ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ଗଠନ ହେବ ନୂଆ ଫୋର୍ସ

ଭୁବନେଶ୍ବର: ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ଗଠନ ହେବ ନୂଆ ଫୋର୍ସ। ଗୋଟିଏ କମ୍ପାନୀ ଆର୍ମଡ ପୁଲିସ ରିଜର୍ଭ(ଏପିଆର) ଫୋ ର୍ସ ଶିମିଳିପାଳ ସୁରକ୍ଷା ଦାୟିତ୍ଵରେ ରହିବେ। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ଚିଠି ଲେଖୁଛନ୍ତି। ଶିମିଳିପାଳ ବ୍ୟାଘ୍ର ଅଭୟାର 614 କୁ ସୁରକ୍ଷା ଯୋଗାଇବାରେ ଗୋଟିଏ କମ୍ପାନୀ ସଶସ୍ତ୍ର ପୁଲିସ ମୁତୟନ ଦେଶରେ ପ୍ରଥମ ଘଟଣା । ୧୩୧ ଜଣିଆ ସଶସ୍ତ୍ର ଏପିଆର ଟିମ୍ ଅଭୟାରଣ୍ୟକୁ ୨୪ ଘଣ୍ଟିଆ ନଜରରେ ରଖିବେ ।

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି ଶିମିଳିପାଳ ବାଘ ଅଭୟାରଣ୍ୟରେ ଦିନକୁ ଦିନ ବନ୍ୟଜନ୍ତୁଙ୍କ ଶିକାର ବଢ଼ିଚାଲିଛି। ଶିକାରୀଙ୍କ ଆକ୍ରମଣରେ ବନକର୍ମଚାରୀଙ୍କ ଜୀବନ ଯାଉଛି। ଏହି କାରଣରୁ ସରକାର ଏଭଳି ନିଷ୍ପଭି ନେଇଛନ୍ତି। ପୁଲିସ ରିଜର୍ଭ କମ୍ପାନୀରେ ଜଣେ କମାଣ୍ଡାଣ୍ଟ, ଜଣେ ଇନ୍ସପେକ୍ଟର, ୩ ସବଇନ୍ସପେକ୍ଟର, ୩ ଆସିଷ୍ଟାଣ୍ଟ ସବଇନ୍ସପେକ୍ଟର, ୩୦ ହାବିଲଦାର, ୩ ଡ୍ରାଇଭର ହାବିଲଦାର, ୮୭ ସିପାହି ଓ ୩ ଡ୍ରାଇଭରକୁ ମିଶାଇ ୧୩୧ ସଦସ୍ୟ ରହିବେ। ମୟୂରଭଞ୍ଜ ଏସପି ଏହାର ପ୍ରଶାସନିକ ଦାୟିତ୍ବ ତୁଲାଇବେ। ଏହାର ସମସ୍ତ ଖର୍ଚ୍ଚ ଜଙ୍ଗଲ ଓ ପରିବେଶ ବିଭାଗ ବହନ କରିବ।

ବନ୍ୟପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା କହିଛନ୍ତି, ଦେଶରେ ପ୍ରଥମ ଥର ପାଇଁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ସଶସ୍ତ୍ର ପୁଲିସ ବାହିନୀ ମୁତୟନ କରାଯିବ। ଏନେଇ ପ୍ରକ୍ରିୟା ଆରମ୍ଭ ହେଇଛି। ଶିମିଳିପାଳରେ ହାତୀ, ବାଘ, ବାର୍‌ହା ଭଳି ବିଭିନ୍ନ ଜୀବଜନ୍ତୁ ବାସ କରୁଛନ୍ତି। ହଜାର ହଜାର ପର୍ଯ୍ୟଟକ ଅଭୟାରଣ୍ୟକୁ ଭ୍ରମଣ କରୁଛନ୍ତି । ସୁରକ୍ଷା ଦୃଷ୍ଟିରୁ ସଶସ୍ତ୍ର ପୁଲିସ ବାହିନୀର ଆବଶ୍ୟକ‌ତା ଥିଲା। ଏହି ପୁଲିସ ରିଜର୍ଭ କମ୍ପାନୀ ଖୁବଶୀଘ୍ର ନିୟୋଜିତ ହେବେ।

Comments are closed.