ଆଜି ଚୈତ୍ର ନବରାତ୍ରର ୬ଷ୍ଠ ଦିନ: ଜାଣନ୍ତୁ ମା’ କାତ୍ୟାୟନୀଙ୍କ ପୂଜା ବିଧି ଓ ଏହାର ଶୁଭ ଫଳ

ସମାଜ ଡିଜିଟାଲ ଡେସ୍କ: ଆଜି ଗୁରୁବାର ହେଉଛି ଚୈତ୍ର ନବରାତ୍ରର ଷଷ୍ଠ ଦିବସ। ଏହି ଦିନରେ ନବଦୁର୍ଗାଙ୍କ ଷଷ୍ଠ ସ୍ବରୂପ ମା’ କାତ୍ୟାୟନୀଙ୍କ ପୂଜା କରାଯାଏ। ମା’ କାତ୍ୟାୟନୀଙ୍କ ଜନ୍ମ କାତ୍ୟାୟନ ଋଷିଙ୍କ ଘରେ ହୋଇଥିଲା। ଏଥିପାଇଁ ତାଙ୍କୁ କାତ୍ୟାୟନୀ କୁହାଯାଏ।

ମା’ଙ୍କ ଚତୁର୍ଭୁଜରେ ଅସ୍ତ୍ରଶସ୍ତ୍ର ଏବଂ ପଦ୍ମ ପୁଷ୍ପ ରହିଥାଏ। ମା’ ବାହନ ସିଂହ। ମା’ ବ୍ରଜମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ ଅଟନ୍ତି। ଗୋପୀମାନେ କୃଷ୍ଣଙ୍କ ପ୍ରାପ୍ତି ଲାଗି ମା’ କାତ୍ୟାୟନୀଙ୍କ ପୂଜା କରିଥିଲେ। ବିବାହ ସମ୍ବନ୍ଧୀୟ ବିଷୟରେ ମା’ଙ୍କ ପୂଜା ଭଲ ଫଳ ପ୍ରଦାନ କରିଥାଏ ବୋଲି ବିଶ୍ଵାସ ରହିଛି। ମା’ଙ୍କ କୃପାରେ ଯୋଗ୍ୟ ଏବଂ ମନପସନ୍ଦର ବର ପ୍ରାପ୍ତି ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତି ଗ୍ରହ ସହିତ ମା’ଙ୍କ ସମ୍ବନ୍ଧ ରହିଥିବା କୁହାଯାଏ।

ମା’ କାତ୍ୟାୟନୀଙ୍କ ପୂଜାରୁ କ’ଣ ଲାଭ ମିଳେ:

କନ୍ୟାମାନଙ୍କ ଶୀଘ୍ର ବିବାହ ଲାଗି ମା’ କାତ୍ୟାୟନୀଙ୍କ ପୂଜା ଅଦ୍ଭୁତ ଫଳ ପ୍ରଦାନ କରିଥାଏ। ମନ ପସନ୍ଦର ବିବାହ ଏବଂ ପ୍ରେମ ବିବାହ ପାଇଁ ବି ମା’ଙ୍କ ଉପାସନା କରାଯାଏ। ବୈବାହିକ ଜୀବନରେ ସୁଖ ଶାନ୍ତି ପାଇଁ ବି ମା’ଙ୍କ ପୂଜା ଫଳଦାୟୀ ହୋଇଥାଏ। ଯଦି କୁଣ୍ଡଳୀରେ ବିବାହ ଯୋଗ ନ ଥାଏ, ତେବେ ବି ବିବାହ ହୋଇଯାଏ ବୋଲି ବିଶ୍ଵାସ ରହିଛି।

କିପରି କରିବେ ପୂଜା:

ଗୋଧୂଳି ସମୟରେ ହଳଦିଆ ଅଥବା ନାଲି ରଙ୍ଗର ବସ୍ତ୍ର ପରିଧାନ କରି ମା’ କାତ୍ୟାୟନୀଙ୍କ ପୂଜା କରିବା ଉଚିତ। ମା’ଙ୍କୁ ହଳଦିଆ ରଙ୍ଗର ଫୁଲ ଏବଂ ସେହି ରଙ୍ଗର ନୈବେଦ୍ୟ ଅର୍ପଣ କରନ୍ତୁ। ମା’ଙ୍କୁ ମହୁ ଅର୍ପଣ କରିବା ବିଶେଷ ଶୁଭ ବୋଲି ଧରାଯାଏ। ମା’ଙ୍କୁ ସୁଗନ୍ଧିତ ପୁଷ୍ପ ଅର୍ପଣ କରିବା ଦ୍ବାରା ଶୀଘ୍ର ବିବାହ ଯୋଗ ଆସିଥାଏ। ଏହା ସହିତ ପ୍ରେମ ସମ୍ବନ୍ଧୀୟ ବାଧାବିଘ୍ନ ମଧ୍ୟ ଦୂର ହୋଇଥାଏ। ପୂଜା ସମୟରେ ମା’ଙ୍କ ସମ୍ମୁଖରେ ତାଙ୍କ ମନ୍ତ୍ର ଜପ କରନ୍ତୁ।

ପୂଜା କରିବାର ଶୁଭ ମୁହୂର୍ତ୍ତ

ମା’ କାତ୍ୟାୟନୀଙ୍କ ପୂଜା ପାଇଁ ଆଜି ଅର୍ଥାତ ଏପ୍ରିଲ ୩ ତାରିଖ ସକାଳ ୭ଟା ୨ ମିନିଟରୁ ଶୁଭ ମୁହୂର୍ତ୍ତ ରହିଛି। ସମ୍ପୂର୍ଣ୍ଣ ଦିନଟି ପୂଜା ପାଇଁ ଶୁଭ ଅଟେ।

ନବରାତ୍ରିର ଷଷ୍ଠ ଦିବସରେ କେଉଁ ଭୋଗ ଅର୍ପଣ କରିବେ:

ନବରାତ୍ରର ଷଷ୍ଠ ଦିବସରେ ଅର୍ଥାତ ଆଜି ଏପ୍ରିଲ ୩ ତାରିଖରେ ମା’ଙ୍କୁ ମହୁ ଭୋଗ ଅର୍ପଣ କରନ୍ତୁ। ଏହାକୁ ପ୍ରସାଦ ରୂପେ ସମସ୍ତଙ୍କୁ ବାଣ୍ଟନ୍ତୁ। ଏହାଦ୍ବାରା ସମସ୍ତ ମନୋକାମନା ପୂରଣ ହୁଏ ବୋଲି ବିଶ୍ଵାସ ରହିଛି।

Comments are closed.