ଆଠଗଡ କଲେଜରେ ଆଇନ ସଚେତନତା
ଆଠଗଡ : ଆଠଗଡ ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ଗୁରୁବାର ଗୋପବନ୍ଧୁ ବିଜ୍ଞାନ କଲେଜ ପ୍ରେକ୍ଷାଗୃହରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ନାଗରିକଙ୍କ ମୌଳିକ କର୍ତ୍ତବ୍ୟ ଓ ଅଧିକାର, ପକ୍ସୋ ଆଇନ ଓ ବାଳ ଅପରାଧ ଆଇନ ସମ୍ପର୍କିତ ଏହି ସଚେତନତା ଶିବିରକୁ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲା ଓ ଦୌରାଜଜ ରାଜକୁମାର ଦାସ ଉଦଘାଟନ କରିବା ସହ ଏଥିରେ ଅଧ୍ୟକ୍ଷତା କରିଥିଲେ । ଏଡିଜେ ଶ୍ରୀ ଦାସ ନିଜ ବକ୍ତବ୍ଯରେ ପକ୍ସୋ ଆଇନ ନାବାଳକଙ୍କ ପ୍ରତି ହେଉଥିବା ଯୌନ ଶୋଷଣ ଓ ନିର୍ଯାତନା ରୋକିବା ଲାଗି ଅଭିପ୍ରେତ ଏବଂ ଏହି ଆଇନର ବିଭିନ୍ନ ଦିଗ ଓ ଦଣ୍ଡ ବ୍ୟବସ୍ଥା ବିଷୟରେ ଆଲୋକପାତ କରିଥିଲେ । ସେହିପରି ନାବାଳକମାନେ ଅପରାଧ କଲେ ସେମାନଙ୍କ ପାଇଁ ବାଳ ଅପରାଧ ଆଇନରେ ଥିବା ଦଣ୍ଡ ଓ ଚରିତ୍ର ସୁଧାର ବ୍ୟବସ୍ଥା ବିଷୟରେ ଏଡିଜେ ଓ ଅନ୍ଯ ଆଇନଜୀବୀମାନେ ଅବତାରଣା କରିଥିଲେ ।
ଏଡିଜେ ଦାସଙ୍କ ସମେତ ଆଇନଜୀବୀ ପ୍ରସନ୍ନ କୁମାର ରାଉତ, ଶ୍ରୀନିବାସ ଦାସ, ଜ୍ଞାନ ପ୍ରକାଶ ଧଳସାମନ୍ତ ଓ ସୁପ୍ରଭା ଦୋରା ପ୍ରମୁଖ ନାଗରିକଙ୍କ କର୍ତ୍ତବ୍ଯ ଓ ଅଧିକାର, ପକ୍ସୋ ଆଇନ ଓ ବାଳ ଅପରାଧ ଆଇନ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ । କଲେଜର ଅଧ୍ୟକ୍ଷ ଡ.ଲୋକନାଥ ସାହୁ ସ୍ଵାଗତ ଭାଷଣ ଦେଇ ଏହିଭଳି ସଚେତନତା ଶିବିର ଆୟୋଜନ ଦ୍ବାରା କଲେଜର ଛାତ୍ରଛାତ୍ରୀ ବିଭିନ୍ନ ଆଇନ ବିଷୟରେ ଅବଗତ ହେବା ସହ ଉପକୃତ ହୋଇପାରିବେ ବୋଲି ମତପ୍ରକାଶ କରିଥିଲେ । ଅଧ୍ୟାପକ ଡ.ଗୌତମବୁଦ୍ଧ ସୀତାରାମ, ଦେବେଶ ନନ୍ଦନ ରଥ, ଦେବାଶିଷ ପଟ୍ଟନାୟକ ଓ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଆଇନଜୀବୀ ଧଳସାମନ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଆଇନଜୀବୀ ଦୋରା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.