ରାଷ୍ଟ୍ରଭକ୍ତ ଛାତ୍ର ଗଠନରେ ଶିଶୁ ମନ୍ଦିରର ଭୂମିକା ଗୁରୁତ୍ୱପୂର୍ଣ୍ଣ

କେନ୍ଦୁଝରଗଡ଼଼: ଜେଲରୋଡସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କେନ୍ଦୁଝରଗଡ଼଼ର ୩୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା ସମିତି ଉପସଭାପତି ପ୍ରିୟବ୍ରତ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟରେ ଜାତୀୟ ଶିକ୍ଷାନୀତି-୨୦୨୦ କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜେ ରାଜ୍ୟରେ ଚାଲିଥିବା ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ବର୍ଣ୍ଣନା କରିବା ସହ ଶିଶୁ ମନ୍ଦିର ମାନଙ୍କରେ ଯେଭଳି ଭାବେ ଉତ୍ତମ ଚରିତ୍ରବାନ ଓ ରାଷ୍ଟ୍ରଭକ୍ତ ଛାତ୍ରଛରତ୍ରୀ ଗଠନ କରାଯାଇ ପାରୁଛି ତାହାକୁ ଏବେ ରାଜ୍ୟ ସରକାର ଅନୁକରଣ କରୁଛନ୍ତି ବୋଲି କହିଥିଲେ। ବିଶ୍ୱ ହିନ୍ଦୁ ପରିଷଦର ରାଜ୍ୟ ସମ୍ପାଦକ ତଥା ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାରକ ମହେଶ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ସଂସ୍କାର ଓ ନୌତିକ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ କେବଳ ଶିଶୁ ବିଦ୍ୟା ମନ୍ଦିରରେ ପ୍ରଦାନ କରାଯାଏ ବୋଲି ମାର୍ଗଦର୍ଶନ କରିଥିଲେ। ତେଲକୋଇ ବିଧାୟକ ଡାକ୍ତର ଫକୀର ଚରଣ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ ଓ କେନ୍ଦୁଝରଗଡ଼଼ ନଗରପାଳ ନିକୁ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସଭା ପ୍ରାରମ୍ଭରେ ପରିଚାଳନା ସମିତି ସମ୍ପାଦକ ସୁଧାଂଶୁ ଶେଖର ପଣ୍ଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ ପ୍ରଧାନାଚାର୍ଯ୍ୟ ଅଲେଖ ମହାନ୍ତ ବାର୍ଷିକ ବିବରଣୀ ପାଠ କରିଥିଲେ। ଉକ୍ତ ଉତ୍ସବରେ ବିଦ୍ୟାଳୟର ଆଚାର୍ଯ୍ୟ ଉତ୍ତମ କୁମାର ପରିଡ଼ା ଓ ଦୀନବନ୍ଧୁ ସାହୁ ଅବସରଗ୍ରହଣ କରିବାକୁ ଯାଉଥିବା ପରିପ୍ରେକ୍ଷୀରେ ବିଦ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧନା କରାଯାଇଥିଲା। ଏଥିସହ ବିଦ୍ୟାଳୟର ପୁରାତନ ଛାତ୍ର ରଜତ କୁମାର ପଢ଼ିଆରୀ ନିକଟରେ ଓଡ଼ିଶା ପ୍ରଶାସନିକ ସେବାରେ କୃତିତ୍ୱ ହାସଲ କରିଥିବାରୁ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଗତ ହାଇସ୍କୁଲ ପରୀକ୍ଷାରେ ଏ-୧ ପାଇଥିବା ଛାତ୍ରଛାତ୍ରୀ, ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଧାନାଚାର୍ଯ୍ୟ ଶ୍ରୀ ମହାନ୍ତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା ବିଦ୍ୟାଳୟର ମୁଖ୍ୟପତ୍ର ‘ପ୍ରଜ୍ଞା ଭାରତୀ’ ଉନ୍ମୋଚନ କରାଯାଇଥିଲା।

Comments are closed.