ସୁବ୍ରତ ସିଂ ଓ ପୂର୍ବତନ ବରଗଡ଼ ଜିଲା ଯୁବ ବିଜେଡି ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ ମଧ୍ୟ ଭୁବନେଶ୍ବର ଯାଇଛନ୍ତି। ଶ୍ରୀ ସିଂଙ୍କୁ ଆପୋଲୋରେ ଭର୍ତ୍ତି କରାଯିବା ବେଳେ ବରିଷ୍ଠ ବିଜେଡି ନେତା ଦେବୀପ୍ରସାଦ ମିଶ୍ର, ପ୍ରତାପ ଜେନା, ପ୍ରଦୀପ ଅମାତ, ଅତନୁ ସବ୍ୟସାଚୀ ଓ ଅରୁଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି ସୁଶାନ୍ତ ସିଂଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଗୁରୁତର : ଆଶୁ ଆରୋଗ୍ୟ କାମନା କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Popular Categories



