ପ୍ରେମ-ପ୍ରତାରଣା-ମୃତ୍ୟୁ: ଶୁଖୁନି ଭଉଣୀ ଆଖିରୁ ଲୁହ
ସମାଜ ଡିଜିଟାଲ ଡେସ୍କ: ପ୍ରଥମେ ପ୍ରେମ ପରେ ବିବାହର ପ୍ରତିଶ୍ରୁତି, ଶେଷରେ ପ୍ରତାରଣାର ଶିକାର ହୋଇ ଜୀବନ ହାରିଛନ୍ତି ଜଣେ ଯୁବକ। ଏହି ଘଟଣା ହେଉଛି କଟକ ମଙ୍ଗଳାବାଗ ଥାନା ଅନ୍ତର୍ଗତ ଥୋରିଆ ସାହି ନାୟକ ସାହିର। ଆଉ ଏହି ଫଟୋଟି ହେଉଛି ଶତ୍ରୁଘ୍ନ ମହାରଣାଙ୍କ ସାନ ପୁଅ ମୃତ ଜିତେନ୍ଦ୍ର ମହାରଣାଙ୍କର। ଛଅ ଭଉଣୀ ତିନି ଭାଇ ଭିତରେ ଜିତେନ୍ଦ୍ର ଥିଲେ ସବୁଠୁ ସାନ ଏବଂ ସବୁଠୁ ଗେହ୍ଲା। ଜିତେନ୍ଦ୍ର ପେଶାରେ ବଣିଆ କାରିଗର। ସମସ୍ତଙ୍କୁ ଆଦରି ରଖିବା ସହ ସବୁ ଭାଇ ଭଉଣୀଙ୍କ ଖବର ବୁଝୁଥିବା ଜିତେନ୍ଦ୍ର ଏବେ ଆଉ ଏ ଦୁନିଆରେ ନାହାନ୍ତି। ଆଉ ଏହାର କାରଣ ତାଙ୍କ ୧୫ ବର୍ଷର ଭଲପାଇବା। ଦୀର୍ଘ ୧୫ ବର୍ଷ ହେବ ଭଲପାଇ ବସିଥିଲେ କଟକ ମାଛୁଆ ବଜାର ଅଞ୍ଚଳର ଜଣେ ଯୁବତୀଙ୍କୁ। ଯୁବତୀଙ୍କୁ କଲେଜରେ ପାଠ ପଢ଼ାଇବାଠୁ ନେଇ ଜିତେନ୍ଦ୍ର ତାଙ୍କ ପାଇଁ କରିଥିଲେ ଅନେକ କିଛି। ହେଲେ ଯୁବତୀ ଜଣକ ଅନ୍ୟତ୍ର ବିବାହ କରିବେ ଓ ତାଙ୍କର ନିର୍ବନ୍ଧ ସରିଛି ବୋଲି ଜିତେନ୍ଦ୍ରଙ୍କୁ କହିଥିଲେ। ଆଉ ଏହାକୁ ସହ୍ୟ କରିପାରି ନ ଥିଲେ ଜିତେନ୍ଦ୍ର। ଶେଷରେ ସେ ଆତ୍ମହତ୍ୟାକୁ ଆପଣେଇ ନେଇଥିଲେ। ଯାହାକୁ ନେଇ ଏବେ ଜିତେନ୍ଦ୍ରଙ୍କ ବଡ଼ ଭାଇ କଟକ ମଙ୍ଗଳାବାଗ ଥାନାରେ ଏତଲା ଦାୟର କରିଛନ୍ତି।
ଏପଟେ ଭାଇ ଯିବାର ବାର ଦିନ ବିତି ଯାଇଥିଲେସୁଦ୍ଧା ଛଅ ଭଉଣୀଙ୍କ ଆଖିରୁ ଶୁଖିନି ଲୁହ। ଏବେ ବି ଭଉଣୀମାନେ ସାନଭାଇର ଫଟୋକୁ ଧରି ବାହୁନି ବାହୁନି କାନ୍ଦୁଛନ୍ତି। କିଏ ଆମ ଖବର ବୁଝିବ। ଆଉ କିଏ ଆମକୁ ପଚାରିବ। ଏମିତି ଅନେକ କଥା କହି ଭଉଣୀମାନେ ବାହୁନୁଥିବାବେଳେ ଭାଇ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ଆମ ଭାଇକୁ ସେ ଝିଅ ଯେପରି ଧୋକା ଦେଇ ଆମଠୁ ଛଡ଼େଇ ନେଇଛି ତାକୁ ମଧ୍ୟ ଉଚିତ ଦଣ୍ଡ ମିଳୁ ବୋଲି କାନ୍ଦି କାନ୍ଦି କହିଛନ୍ତି ଭଉଣୀମାନେ। ଏଥିସହ ନିଜ ଭାଇ ପାଇଁ ନ୍ୟାୟ ଭିକ୍ଷା କରିଛନ୍ତି।
Comments are closed.