ଜେଲରୁ ଫେରିଲା,ପ୍ରେମିକାକୁ ମାରି ୬ ଖଣ୍ଡ କରି ଫିଙ୍ଗିଲା

ଝାରସୁଗୁଡ଼ା : ପ୍ରତିଶୋଧ ପାଇଁ ପିଶାଚ ପାଲଟିଲା ପ୍ରେମିକ। ଯାହାକୁ ଦିନେ ମନପ୍ରାଣ ଦେଇ ଭଲ ପାଉଥିଲା ତାକୁ ସେ ୬ ଖଣ୍ଡ କରି ଏଣେତେଣେ ଫୋପାଡ଼ିଦେଲା। ଝାରସୁଗୁଡ଼ା ଜିଲାରୁ ପ୍ରେମିକାକୁ ଆଣି ହତ୍ୟା ପରେ ସୁନ୍ଦରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଅଙ୍ଗପ୍ରତ୍ୟଙ୍ଗଗୁଡିକୁ ଖଣ୍ଡଖଣ୍ଡ କରି ଫିଙ୍ଗିଦେବା ଭଳି ଛାତିଥରା ଖବର ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡକୁ ମନେ ପକାଇ ଦେଇଛି। ଆଇଜି ହିମାଂଶୁ ଲାଲ ଆଜି ଝାରସୁଗୁଡ଼ା ପୁଲିସ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘଟଣା ସଂପର୍କରେ ସୂଚନା ଦେଇଛନ୍ତି। ଝାରସୁଗୁଡ଼ା ବେହେରାମାଳ ସ୍ଥିତ ମାଉସୀ ଘରେ ଗତ କିଛି ଦିନ ହେବ ରହୁଥିବା ସଂପୃକ୍ତ ନାବାଳିକା ଗତ ୭ ତାରିଖରୁ ନିଖୋଜ ହୋଇଯାଇଥିଲେ। ଏ ନେଇ ନାବାଳିକାର ମାଉସୀ ଘର ଲୋକ ଝାରସୁଗୁଡ଼ା ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୁଲିସ କୃତ୍ରିମ ବୁଦ୍ଧିମତା(ଏଆଇ) ଏବଂ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚଳାଇଥିବାବେଳେ ସଂପୃକ୍ତ ନାବାଳିକାଙ୍କ ପୂର୍ବତନ ପ୍ରେମିକ କୁନୁ କିଶାନ ତାଙ୍କୁ ମାରି ଖଣ୍ଡଖଣ୍ଡ କରି ବ୍ରାହ୍ମଣୀ ନଦୀ ବାଲୁଘାଟ ଏବଂ ହନୁମାନବାଟିକା-ତରକେରା ରାସ୍ତାର ଗାଡ଼ିଆଟୋଲା ନିକଟରେ ଫୋଫାଡ଼ି ଦେଇଥିବା ଜଣାପଡ଼ିଥିଲା।
ସୂଚନାନୁସାରେ ୨୦୧୮ରେ ସଂପୃକ୍ତ ନାବାଳିକା ଓ ଅଭିଯୁକ୍ତ ସୁନ୍ଦରଗଡ଼ ଜିଲା ଧରୁଆଡିହିର କୁନୁ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ତେବେ ସଂପୃକ୍ତ ନାବାଳିକା ଗର୍ଭବତୀ ହେବା ପରେ ଲୁଚାଛପାରେ ତା’ର ଗର୍ଭ ନଷ୍ଟ କରାଯାଇଥିଲା। ଏନେଇ ୨୦୨୩ରେ ନାବାଳିକାଙ୍କ ପରିବାର ପକ୍ଷରୁ କୁନୁ ନାମରେ ଥାନାରେ ଅଭିଯୋଗ କରାଯାଇଥିଲା। ଏହି ମାମଲାରେ କୁନୁ କିଶାନକୁ ସୁନ୍ଦରଗଡ଼ ଧରୁଆଡିହି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗତ ୪ ତାରିଖରେ କୁନୁ ଜେଲରୁ ଜାମିନରେ ଆସିଥିଲା। ତେବେ ଜେଲରେ ଥିବା