ଭବାନୀପାଟଣା: ଧାନର କଟନି ଛଟନି ବନ୍ଦ, ଚାଷୀକୁ ଉଚିତ୍ ମୂଲ୍ୟ ପ୍ରଦାନ, ମଣ୍ଡିରୁ ନୂତନ ଏନାଲାଇଜର ମେସିନ ପ୍ରତ୍ୟାହାର ଆଦି ଦାବିରେ ଆଜି କଂଗ୍ରେସ ପକ୍ଷରୁ ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ବନ୍ଦ ଡାକରା ଦିଆଯାଇଛି। ଫଳରେ ଜିଲ୍ଲା ସଦର ମହକୁମା ସମେତ କେସିଙ୍ଗା ସହର ଏବଂ ସଦର ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ବନ୍ଦ ପାଳନ କରାଯାଉଛି। କଂଗ୍ରେସକର୍ମୀମାନେ ସହରର ବିଭିନ୍ନ ପ୍ରବେଶ ପଥ ଅବରୋଧ କରିଥିବା ଯୋଗୁଁ ୨୬ ନମ୍ୱର୍ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହେଇଛି। କେସିଙ୍ଗାରୁ ଭବାନୀପାଟଣା ସହରର ପ୍ରବେଶ ପଥରେ ବହୁ ଗାଡି ଅଟକି ରହିଛି। ସେହିଭଳି ବୋର୍ଡାରେ ରାସ୍ତା ଅବରୋଧ ଯୋଗୁଁ ଖଡ଼ିଆଳ ପଟୁ ଭବାନୀପାଟଣା ଯାତାୟାତ ବନ୍ଦ ରହିଛି। ସହରର ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି।



