ଆଠଗଡ:ଆଠଗଡ ଦେବୋତ୍ତର ବିଭାଗ ତତ୍ତ୍ଵାବଧାନରେ ଥିବା ରାଜାରାଜୁଡା ଅମଳର ଜେନାପଦାସ୍ଥିତ ଶ୍ରୀଗୋପିନାଥ ଜୀଉଙ୍କ ମନ୍ଦିର ବହୁ ପୁରାତନ ମନ୍ଦିର। ପ୍ରାୟ ୧୫୦ ବର୍ଷର ଏହି ପ୍ରାଚୀନ ମନ୍ଦିରଟି ରାଜା ବିଶ୍ଵନାଥ ଦେବବର୍ମାଙ୍କ ଶାସନ କାଳରେ ପ୍ରତିଷ୍ଠିତ ହୋଇଥିବାବେଳେ ଏଥିରେ ପ୍ରଭୁ ଶ୍ରୀ ଗୋପୀନାଥ ଦେବ ଓ ଶ୍ରୀ ରାଧାରାଣୀ ପୂଜା ହୋଇଆସୁଛନ୍ତି । ଆଖପାଖ ଅଞ୍ଚଳରେ ୫-୬ ଖଣ୍ଡ ଗାଁ ଲୋକେ ଏହି ମନ୍ଦିରକୁ ପୂଜାର୍ଚ୍ଚନା କରିବା ପାଇଁ ଆସନ୍ତି। ଠାକୁରଙ୍କର ମଧ୍ଯ ଅନେକ ସମ୍ପତ୍ତି ଅଛି ଯାହା ତତ୍କାଳୀନ ଆଠଗଡ ରାଜା ବିଶ୍ଵନାଥ ଦେବବର୍ମା ମନ୍ଦିର ନାମରେ କରିଦେଇଥିବା ଗ୍ରାମର ପୁରୁଖା ଲୋକଙ୍କ ଠାରୁ ସୂଚନା ମିଳିଛି ।
ଦେବୋତ୍ତର ପ୍ରଶାସନ ଦାୟିତ୍ୱ ନେବା ଦିନଠାରୁ ମନ୍ଦିରର ସମସ୍ତ ସମ୍ପତ୍ତି ବିଭାଗ ହାତକୁ ଯାଇଛି । କିନ୍ତୁ ଆଠଗଡ ଦେବୋତ୍ତର ବିଭାଗ ଏହି ପ୍ରାଚୀନ ମନ୍ଦିରର ରକ୍ଷଣାବେକ୍ଷଣ ଠିକ୍ ଭାବରେ କରୁନଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ କରୁଛନ୍ତି । ଦେବୋତ୍ତର ବିଭାଗର ଅବହେଳା ଓ ରକ୍ଷଣାବେକ୍ଷଣ ଲାଗି ଇଛାଶକ୍ତିର ଅଭାବ ଯୋଗୁଁ ଏହି ପୁରାତନ ମନ୍ଦିର ଭିତରପଟ ଛାତରୁ ବଡ ବଡ ସିମେଣ୍ଟ ପଲସ୍ତରା ଖଣ୍ଡ ଖଣ୍ଡ ହୋଇ ତଳେ ପଡୁଛି । ଫଳରେ ମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । ଏହାଛଡା ଠାକୁରଙ୍କର ଦେବନୀତି ପାଇଁ ମନ୍ଦିର ବେଢ଼ାରେ ଏକ କୁଅ ଅଛି, ଯାହା ସଫେଇ ଓ ଠିକ୍ ରୂପେ ଦେଖାରେଖ ହେଉ ନଥିବାରୁ ଏବେ ଆବର୍ଜନାମୟ ହୋଇ ଜଳ ଦୁଷିତ ହୋଇ ବ୍ୟବହାର ଅନୁପଯୋଗୀ ହୋଇ ପଡିଛି ।
ଗୋଟିଏ ପଟରେ ରାଜ୍ୟ ସରକାର ମନ୍ଦିରର ଉନ୍ନତିକରଣ ନିମନ୍ତେ କୋଟି କୋଟି ଟଙ୍କାର ପ୍ରକଳ୍ପ ହାତକୁ ନେଉଛନ୍ତି, ଆଉ ଗୋଟିଏ ପଟରେ ବହୁ ପ୍ରାଚୀନ ମନ୍ଦିର ଅବହେଳିତ ହୋଇପଡିଛି । ଜେନାପଦା ଅଞ୍ଚଳର ପ୍ରତିଷ୍ଠିତ ଦିଅଁ ଗୋପୀନାଥ ଜୀଉଙ୍କ ମନ୍ଦିରର ବାସ୍ତବ ସ୍ଥିତି କଥା ନକହିଲେ ଭଲ। ଏମିତି କି ଆଠଗଡ ଦେବୋତ୍ତର ବିଭାଗର କୌଣସି କର୍ମଚାରୀ ମନ୍ଦିରର ସ୍ଥିତି କଣ ଅଛି କଣ ନାହିଁ ତାହା ପରଖିବାକୁ କେବେବି ଦେଖିବାକୁ ଯାଆନ୍ତି ନାହିଁ ଏବଂ ମନ୍ଦିରର ସ୍ଥିତି ସମ୍ପର୍କରେ ସେବାୟତଙ୍କ ସୂଚନା ଓ ଅଭିଯୋଗକୁ ମଧ୍ଯ ଗୁରୁତ୍ଵ ଦେଉନାହାନ୍ତି ।
ଆଠଗଡ଼ ଉପଜିଲ୍ଲାପାଳ ନିଜେ ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ହୋଇଥିଲେ ମଧ୍ୟ ବିଭାଗ ଅଧିନରେ ଥିବା ମନ୍ଦିରଗୁଡିକ ମଧ୍ୟରୁ ନିର୍ଦ୍ଦିଷ୍ଟ କେତୋଟି ମନ୍ଦିରକୁ ଛାଡିଦେଲେ ଶ୍ରୀ ଗୋପୀନାଥଙ୍କ ମନ୍ଦିର ଭଳି ଅନ୍ୟ ମନ୍ଦିରର ବାସ୍ତବ ସ୍ଥିତି ଓ ଅବସ୍ଥା ବୁଝିବାକୁ ଚେଷ୍ଟା କରନ୍ତି ନାହିଁ । ସଂପ୍ରତି ଆଠଗଡରେ ନୂତନ ଭାବେ ଜଣେ ଭାରତୀୟ ପ୍ରଶାସନିକ ଅଧିକାରୀ ପ୍ରହଲ୍ଲାଦ ନାରାୟଣ ଶର୍ମା ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ଯନିର୍ବାହୀ ଅଧିକାରୀ ଭାବେ କାର୍ଯ୍ଯଭାର ଗ୍ରହଣ କରିଥିବାରୁ ସେ ପ୍ରାଚୀନ ଶ୍ରୀ ଗୋପୀନାଥ ମନ୍ଦିର ପ୍ରତି ଦୃଷ୍ଟି ଦେଇ ଏହାର ଉନ୍ନତିକରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।