ବେଳେ ନାବାଳିକା ସହିତ ସେ ସଂପର୍କରେ ରହିଥିବା ଜଣାପଡ଼ଛି। ଜେଲରୁ ଆସିବା ପରେ ଝାରସୁଗୁଡ଼ା ବେହେରାମାଲରେ ମାଉସୀ ଘରେ ରହୁଥିବା ନାବାଳିକାକୁ ନେଇ କୁନୁ ଫେରାର ହୋଇଯାଇଥିଲା। ଏ ନେଇ ନାବାଳିକାର ମାଉସୀ ଘର ଲୋକ ଝାରସୁଗୁଡ଼ା ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ସିସିଟିଭି ଯାଞ୍ଚ ସମୟରେ ଚଳିତ ମାସ ୭ ତାରିଖରେ ଦୁଇଜଣ ଯୁବକ ସଂପୃକ୍ତ ନାବାଳିକାକୁ ବାଇକରେ ସୁନ୍ଦରଗଡ଼଼ ଅଭିମୁଖେ ନେଇଥିବା ପୁଲିସ ଜାଣିବାକୁ ପାଇଥିଲା। ସେମାନଙ୍କୁ ପିଛା କରି ଆଜି ଟାଉନ ଥାନା ପୁଲିସ ସୁନ୍ଦରଗଡ଼଼ ଲେଫ୍ରିପଡ଼ା ଥାନା ଅନ୍ତର୍ଗତ କୁନୁ ପାଖରେ ପହଞ୍ଚିଥିଲା। ପୁଲିସ ଆଗରେ କୁନୁ ନାବାଳିକାକୁ ଲାଠିକଟା ଥାନା ଅନ୍ତର୍ଗତ ରାଉରକେଲା- ଦେବଗଡ଼ ୧୪୩ ଜାତୀୟ ରାଜପଥରେ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରିଥିବା ସ୍ବୀକାର କରିଥିଲା। ଦୁଇ ହାତ, ଦୁଇ ଗୋଡ଼କୁ କାଟିବାକୁ ପରେ ମୁଣ୍ଡ ଗଣ୍ଡିକୁ ଅଲଗା କରି ଏହି ଖଣ୍ଡଗୁଡିକୁ ନଦୀ ଓ ନାଳରେ ଫୋପାଡ଼ି ଦେଇଥିବା କହିଥିଲା। ରଘୁନାଥପାଲି ଥାନା ଅନ୍ତର୍ଗତ ତରକେରା ନାଳ ଓ ବ୍ରାହ୍ମଣୀ ନଦୀ ବାଲୁଘାଟରେ ନାବାଳିକାର ଖଣ୍ଡ ବିଖଣ୍ଡିତ ଶରୀରକୁ ଫୋପାଡ଼ିଥିବା ଜାଗାକୁ ଦେଖାଇଥିଲା। ପୁଲିସ, ଓଡ୍ରାଫ ଏବଂ ସାଇଣ୍ଟିଫିକ୍‍ ଟିମ ଖୋଜାଖୋଜି କରିବା ପରେ ନାବାଳିକାର କଟା ମୁଣ୍ଡ, ହାତ ଓ ଗୋଡ଼କୁ ସହିତ ଧାରୁଆ ଅସ୍ତ୍ର ଓ ପୋଷାକକୁ ଜବତ କରିଥିଲା। ଝାରସୁଗୁଡ଼ା ପୁଲିସ ଅଧୀକ୍ଷକଙ୍କ କହିବାନୁସାରେ ଅଭିଯୁକ୍ତ ଖସିବା ପାଇଁ ବ୍ୟବହାର କରିଥିବା ମୋଟରସାଇକଲର ନମ୍ବର ପ୍ଲେଟ ବଦଳାଇବା ସହିତ, ଷ୍ଟିକର ଏବଂ ହେଲମେଟ୍‌ ମଧ୍ୟ ବଦଳାଇ ଦେଇଥିଲା। ପୁଲିସ ଏଆଇ ମାଧ୍ୟମରେ ମୁଖ୍ୟ ଅଭିଯୁକ୍ତକୁ ଧରିବା ସହିତ ତାକୁ ସହଯୋଗ କରିଥିବା ନାବାଳକକୁ ମଧ୍ୟ ଗିରଫ କରିଛି। ଜବତ ହୋଇଥିବା ଖଣ୍ଡ ବିଖଣ୍ଡିତ ଶରୀରକୁ ପରିବାର ଲୋକ ଚିହ୍ନିବା ସହିତ ପରୀକ୍ଷା ପାଇଁ ପଠାଯାଇଛି ବୋଲି ପୁଲିସ କହିଛି। ତେବେ ପ୍ରେମର ଏହି କରୁଣ ପରିଣତି ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରି ଦେଇଛି।

Comments are closed.