ପଲିଥିନ ତଳେ ବିତିଗଲାଣି ୨୦ ବର୍ଷ, ମିଳୁନି ସହାୟତା
କଲମପୁର : ଯୋଜନା କାହା ପାଇଁ ? ପ୍ରକୃତ ହିତାଧୀକାରୀଙ୍କୁ ମିଳୁନି ଏଠି ସରକାରୀ ସହାୟତା । ବୟସର ଅପରାନ୍ନରେ ବି ମିଳି ପାରୁନି ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡେ । ଶୀତକାକରେ ଛିଣ୍ଡା ପଲିଥିନ ତଳେ କଟୁଛି ଜୀବନ । ଏମିତି ଦୟନୀୟ ଅବସ୍ଥାରେ ଘର ଖଣ୍ଡେ ପାଇବାକୁ ବାରମ୍ବାର ଅଫିସକୁ ଦୌଡି ଦୌଡି ନୟାନ୍ତ ହୋଇଛନ୍ତି କଳାହାଣ୍ଡି ଜିଲା ଜୟପାଟଣାର ୭୭ ବର୍ଷୀୟ ବୃଦ୍ଧା ମିଳାପ ବାଇ ।
ମୁଣ୍ଡ ଗୁଞ୍ଜିବାକୁ ପକ୍କାଘର ଖଣ୍ଡିଏ ନାହିଁ । ଛିଣ୍ଡା ଦଦରା ପଲିଥିନ ଟାଣି ମୁଣ୍ଡ ଗୁଞ୍ଜିଛନ୍ତି ୩ ପ୍ରାଣୀ କୁଟୁମ୍ବ । ଘର ଭିତରୁ ଚାହିଁଲେ ଦିନରେ ସୂର୍ଯ୍ୟ, ରାତିରେ ତାରା ଦେଖାଯାଉଛି। ହାଡଭଙ୍ଗା ସିତରେ ଏ ଛିଣ୍ଡା ପଲିଥିନରେ ରହିବାଯେ କେତେ କଷ୍ଟ ତାହା ଏହି ଅଭାବୀ ପରିବାର ହିଁ ବୁଝିପାରିବ । କଳାହାଣ୍ଡି ଜିଲା ଜୟପାଟଣା ସ୍ଥିତ ଆରଏମସି(RMC) ପଡିଆରେ ଦୀର୍ଘ ୨୦ ବର୍ଷ ହେଲା ଏମିତି ପଲିଥିନ ତଳେ ଜୀବନ ବିତାଉଛନ୍ତି ୭୭ ବର୍ଷୀୟ ମିଲାପ ବାଇଙ୍କ ପରିବାର । ଖରା, ବର୍ଷା, ଶୀତ ସବୁ ଏଇଠି ବିତୁଛି । ଗରିବଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ସରକାର କରିଥିବା ଯୋଜନା ଏମାନଙ୍କ ପାଇଁ ଯେମିତି ସାତ ସପନ ।
ନୂଆପଡା ଜିଲା ମାଲପଡା ଗାଁର ମିଲାପ ବାଇ ତାଙ୍କ ସ୍ବାମୀ ସହ ୫୦ବର୍ଷ ପୂର୍ବେ ଚାଲି ଆସି ଜୟପାଟଣାରେ ରହି ଆସୁଛନ୍ତି । ମିଲାପଙ୍କ ପୁଅ ଶାନ୍ତାରାମଙ୍କୁ ୨ ବର୍ଷର ହୋଇଥିବାବେଳେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଯାଇଥିଲା । ଏହାପରେ ମିଲାପ କୁଲି ମଜୁରି କରି ପରିବାର ପ୍ରତିପୋଷଣ କରୁଥିଲେ । ଏବେ ମିଲାପଙ୍କ ସହ ତାଙ୍କ ୪୫ ବର୍ଷୀୟ ପୁଅ ଓ ୨୫ ବର୍ଷୀୟ ନାତି ଏହି ପଲିଥିନ ଘରେ ରହୁଥିବା ବେଳେ ନିଜର ଘରଡିହ ଖଣ୍ଡେ ନ ଥିବାରୁ ସରକାରୀ ଘରଖଣ୍ଡେ ମଧ୍ୟ ମିଳିପାରୁନାହିଁ । ଫଳରେ ଏମିତି କଷ୍ଟସାଧ୍ୟ ଜୀବନ କାଟୁଛନ୍ତି ଏହି ଗରିବ ଅସହାୟ ପରିବାର । ସେପଟେ ସରକାରୀ ସହାୟତା କହିଲେ କେବଳ ମିଲାପ ବାଇଙ୍କୁ ମିଳୁଥିବା ୫ କେଜି ଚାଉଳ ଓ ୧୦୦୦ ଟଙ୍କା ଭତ୍ତା, ତାଙ୍କ ପୁଅ ଓ ନାତିଙ୍କ ଆଧାର କାର୍ଡ ଜୟପାଟଣା ସ୍ଥାୟୀ ବାସିନ୍ଦା ହିସାବରେ ହୋଇପାରୁନଥିବାରୁ ସେମାନେ ଚାଉଳ ପାଇବାରୁ ବଞ୍ଚିତ ହେଉଥିବାରୁ ୩ ପ୍ରାଣୀ କୁଟୁମ୍ବ ପାଇଁ ୫କେଜି ଚାଉଳ ସମୁଦ୍ରକୁ ଶଙ୍ଖେ ଭଳି ହେଉଛି ।
Comments are closed.