www.samajalive.in
Monday, December 15, 2025
14.1 C
Bhubaneswar

ସିଡ୍‌ନୀ ଟେଷ୍ଟରୁ ରୋହିତ ଓହରିଲେ; ନେତୃତ୍ବ ନେବେ ବୁମ୍‌ରା

ସିଡ୍‌ନୀ: ଶୁକ୍ରବାରଠାରୁ ସିଡ୍‌ନୀରେ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ ୫ମ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ରୁ ଅଧିନାୟକ ରୋହିତ ଶର୍ମା ଓହରି ଯାଇଛନ୍ତି ବୋଲି ରିପୋର୍ଟରୁ ପ୍ରକାଶ। ଏହି ମ୍ୟାଚ୍‌ରୁ ସେ ବିଶ୍ରାମ ନେବେ ବୋଲି ଗୁରୁବାର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଦଳ ସହ ଥିବା ମନୋନୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକରଙ୍କୁ ରୋହିତ ଜଣାଇ ଦେଇଛନ୍ତି ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ତେବେ କିଛି ସୂତ୍ରରୁ ପ୍ରକାଶ ଯେ ଖରାପ ବ୍ୟାଟିଂ ଫର୍ମ ଏବଂ ତାଙ୍କ ନେତୃତ୍ବରେ ଭାରତ ୩ଟିରୁ ୨ଟି ଟେଷ୍ଟ ହାରିବା ଯୋଗୁଁ ୫ମ ଟେଷ୍ଟରୁ ରୋହିତଙ୍କୁ ବାଦ୍‌ ଦିଆଯାଇଛି।

ଦଳ କିମ୍ବା ବିସିସିଆଇ ପକ୍ଷରୁ ଔପଚାରିକ ଭାବେ କିଛି କୁହା ଯାଇନାହିଁ। ରୋହିତଙ୍କ ସ୍ଥାନରେ ତାରକା ଫାଷ୍ଟବୋଲର ଯଶପ୍ରୀତ ବୁମ୍‌ରା ଏହି ଟେଷ୍ଟରେ ଭାରତର ନେତୃତ୍ବ ନେବେ। ୨ୟ ସନ୍ତାନର ଜନ୍ମ ସମୟରେ ରୋହିତ ଭାରତରେ ଥିବାରୁ ପର୍ଥରେ ପ୍ରଥମ ଟେଷ୍ଟରେ ବୁମ୍‌ରା ଭାରତର ନେତୃତ୍ବ ନେଇଥିଲେ। ଉକ୍ତ ଟେଷ୍ଟକୁ ଭାରତ ୨୯୫ ରନ୍‌ରେ ଜିତିଥିଲା।

- Advertisement -

ସିଡ୍‌ନୀ ଟେଷ୍ଟମ୍ୟାଚ୍‌ରେ ରୋହିତଙ୍କ ସ୍ଥାନରେ ଶୁବ୍‌ମାନ ଗିଲ୍‌ ଚୂଡ଼ାନ୍ତ ଏକାଦଶକୁ ଫେରିବା ନିଶ୍ଚିତ। ଗୁରୁବାର ଭାରତୀୟ ଦଳ ସିଡ୍‌ନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ଅଭ୍ୟାସ କରିଥିବା ବେଳେ ରୋହିତ ନେଟ୍‌ସରେ କିଛି ସମୟ ବ୍ୟାଟିଂ କରିଥିଲେ। ପରେ ମ୍ୟାଚ୍‌ ପୂର୍ବର ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ରୋହିତ ଶର୍ମା ଯୋଗଦେବାର ଥିଲା। ହେଲେ ଗମ୍ଭୀର ଆସିବା ଗଣମାଧ୍ୟମ ପ୍ରତନିଧିଙ୍କୁ ଚକିତ କରିଥିଲା।

ଏହା ବିଷୟରେ ସେମାନେ ପ୍ରଶ୍ନ କରିବାରୁ ଗମ୍ଭୀର କହିଥିଲେ- ମୁଖ୍ୟ ପ୍ରଶିକ୍ଷକ ଏଠାରେ ଅଛନ୍ତି। ଏହା ବୋଧହୁଏ ଯଥେଷ୍ଟ। ପରେ ରୋହିତ ଶର୍ମା ସିଡ୍‌ନୀ ଟେଷ୍ଟ ଖେଳିବା ନେଇ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ। ଜବାବରେ ଗମ୍ଭୀର କହିଥିଲେ- ରୋହିତ ଭଲ ଅଛନ୍ତି। ଆ​‌େ​‌ମ କାଲି ପିଚ୍‌ ଦେଖିବୁ; ଏହାପରେ ଚୂଡ଼ାନ୍ତ ଏକାଦଶ ନେଇ ନିଷ୍ପତ୍ତି ନେବୁ। ଏହାପରେ ରୋହିତଙ୍କ ପ୍ରସଙ୍ଗରେ ଗୌତମ କୌଣସି ପ୍ରଶ୍ନର ଜବାବ ଦେବାକୁ ମନା କରି ଦେଇଥିଲେ। ସନ୍ଧ୍ୟା​‌େ​‌ର ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ପାଇଥିଲା ଯେ ରୋହିତ ସିଡ୍‌ନୀ ଟେଷ୍ଟରୁ ଓହରି ଯାଇଛନ୍ତି। କିଛି ଗଣମାଧ୍ୟମ ରୋହିତଙ୍କୁ ୫ମ ଟେଷ୍ଟରୁ ‘ବାଦ୍‌ ଦିଆଯାଇଛି’ ଏବଂ ‘ବିଶ୍ରାମ ଦିଆଯାଇଛି’ ବୋଲି ମଧ୍ୟ ପ୍ରକାଶ କରିଥିଲେ।

