ଜୀବିତଙ୍କୁ ମୃତ ଦର୍ଶାଇ ଭତ୍ତା ବନ୍ଦ, ଉପଜିଲାପାଳଙ୍କ ନିକଟରେ ଅଭିଯୋଗ କଲେ ହିତାଧିକାରୀ

ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ ମହାକାଳବସ୍ତ ପଞ୍ଚାୟତରେ ରାଜନୈତିକ ଆକ୍ରୋଶ ରଖି କେତେକ ଜୀବିତ ଗରିବ ହିତାଧିକାରୀଙ୍କୁ ମୃତ ଦର୍ଶାଇ ସେମାନଙ୍କର ଭତ୍ତା ବନ୍ଦ କରି ଦିଆଯାଇଥିବା ଅଭିଯୋଗ ହୋଇଛି । ଇନ୍ଦିରାଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ଦହିସରା ଗ୍ରାମର କ୍ଷେତ୍ରବାସୀ ମଲ୍ଲିକଙ୍କ ପୁଅ ବସନ୍ତ ମଲ୍ଲିକ (୬୬) ଏବଂ ପର୍ଶୁରାମପୁରର ବାଉରୀବନ୍ଧୁ ସାହୁଙ୍କ ପୁଅ ଜୟକୃଷ୍ଣ ସାହୁ(୬୪)ଙ୍କୁ ମୃତ ଦର୍ଶାଇ ସେମାନଙ୍କ ଭତ୍ତା ରଦ୍ଦ କରାଯାଇଥିବା ଉଭୟ ହିତାଧିକାରୀ ଅଭିଯୋଗ କରିଛନ୍ତି । ସେମାନଙ୍କ ଭତ୍ତା ନିୟମିତ ଅନଲାଇନରେ ସେମାନଙ୍କ ବ୍ୟାଙ୍କ ଖାତାରେ ଜମା ହେଉଥିଲା । କିନ୍ତୁ ଜାନୁଆରୀ ମାସରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଭତ୍ତା ଟଙ୍କା ନ ଆସିବାରୁ ନିରାଶ ହୋଇ ବ୍ଲକ୍ କାର୍ଯ୍ୟାଳୟକୁ ଆସି ବୁଝିବାରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଏଡିଓ ରିପୋର୍ଟ ଆଧାରରେ ସେମାନଙ୍କ ଭତ୍ତା ବନ୍ଦ କରାଯାଇଛି ବୋଲି ସୂଚନା ମିଳିଥିଲା । ସେମାନେ ଜୀବିତ ଥିବାବେଳେ କିପରି ସେମାନଙ୍କୁ ମୃତ ଘୋଷଣା କରାଗଲା ପଚାରିବାରୁ ସରପଞ୍ଚଙ୍କ ତାଲିକା ଅନୁଯାୟୀ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଏଡିଓ ରିପୋର୍ଟ କରିଛନ୍ତି ବୋଲି କୁହାଗଲା। ଏ ସମ୍ପର୍କରେ ଉଭୟ ବସନ୍ତ ଓ ଜୟକୃଷ୍ଣ ସୋମବାର ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କୁ ଭେଟି ଅଭିଯୋଗ କରିଥିଲେ। ଏ ବିଷୟରେ ଅନୁସନ୍ଧାନ କରି ଖୁବଶୀଘ୍ର ଉପଯୁକ୍ତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଥିଲେ।

Comments are closed.