BJD Bijuli 480×75 Mob

ଆରମ୍ଭ ହେବ ଅନଲାଇନ ପରୀକ୍ଷା ; ଶିକ୍ଷକଙ୍କୁ ମିଳିବ ପଦୋନ୍ନତି ସୁଯୋଗ

BJD Bijuli 480×75 Mob
0

ଭୁବନେଶ୍ୱର: ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ପ୍ରଶିକ୍ଷଣପ୍ରାପ୍ତ ସ୍ନାତକ ଡିଗ୍ରୀଧାରୀ ନିୟମିତ ହେବାର ୩ବର୍ଷ ପରେ ହାଇସ୍କୁଲ ଶିକ୍ଷକ ପଦ ପାଇଁ ଯୋଗ୍ୟ ବିବେଚିତ ହେବେ। ଅନଲାଇନରେ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇ ସେମାନେ ହାଇସ୍କୁଲ ଶିକ୍ଷକ ପଦକୁ ପଦୋନ୍ନତି ପାଇପାରିବେ। କ୍ୟାଡର ଭିତ୍ତିରେ ପଦୋନ୍ନତି ପାଇଁ ଏହି ଶିକ୍ଷକମାନଙ୍କୁ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ପରୀକ୍ଷାରେ ଯେଉଁମାନେ ଭଲ କରିବେ ସେମାନେ ହାଇସ୍କୁଲରେ ନିଯୁକ୍ତି ପାଇବେ। ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଶିକ୍ଷଣପ୍ରାପ୍ତ କଳା ଓ ବିଜ୍ଞାନ ଡିଗ୍ରୀଧାରୀ ଶିକ୍ଷକଙ୍କ ପାଇଁ ଏଭଳି ଏକ ଯୋଜନା ଚୂଡ଼ାନ୍ତ କରିଛନ୍ତି ସରକାର। ମାସେ ମଧ୍ୟରେ ଏ ନେଇ ବିଜ୍ଞାପନ ପ୍ରକାଶ ପାଇବ। ବୁଧବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏସଂକ୍ରାନ୍ତ ପ୍ରସ୍ତାବକୁ ବିଭାଗୀୟ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଅନୁମୋଦନ କରିଛନ୍ତି।
ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନେକ ଡିଗ୍ରୀଧାରୀ ପ୍ରଶିକ୍ଷଣପ୍ରାପ୍ତ ଶିକ୍ଷକ ଅଛନ୍ତି। ସେମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ହାଇସ୍କୁଲରେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଏହି ନୂତନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ନିଯୁକ୍ତି ପରେ ଏହି ଶିକ୍ଷକମାନେ ୬ ବର୍ଷରେ ନିୟମିତ ଶିକ୍ଷକ ମାନ୍ୟତା ପାଉଛନ୍ତି। ଅନ୍ୟୂନ ତିନିବର୍ଷ ନିୟମିତ ଶିକ୍ଷକ ଭାବେ କାର୍ଯ୍ୟ କରିଥିବା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ହାଇସ୍କୁଲ ଶିକ୍ଷକ ପଦ ପାଇଁ ପରୀକ୍ଷା ଦେଇପାରିବେ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ନିଜ ଦକ୍ଷତା ପ୍ରତିପାଦନ କଲେ ସେମାନେ ଏହି ପଦ ପାଇଁ ଯୋଗ୍ୟ ହେବେ। ଭଲ ଶିକ୍ଷକ ମିଳିଲେ ଶିକ୍ଷାଦାନ ବ୍ୟବସ୍ଥାରେ ଉନ୍ନତି ହେବ। ହାଇସ୍କୁଲକୁ ଆସିଲେ ସେମାନେ ଅଧିକ ବେତନ ମଧ୍ୟ ପାଇବେ। ହାଇସ୍କୁଲରେ ଖାଲିଥିବା ଶିକ୍ଷକ ପଦର ୩୦% ସ୍ଥାନରେ ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ।
ରାଜ୍ୟରେ ଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧ଲକ୍ଷ ୮୦ ହଜାର ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୭୦ହଜାର ହେଉଛନ୍ତି କଳା ଓ ବିଜ୍ଞାନରେ ଡିଗ୍ରୀଧାରୀ ପ୍ରଶିକ୍ଷଣପ୍ରାପ୍ତ(ଟିଜିଟି)। ହାଇସ୍କୁଲରେ ୩୦ହଜାର ଶିକ୍ଷକ ପଦ ଖାଲିଥିଲେ ଏହି ବ୍ୟବସ୍ଥା ମାଧ୍ୟମରେ ୧୦ହଜାର ଶିକ୍ଷକ ହାଇସ୍କୁଲରେ ନିୟୋଜିତ ହୋଇ ପାରିବେ। ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଆଦି ପଦକୁ କ୍ୟାଡର ଭିତ୍ତିରେ ପଦୋନ୍ନତି ପାଇଁ ସେମାନଙ୍କୁ ପ୍ରାୟ ୨୫ବର୍ଷ ଲାଗୁଥିଲା। ଏବେ ୯ ବର୍ଷ ପରେ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କୁ ଏହି ସୁଯୋଗ ମିଳିବ।

Leave A Reply