ଭୁବନେଶ୍ୱର: କଟକ-ପାରାଦୀପ ରାସ୍ତାର ଗତିରାଉତପାଟଣାରେ ସିଆରଆରଆଇ ଥାନା ପିସିଆର ପାଟ୍ରୋଲିଂ କରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପିସିଆରକୁ ଏକ ଟ୍ରକ ଚାପିଦେବା ଫଳରେ ଘଟଣାସ୍ଥଳରେ ୨ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୨ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି। ଏହାସହିତ ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
କଟକ-ପାରାଦୀପ ରାସ୍ତାର ଗତିରାଉତପାଟଣାରେ ସଡ଼କ ଦୁର୍ଘଟଣାରେ କର୍ତ୍ତବ୍ୟରତ ୨ଜଣ ପୋଲିସ୍ କର୍ମଚାରୀ (ଜଣେ ଓଏପିଏଫ୍ କନ୍ଷ୍ଟେବଲ୍ଏବଂ ଜଣେ ହୋମ୍ ଗାର୍ଡ)ଙ୍କ ପ୍ରାଣହାନି ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ଉଭୟ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ₹୧୦ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ଆଜି ସକାଳୁ ସିଆରଆରଆଇ ଥାନା ପିସିଆର ପାଟ୍ରୋଲିଂବେଳେ କଟକ-ପାରାଦୀପ ରାସ୍ତାର ଗତିରାଉତପାଟଣାରେ ପୁଲିସ ପିସିଆରକୁ ଏକ ଟ୍ରକ ଚାପିଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ଓଏପିଏଫ୍ ଯବାନଙ୍କ ସହ ହୋମଗାର୍ଡଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଗୁରୁତର ଜଣେ ପୁଲିସ କର୍ମଚାରୀଙ୍କୁ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଟ୍ରକ ଡ୍ରାଇଭରକୁ ଅଟକ ରଖି ପୁଲିସ ଛାନଭିନ୍ ଚଳାଇଛି।



