ପିପିଲି:୨୦୨୪ ମସିହାରେ ପୁରୀ ପୁଲିସର ନିଦ ହଜାଇ ଦେଇଥିବା ଏକ ଡକାୟତ ଗୋଷ୍ଠୀର ୨ଜଣ ସଦସ୍ୟଙ୍କୁ ଗତ ମଇମାସରେ ପିପିଲି ପୁଲିସ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଫେରାର୍ ଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଆଜି ଗିରଫ ପରେ କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ନିଜେ ଅଭିଯୋଗକାରୀ ତଥା ଘରୋଇ ଋଣ ପ୍ରଦାନକାରୀ ଫାଇନାନ୍ସ ସଂସ୍ଥାର କର୍ମଚାରୀ ଅଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ବନ୍ଧନ ବ୍ୟାଙ୍କ, ବଳଙ୍ଗା ଶାଖାର କର୍ମଚାରୀ ତଥା ଜଟଣୀ ଥାନା ବାଛରା ଗ୍ରାମର ଶାଶ୍ୱତ ବିନାୟକ ବେହେରା (୨୩) ଓ ନିଆଳି ଥାନା ମଝିଖଣ୍ଡ ଗ୍ରାମର ଅନିଲ ସାହୁ ଓରଫ ବୁଲୁ (୩୬)। ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଭୂଜାଲି ଓ ନଗଦ ୨୦ହଜାର ଟଙ୍କାକୁ ପୁଲିସ ଜବତ କରିଛି। ଏମାନେ ପିପିଲି ଥାନା ଅଞ୍ଚଳରେ ୩ଟି, ନିମାପଡା ଥାନା ଅଞ୍ଚଳରେ ୯ଟି, ଅସ୍ତରଙ୍ଗ ଥାନା ଅଞ୍ଚଳରେ ଗୋଟିଏ ଏବଂ ସତ୍ୟବାଦୀ ଥାନା ଅଞ୍ଚଳରେ ୨ଟି ଅପରାଧିକ ମାମଲାରେ ସଂପୃକ୍ତ ଥିବା ବେଳେ ଅନ୍ୟ କେଉଁ କେଉଁ ଥାନା ଅଞ୍ଚଳରେ ଅପରାଧ ଘଟାଇଛନ୍ତି ସେନେଇ ତଦନ୍ତ ଜାରି ରହିଥିବା ସଂପର୍କରେ ପିପିଲି ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ ସୂଚନା ଦେଇଛନ୍ତି।
ଗତ ୨୦୨୪ ମସିହା ମଇମାସ ୧ ତାରିଖ ମଧ୍ୟାହ୍ନ ୨ଟା ୧୦ ମିନିଟ୍ ସମୟରେ ବନ୍ଧନ ବ୍ୟାଙ୍କ ବଳଙ୍ଗା ଶାଖାର କର୍ମଚାରୀ ଶାଶ୍ୱତ ବିନାୟକ ବେହେରା ବିଭିନ୍ନ ଗ୍ରାମରେ ଥିବା ମହିଳା ଏସ୍ଏଚ୍ଜି ଗୃପ୍ ଠାରୁ ଋଣ କିସ୍ତି ଟଙ୍କା ସଂଗ୍ରହ କରି ଫେରୁଥିବା ବେଳେ ପିପିଲି ଥାନା ଅନ୍ତର୍ଗତ ନୂଆଶାସନ ଗ୍ରାମ ନିକଟରେ ୨ଜଣ ଦୁର୍ବୁତ୍ତ ଏକ ବାଇକ୍ରେ ଆସି ତାଙ୍କୁ ମାରଣାସ୍ତ୍ର ଦେଖାଇ ୭୧ ହଜାର ୧୮୦ ଟଙ୍କା, ଟାବଲେଟ୍ ଓ ମୋବାଇଲ୍ ଚାର୍ଜର ଭର୍ତ୍ତି ବ୍ୟାଗ୍ ଲୁଟି ନେଇ ଫେରାର ହୋଇଯାଇଥିଲେ। ଏନେଇ ଶ୍ରୀବେହେରା ପିପିଲି ପୁଲିସରେ ସେହିମାସ ୧୩ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ବିଭିନ୍ନ ଦିଗରୁ ତଦନ୍ତ କରିବା ପରେ ଏହି ଘଟଣାରେ ସଂପୃକ୍ତ ଥିବା ଏକ ଡକାୟତ ଗୋଷ୍ଠୀର ୨ଜଣ ସଦସ୍ୟ ତଥା ନିମାପଡା ଥାନା ସାତପୁରୀ ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧି ଟିକିନା ଓରଫ ଚତୁର୍ଭୁଜ ବାରିକ ଓ ଅସ୍ତରଙ୍ଗ ଥାନା ଆଳସାହି ଅଞ୍ଚଳର ଆଶିଷ ବେହେରାକୁ ସେହିମାସ ୧୬ ତାରିଖରେ ପିପିଲି ପୁଲିସ ଗିରଫ ପରେ କୋର୍ଟ ଚାଲାଣ କରିଥିଲା।
ପୁଲିସ ସେମାନଙ୍କ ଠାରୁ ଡକାୟତରେ ବ୍ୟବହୃତ ୨ଟି ବାଇକ୍ ସମେତ ନଗଦ ୧ଲକ୍ଷ ୫୫ହଜାର ଟଙ୍କା ଜବତ କରିଥିଲା। ସେମାନଙ୍କ ଠାରୁ ମିଳିଥିବା ସୁରାକ୍ ଓ ତାଙ୍କ ମୋବାଇଲ କଲ୍କୁ ଆଧାର କରି ଏହି ଘଟଣାରେ ଅଭିଯୋଗକାରୀ ନିଜେ ସଂପୃକ୍ତ ବୋଲି ପୁଲିସ ଜାଣିବାକୁ ପାଇଥିଲା। ପିପିଲି ଏସ୍ଡିପିଓ ବିରଞ୍ଚି ନାରାୟଣ ପତିଙ୍କ ନିର୍ଦ୍ଦେଶକ୍ରମେ ପିପିଲି ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାମଲାର ତଦନ୍ତକାରୀ ଅଧିକାରୀ ଏସ୍ଆଇ ଭାସ୍କର ମାଣିଆ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତ ଶାଶ୍ୱତ ବିନାୟକ ବେହେରା ଓ ଦୁର୍ଦ୍ଦାନ୍ତ ଅପରାଧି ଅନିଲ ସାହୁ ଓରଫ ବୁଲୁକୁ ଗିରଫ କରି ଆଜି ପିପିଲି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।



