ହାଲଓ୍ବା ଖୁଆଇ ଅଧିକାରୀଙ୍କ ମୁହଁ ମିଠା କରିବେ ଅର୍ଥମନ୍ତ୍ରୀ, ଆଜିଠୁ ଆରମ୍ଭ ‘ଲକ୍ ଇନ୍‌’ ଅବଧି

ନୂଆଦିଲ୍ଲୀ: ବଜେଟ୍‌ ଆସିବାର ତାରିଖ ପାଖେଇ ଆସୁଛି। ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍‌ ଉପସ୍ଥାପନ କରିବେ। ବଜେଟ୍ ପ୍ରସ୍ତୁତି ପରେ ପ୍ରତିବର୍ଷ ହାଲୱା ସମାରୋହ ଅନୁଷ୍ଠିତ ହୋଇଥାଏ। ଚଳିତ ଥର ଏହି କାର୍ଯ୍ୟକ୍ରମ ଅର୍ଥମନ୍ତ୍ରୀଙ୍କ ଉପସ୍ଥିତିରେ ଶୁକ୍ରବାର(ଜାନୁଆରୀ ୨୪) ଅପରାହ୍ନ ୫ଟାରେ ନର୍ଥ ବ୍ଲକରେ ଆୟୋଜିତ ହେବ।

ହାଲୱା ସମାରୋହ ଏଭଳି ଏକ ପରମ୍ପରା, ଯାହା ବର୍ଷ ବର୍ଷ ଧରି ପାଳନ କରାଯାଇ ଆସୁଛି। ଯେପରି କୌଣସି ଶୁଭ କାର୍ଯ୍ୟ ପୂର୍ବରୁ ମୁହଁ ମିଠା କରାଯାଏ, ସେହିଭଳି ବଜେଟ୍ ପୂର୍ବରୁ ହାଲୱା ସମାରୋହ ଆୟୋଜନ କରି ମୁହଁ ମିଠା କରାଯାଇଥାଏ। ଏହାପରେ ଅର୍ଥ ମନ୍ତ୍ରଣାଳୟରେ ବଜେଟ୍ ପ୍ରସ୍ତୁତ କରିଥିବା ଅଧିକାରୀମାନଙ୍କ ପାଇଁ କ୍ବାରେଣ୍ଟାଇନ୍‌ ଅବଧି ଆରମ୍ଭ ହୁଏ।

ହାଲଓ୍ବା ସେରିମନୀରେ କ’ଣ ହୁଏ ଓ କେମିତି ହୋଇଥିଲା ଆରମ୍ଭ ?

ହାଲୱା ସମାରୋହ କେବେ ଏବଂ କେମିତି ଆରମ୍ଭ ହୋଇଥିଲା, ସେ ସମ୍ପର୍କରେ କୌଣସି ବିଧିବଦ୍ଧ ସୂଚନା ନାହିଁ। କିନ୍ତୁ ଏହି ପରମ୍ପରା ଦଶନ୍ଧି ଧରି ଚାଲିଆସୁଛି। ବର୍ଷ ବର୍ଷ ଧରି ଅର୍ଥମନ୍ତ୍ରୀ ଏହି ପରମ୍ପରାକୁ ଅନୁସରଣ କରି ଆସୁଛନ୍ତି। ଏହା ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ଏବଂ କର୍ମଚାରୀଙ୍କ ଦ୍ୱାରା ବଜେଟ୍ ଦସ୍ତାବିଜ୍‌ କାର୍ଯ୍ୟ ଶେଷ ହେବାର ପ୍ରତୀକ। ପ୍ରତିବର୍ଷ ବଜେଟ୍ ପୂର୍ବରୁ ସଚିବାଳୟର ନର୍ଥ ବ୍ଲକରେ ଏକ ବଡ଼ କଡ଼େଇରେ ହାଲୱା ତିଆରି କରାଯାଏ। ଅର୍ଥମନ୍ତ୍ରୀ ଏବଂ ଅର୍ଥ ମନ୍ତ୍ରଣାଳୟର ସମସ୍ତ ଅଧିକାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥାଆନ୍ତି। ଅର୍ଥମନ୍ତ୍ରୀ ହାଲୱା ବଣ୍ଟନ କରି ସେଠାରେ ଉପସ୍ଥିତ ଲୋକଙ୍କ ମୁହଁ ମିଠା କରନ୍ତି। ବଜେଟ୍ ଉପସ୍ଥାପନ ପୂର୍ବରୁ ଆୟୋଜିତ ହେଉଥିବା ଏହି ହାଲୱା ସମାରୋହ ସେହି ସମସ୍ତ କର୍ମଚାରୀ ଏବଂ ଅଧିକାରୀଙ୍କ ଉଦ୍ୟମ ପ୍ରତି ଏକ ପ୍ରକାର ସମ୍ମାନ ପ୍ରଦାନ କରିଥାଏ, ଯେଉଁମାନେ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାର ସାମିଲ ହୋଇଥା’ନ୍ତି।

ଆଜିଠୁ ଆରମ୍ଭ ହେବ ‘ଲକ୍‌ ଇନ୍‌’ ଅବଧି

ହାଲୱା ସମାରୋହ ଶେଷ ହେବା ସହ ଆଜିଠାରୁ ‘ଲକ୍ ଇନ୍’ ଅବଧି ଆରମ୍ଭ ହେବ। ‘ଲକ୍ ଇନ୍’ ଅବଧିରେ ବଜେଟ୍ ତିଆରି ପ୍ରକ୍ରିୟାରେ ସାମିଲ ଥିବା ସମସ୍ତ କର୍ମଚାରୀ ଏବଂ ଅଧିକାରୀ ନର୍ଥ ବ୍ଲକର ବେସ୍‌ମେଣ୍ଟକୁ ଚାଲିଯାଆନ୍ତି। ପ୍ରାୟ ୧୦ ଦିନ ପରେ ବଜେଟ୍ ଦିନ ଅର୍ଥମନ୍ତ୍ରୀ ସଂସଦରେ ତାଙ୍କ ବଜେଟ୍ ଅଭିଭାଷଣ ପଢି ସାରିବାପରେ ସେମାନେ ବାହାରକୁ ଆସନ୍ତି। ଏହି ୧୦ ଦିନ ମଧ୍ୟରେ ଏହି କର୍ମଚାରୀ ତଥା ଅଧିକାରୀମାନେ ସେମାନଙ୍କ ପରିବାର ସହ ସମଗ୍ର ବିଶ୍ୱରୁ ବିଚ୍ଛିନ୍ନ ହୋଇଯାଇଥାନ୍ତି। ବଜେଟ୍ ଭାଷଣ ପୂର୍ବରୁ ବଜେଟ୍ ସମ୍ବନ୍ଧୀୟ ସୂଚନା ଲିକ୍ ନହେବା ପାଇଁ ଏପରି କରାଯାଇଥାଏ।

Comments are closed.