ଆରମ୍ଭ ହେଲା ‘କିଶୋରୀ ଏକ୍ସପ୍ରେସ’, ଆନେମିଆମୁକ୍ତ ପାଇଁ ସୃଷ୍ଟି କରିବ ସଚେତନତା
କେନ୍ଦୁଝରଗଡ଼: କିଶୋରୀମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା, ବିଶେଷକରି ସେମାନଙ୍କୁ ଆନେମିଆମୁକ୍ତ କରିବା ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ‘କିଶୋରୀ ଏକ୍ସପ୍ରେସ’ର ଶୁଭାରମ୍ଭ କରାଯାଇଛି। ଯୋଡ଼ାମଣ୍ଡଳ ଖଣି ଉପନିର୍ଦ୍ଦେଶକ ଦୀନେଶ ଅଗ୍ରୱାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ କାଶିଆ ଖଣି ବିଭାଗ ମୁଖ୍ୟ ପ୍ରମୋଦ କୁମାର ପାତ୍ର, ଭଦ୍ରାସାହି ସରପଞ୍ଚ ପ୍ରମିଳା ନାଏକ ଏବଂ ଏମଡିଓ ମୁଖ୍ୟ ଏଚ୍.ଏନ୍. ସିଂହ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଏହି ଅତ୍ୟାଧୁନିକ ଭ୍ୟାନରେ ରକ୍ତ ପରୀକ୍ଷଣ, ଔଷଧ, ସାନିଟାରି ପ୍ୟାଡ଼ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସରଞ୍ଜାମ ଉପଲବ୍ଧ ରହିଛି। ଏହି ଭ୍ୟାନ ଗାଁ ଗାଁ ବୁଲି ସଚେତନ କରିବା ସହ ଆବଶ୍ୟକ ସ୍ୱାସ୍ଥ୍ୟ ପରାମର୍ଶ ଓ ସେବା ଯୋଗାଇବ। ଜିନ୍ଦଲ ଫାଉଣ୍ଡେସନର ଏହି ପଦକ୍ଷେପକୁ ମୁଖ୍ୟଅତିଥି ଶ୍ରୀ ଅଗ୍ରୱାଲ ବେଶ୍ ପ୍ରଶଂସା କରିଥିଲେ। ଆଗକୁ ଏହି କାର୍ଯ୍ୟକ୍ରମ ନିଶ୍ଚିତ ଭାବେ କିଶୋରୀ ମାନଙ୍କ ସ୍ୱାସ୍ଥ୍ୟକୁ ଉତ୍ତମ ରଖିବାରେ ସହାୟକ ହେବା ସହ ଏହି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ନିଶ୍ଚିତ ଭାବେ ପ୍ରେରଣାଦାୟୀ ହେବ ବୋଲି ସେ କହିଥିଲେ। ଯୋଡ଼ା-ବଡ଼ବିଲ ଅଞ୍ଚଳର କିଶୋରୀମାନଙ୍କୁ ଆନେମିଆମୁକ୍ତ କରିବା ପାଇଁ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
ଏହି ଅଭିଯାନରେ ଯୋଡ଼ା ଓ ବଡ଼ବିଲ ଅଞ୍ଚଳର ୧୯ଟି ପଞ୍ଚାୟତ ଅଧୀନ ୧୨୦ଟି ଗ୍ରାମର ପ୍ରାୟ ୯୦୦୦ କିଶୋରୀ ଉପକୃତ ହେବେ। ଅଙ୍ଗନବାଡ଼ି ଓ ସ୍କୁଲରେ ‘କିଶୋରୀ ଏକ୍ସପ୍ରେସ’ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସଙ୍ଗିନୀମାନେ ସହଯୋଗ କରିବେ। କିଶୋରୀମାନଙ୍କୁ ଲୌହସାରର ଅଭାବ ଓ ଏହାର ଅସୁବିଧା ସମ୍ପର୍କରେ ଅବଗତ କରାଯିବ। ସେମାନଙ୍କ ହିମୋଗ୍ଲୋବିନ ପରୀକ୍ଷଣ କରାଯାଇ ଆବଶ୍ୟକ ସ୍ୱାସ୍ଥ୍ୟ ପରାମର୍ଶ ଓ ଚିକିତ୍ସା ସେବା ଯୋଗାଇ ଦିଆଯିବ। ପରିଛନ୍ନତା ପାଇଁ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ପ୍ରସ୍ତୁତ ସାନିଟାରୀ ନାପକିନ୍ ‘ଶୁଭାଙ୍ଗୀ’ ମାଗଣାରେ ବିତରଣ କରାଯିବ।
ଆନେମିଆ ଓ ଅତି ଗୁରୁତର ଆନେମିଆ ରୋଗୀଙ୍କୁ ପୋଷଣ ସହାୟତା ଏବଂ ମଲ୍ଟି ଭିଟାମିନ ପ୍ରଦାନ କରାଯିବ। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସ୍ଥାନୀୟ ଗ୍ରାମବାସୀ, ଜେଏସପିଏଲର ଅଧିକାରୀ ଓ ଜିନ୍ଦଲ ଫାଉଣ୍ଡେସନର ସଦସ୍ୟମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଜିନ୍ଦଲ ଫାଉଣ୍ଡେସନର ‘କିଶୋରୀ ଏକ୍ସପ୍ରେସ ପ୍ଲସପ୍ଲସ’ ଓଡ଼ିଶା, ଝାଡ଼ଖଣ୍ଡ ଓ ହରିୟାଣାରେ ସଫଳ ସାବ୍ୟସ୍ତ ହୋଇଛି। ଏହି ପଦକ୍ଷେପ ପାଇଁ ଦେଶର ୭.୫ଲକ୍ଷ କିଶୋରୀ ଆନେମିଆମୁକ୍ତ ହୋଇସାରିଛନ୍ତି। ଅନୁଗୁଳରେ ‘କିଶୋରୀ ଏକ୍ସପ୍ରେସ ପ୍ଲସପ୍ଲସ’ ପାଇଁ ୫୩୭ ଗ୍ରାମର କିଶୋରୀ ଆନେମିଆମୁକ୍ତ ହୋଇସାରିଛନ୍ତି।
Comments are closed.