ଚଳିତ ଶୃଙ୍ଖଳାରେ ରୋହିତ ଶର୍ମାଙ୍କ ପ୍ରଦର୍ଶନ ପରେ ତାଙ୍କ ଟେଷ୍ଟ ଜୀବନ ଶେଷ ହୋଇଯାଇଛି ବୋଲି ଅନେକ ଧରି ନେଇଥିଲେ। ତେବେ ସିଡ୍‌ନୀ ଟେଷ୍ଟରୁ ସେ ଓହରିଯିବେ ବୋଲି ବହୁତ କମ୍ ଲୋକ ଭାବିଥିଲେ। ଏହି ଶୃଙ୍ଖଳାରେ ରୋହିତ ୫ଟି ଇନିଂସରୁ ୬.୨ ଆଭ୍‌ରେଜରେ ମୋଟ ୩୧ ରନ୍‌ କରିଛନ୍ତି। ରନ୍‌ କରିବା ଅପେକ୍ଷା ଯେପରି ଭାବେ ସେ ଆଉଟ୍‌ ହୋଇଛନ୍ତି; ତାହାକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା।

ଟେଷ୍ଟ କ୍ରିକେଟ୍‌ରେ ତାଙ୍କ ବ୍ୟାଟିଂ ଟେକ୍‌ନିକ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଦିନିକିଆରେ ରୋହିତ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ ହୋଇପାରନ୍ତି; ଟେଷ୍ଟ କ୍ରିକେଟ୍‌ରେ ତାଙ୍କ ପ୍ରଦର୍ଶନ ଭଲ ନଥିଲା। ଚଳିତବର୍ଷ ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳାରେ ରୋହିତ ୨ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ମାରିଥିଲେ। ପରେ ରୋହିତଙ୍କ ନେତୃତ୍ବରେ ଭାରତ ପ୍ରଥମ ଥର ଘରୋଇମାଟିରେ ଏକ ଟେଷ୍ଟ ଶୃଙ୍ଖଳାର ସମସ୍ତ ମ୍ୟାଚ୍‌ ହାରିଥିଲା। ନ୍ୟୁଜିଲାଣ୍ଡ ୩-୦ରେ ଟେଷ୍ଟ ଶୃଙ୍ଖଳା ପୋଛି ନେଇଥିଲା। ୨୦୨୪ ମାର୍ଚ୍ଚରେ ଧର୍ମଶାଳାରେ ଇଂଲଣ୍ଡ ବିପକ୍ଷରେ ଶତକ (୧୦୩) ମାରିବା ପରେ ରୋହିତ ୧୫ଟି ଟେଷ୍ଟ ଇନିଂସରୁ ୧୦.୨୬ ଆଭ୍‌ରେଜରେ ମାତ୍ର ୧୫୪ ରନ୍‌ କରିଛନ୍ତି।

ଶେଷଥର ସିଡ୍‌ନୀ ଟେଷ୍ଟରେ ରୋହିତଙ୍କୁ ଖେଳାଇବା ଲାଗି ଗୌତମ ଗମ୍ଭୀରଙ୍କୁ ବିସିସିଆଇର ଜଣେ ପ୍ରଭାବଶାଳୀ କର୍ମକର୍ତ୍ତା ଅନୁରୋଧ କରିଥିଲେ। ହେଲେ ଗମ୍ଭୀର ଏପରି କରିବାକୁ ରାଜି ହୋଇନଥିଲେ। ବିସିସିଆଇ ମଧ୍ୟସ୍ଥ ଏକ ସୂତ୍ର ଅନୁସାରେ; ଭାରତ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଫାଇନାଲ ଖେଳିବା ଲାଗି ସିଡ୍‌ନୀ ଟେଷ୍ଟ ଜିତିବା ଗୁରୁତ୍ବପୂର୍ଣ୍ଣ। ତେଣୁ ରୋହିତ ଶର୍ମାଙ୍କ ପରି ଅଭିଜ୍ଞ ବ୍ୟାଟ୍‌ସମ୍ୟାନଙ୍କୁ ଏହି ମ୍ୟାଚ୍‌ ଖେଳାଇବାକୁ ବିସିସିଆଇର ପ୍ରଭାବଶାଳୀ କର୍ମକର୍ତ୍ତା ଅନୁରୋଧ କରିଥିଲେ। ତେବେ ସେ ଚୂଡ଼ାନ୍ତ ଏକାଦଶ ବାଛି ସାରିଛନ୍ତି କହି ଗମ୍ଭୀର ଏପରି କରିବା ପାଇଁ ସିଧା ମନା କରି ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories