ତାରାର ମୃତ୍ୟୁରେ ଆମର ଜୀବନ
ସତ୍ୟବ୍ରତ ପାଣିଗ୍ରାହୀ
ପ୍ରଖ୍ୟାତ କବି ୱାଲ୍ଟ ୱିଟମ୍ୟାନ ତାଙ୍କ କବିତା “ଲିଭ୍ସ ଅଫ୍ ଗ୍ରାସ”ରେ କହିଥିଲେ, “ମୁଁ ବିଶ୍ୱାସ କରେ ଯେ ଗୋଟିଏ ଘାସ ପତ୍ରରେ ମଧ୍ୟ ତାରାମାନଙ୍କର ଜୀବନଚକ୍ରର ପ୍ରଭାବ ରହିଛି।” ଏହା କହିବାର ତାତ୍ପର୍ଯ୍ୟ ହେଉଛି, ଆମ ସମସ୍ତଙ୍କ ଉତ୍ପତ୍ତି ତାରାମାନଙ୍କଠାରୁ। ପୃଥିବୀ ପୃଷ୍ଠରେ ଜୀବନର ଉତ୍ପତ୍ତି ଓ ବିବର୍ତ୍ତନ ପ୍ରକ୍ରିୟାରେ ରାତ୍ରି ଆକାଶରେ ଦିକ୍ ଦିକ୍ ଜଳୁଥିବା ଏହି ନକ୍ଷତ୍ରଗୁଡ଼ିକର ବଡ଼ ଅବଦାନକୁ ଅଣଦେଖା କରିହେବ ନାହିଁ। ଏହି ପରିପ୍ରେକ୍ଷୀରେ ପ୍ରସିଦ୍ଧ ଆମେରିକୀୟ ଜ୍ୟୋତିର୍ବିଜ୍ଞାନୀ କାର୍ଲ ସାଗନ୍ ଏକଦା ବହୁ ଚର୍ଚ୍ଚିତ ଟେଲିଭିଜନ ସିରିଜ୍ “କସମସ୍”ରେ ଉଲ୍ଲେଖ କରିଥିଲେ, “ଆମ ଭିତରେ ହିଁ ସାରା ବ୍ରହ୍ମାଣ୍ଡ ରହିଛି। ଆମେ ସବୁ ତାରାମାନଙ୍କଠାରୁ ସୃଷ୍ଟ। ତେଣୁ ବ୍ରହ୍ମାଣ୍ଡକୁ ଜାଣିବା ପାଇଁ ହେଲେ ଆମେ ନିଜକୁ ଜାଣିବାକୁ ପଡ଼ିବ।”
ପଦାର୍ଥ ବିଜ୍ଞାନ ଅନୁଯାୟୀ ଅନେକ ବିଲିଅନ୍ ବର୍ଷ ପୂର୍ବେ ନକ୍ଷତ୍ର ଭିତରୁ ସୃଷ୍ଟି ହୋଇଥିବା ବିଭିନ୍ନ ମୌଳିକ ପଦାର୍ଥର ପରମାଣୁରୁ ହିଁ ପ୍ରତ୍ୟେକ ମଣିଷ ଶରୀରର ରକ୍ତ, ହାଡ଼, ମାଂସ ତିଆରି ହୋଇଛି। ଆମ ସୌର ଜଗତରେ ପୃଥିବୀ ହେଉଛି ଏକମାତ୍ର ଗ୍ରହ, ଯେଉଁଠି ଜୀବନର ଉତ୍ପତ୍ତି ହୋଇପାରିଛି। ମଣିଷ ଓ ଅନ୍ୟାନ୍ୟ ଇତର ଜୀବମାନଙ୍କ ପାଇଁ ପୃଥିବୀ ହିଁ ଉପଯୁକ୍ତ ବାସସ୍ଥାନ। ମଣିଷ ଶରୀର ନାନା ପ୍ରକାର ଜୈବ ଏବଂ ଅଜୈବ ଉପାଦାନରେ ତିଆରି। ଆମ ଶରୀର ଯେଉଁସବୁ ମୌଳିକ ପଦାର୍ଥରେ ଗଢ଼ା, ସେ ସବୁ ଉପାଦାନ ଆସିଲା କେଉଁଠୁ? ବର୍ତ୍ତମାନର ବିଜ୍ଞାନ କହେ ଯେ ଏଇ ବିଶାଳ ଜଗତରେ ଆମ ଚତୁଃପାର୍ଶ୍ୱରେ ଯାହା କିଛି ଦେଖୁ, ସେ ସବୁ ବିଗ୍ ବ୍ୟାଙ୍ଗରୁ ସୃଷ୍ଟି ହୋଇଛନ୍ତି; କିନ୍ତୁ ବିଗ୍ ବ୍ୟାଙ୍ଗରେ କେବଳ ହିଲିୟମ ଓ ହାଇଡ୍ରୋଜେନ ଭଳି ହାଲୁକା ମୌଳିକ ସୃଷ୍ଟି ହୋଇଥିଲା। ଏଥିରେ ଅନ୍ୟ କୌଣସି ମୌଳିକ ପଦାର୍ଥ ସୃଷ୍ଟି ହୋଇନଥିଲା। ବରଂ ପର୍ଯ୍ୟାୟ ସାରଣୀର ବାକି ସବୁ ମୌଳିକ ପଦାର୍ଥ ସୁପର ନୋଭା ବିସ୍ଫୋରଣରେ ସୃଷ୍ଟି ହୋଇଛନ୍ତି। ଏଠାରେ କହିରଖେ ଯେ, ତାରାମାନଙ୍କର ମଧ୍ୟ ଜୀବନ-ମୃତ୍ୟୁ ଅଛି। ଯେତେବେଳେ ସୂର୍ଯ୍ୟଠାରୁ ଆକାରରେ ବହୁତ ବଡ଼ ହୋଇଥିବା ଗୋଟିଏ ତାରାର ମୃତ୍ୟୁ ହୁଏ, ସେତେବେଳେ ତାରାରେ ବିସ୍ପୋରଣ ଘଟେ ଏବଂ ସେଥିରୁ ନିର୍ଗତ ହୁଏ ପ୍ରଚୁର ପରିମାଣର ଶକ୍ତି। ଏହାକୁ ସୁପର ନୋଭା ବିସ୍ଫୋରଣ କୁହାଯାଏ। ବ୍ରହ୍ମାଣ୍ଡରେ ଘଟୁଥିବା ସବୁଠୁ ଶକ୍ତିଶାଳୀ ଘଟଣା ଭିତରୁ ସୁପର ନୋଭା ଅନ୍ୟତମ। ସୁପର ନୋଭା ବିସ୍ଫୋରଣରେ ନାନା ପ୍ରକାରର ମୌଳିକ ପଦାର୍ଥ ଉତ୍ପତ୍ତି ହୁଏ ଏବଂ ମହାକାଶରେ ଚାରିଆଡ଼େ ବ୍ୟାପିଯାଏ।
ନକ୍ଷତ୍ରର ମୃତ୍ୟୁ ବେଳେ ଯେଉଁ ବିପୁଳ ଶକ୍ତି ଉତ୍ପନ୍ନ ହୁଏ, ସେଥିରୁ ନିର୍ଗତ ହୁଏ ଭାରୀ ମୌଳିକ ପଦାର୍ଥ ଏବଂ ଏହି ପ୍ରକ୍ରିୟାକୁ କୁହାଯାଏ ଷ୍ଟେଲାର ନ୍ୟୁକ୍ଲିୟସିନ୍ଥେସିସ। ୪.୬ ବିଲିଅନ୍ ବର୍ଷ ପୂର୍ବରୁ ଏକ ନକ୍ଷତ୍ରର ମୃତ୍ୟୁ ଯୋଗୁଁଁ ଘଟିଥିବା ସୁପର୍ ନୋଭା ବିସ୍ଫୋରଣରେ ବିଭିନ୍ନ ପ୍ରକାର ମୌଳିକ ପଦାର୍ଥ ସୃଷ୍ଟି ହୋଇଥିଲା, ଯେଉଁଥିରୁ ଆମର ସୌର ଜଗତ ଗଠନ ହୋଇଛି। ସୌର ଜଗତର ମୋଟ ବସ୍ତୁତ୍ୱର ପ୍ରାୟ ୯୯ ଭାଗ କେବଳ ସୂର୍ଯ୍ୟଙ୍କର। ବଳକା ମୌଳିକ ପଦାର୍ଥ କ୍ରମଶଃ ଏକାଠି ହୋଇ ପୃଥିବୀ ଭଳି ଗ୍ରହଗୁଡ଼ିକର ସୃଷ୍ଟି ହୋଇଛି। ପରବର୍ତ୍ତୀ ସମୟରେ ପୃଥିବୀରେ ଜୀବନର ଉତ୍ପତ୍ତି ହେଲା। ଆମ ଶରୀରର ୮୪ ପ୍ରତିଶତ ଅଂଶରେ ଭରି ରହିଥିବା ଅଙ୍ଗାରକ ଓ ଅମ୍ଳଜାନ ଭଳି ମୌଳିକ ପଦାର୍ଥ ସୁପର ନୋଭା ବିସ୍ଫୋରଣରେ ତିଆରି ହୋଇଛନ୍ତି; କିନ୍ତୁ ପ୍ରତ୍ୟେକ ଜିନିଷର କିଛି ମୂଲ୍ୟ ଥାଏ। ଏସବୁ ମୌଳିକ ପଦାର୍ଥ ସୃଷ୍ଟି କରିବା ପାଇଁ କିଛି ତ୍ୟାଗ ଜରୁରୀ। ଏ କ୍ଷେତ୍ରରେ ମୂଲ୍ୟ ହେଉଛି ତାରାର ମୃତ୍ୟୁ। ବିଗ୍ ବ୍ୟାଙ୍ଗରେ ଯେଉଁ ସବୁ ନକ୍ଷତ୍ର ପ୍ରଥମେ ସୃଷ୍ଟି ହୋଇଥିଲେ, ସେମାନଙ୍କର ମୃତ୍ୟୁ ଯୋଗୁଁଁ ହିଁ ଆମ ସୌର ଜଗତ ତିଆରି ହୋଇଛି। ଯଦି ନକ୍ଷତ୍ରର ମୃତ୍ୟୁ ହୋଇନଥାନ୍ତା, ତେବେ ଏସବୁ ମୌଳିକ ପଦାର୍ଥର ଉତ୍ପତ୍ତି ହୋଇ ନଥାନ୍ତା କିମ୍ବା ଆମର ଏଇ ପୃଥିବୀ ଗଠନ ହୋଇପାରିନଥାନ୍ତା। ତାରାର ମୃତ୍ୟୁରେ ହିଁ ଆମ ଜୀବନର ଆରମ୍ଭ ହୋଇଛି।
ବୋଧହୁଏ, ଆମର ପୂର୍ବଜ ଏ କଥାକୁ ଉପଲବ୍ଧି କରିପାରିଥିଲେ ଏବଂ ସେମାନଙ୍କ ଜୀବନରେ ନକ୍ଷତ୍ରର ମହତ୍ତ୍ୱକୁ ବୁଝିପାରିଥିଲେ। ସେଥିପାଇଁ ତାରା ଓ ମଣିଷକୁ ନେଇ ଅନେକ କଥା, କିମ୍ବଦନ୍ତୀ ଲେଖା ହୋଇଛି। ଅନେକ ମିଥ୍ ଓ ମେଟାଫର୍ ତିଆରି ହୋଇଛି। ଭାରତରେ ଏହାକୁ ନେଇ ସୁନ୍ଦର କିମ୍ବଦନ୍ତୀ ରହିଛି। ଭାରତୀୟ ପୁରାଣ ସାହିତ୍ୟ କହେ ଯେ ମଣିଷର ଦୁଇଟି ବଂଶ ଅଛି – ସୂର୍ଯ୍ୟ ବଂଶ ଓ ଚନ୍ଦ୍ର ବଂଶ। ସୂର୍ଯ୍ୟ ଦେବତାଙ୍କ ନାତି ରାଜା ଈଖ୍ୱାକୁ ହେଉଛନ୍ତି ସୂର୍ଯ୍ୟବଂଶର ପ୍ରତିଷ୍ଠାତା। ଭାରତରେ ପ୍ରଚଳିତ କିଛି ଗୋତ୍ର ବା ଆନୁବଂଶିକ କୁଳ ସପ୍ତର୍ଷି ମଣ୍ଡଳ ବା ବିଗ୍ ଡିପର୍ ତାରା ମଣ୍ଡଳରେ ଦେଖା ଯାଉଥିବା ନକ୍ଷତ୍ରମାନଙ୍କ ନାମରେ ନାମିତ ହୋଇଛି। ଯେମିତି କି ବଶିଷ୍ଠ, ମରୀଚି, ଅତ୍ରି, ଅଙ୍ଗିରାସ, ପୁଲହ, ପୁଲସ୍ତ୍ୟ, କତ୍ରୁ ନକ୍ଷତ୍ର ନାମରେ ଗୋତ୍ର ପରିଲକ୍ଷିତ ହୁଏ। ତାରା ଓ ମଣିଷମାନଙ୍କୁ ନେଇ ଗଢ଼ାଯାଇଥିବା ଏସବୁ ମିଥ୍ ଓ ମେଟାଫର୍ ପଛରେ ଆମର ଉତ୍ପତ୍ତି ରହସ୍ୟ ରହିଛି। ପଦାର୍ଥ ବିଜ୍ଞାନୀ ତଥା ବିଜ୍ଞାନ ଲେଖକ ପ୍ରଫେସର ବ୍ରାଏନ ଏଡୱାର୍ଡ କୋକ୍ସଙ୍କ ଉକ୍ତି ଏଠାରେ ଉଲ୍ଲେଖଯୋଗ୍ୟ। ତାଙ୍କ ମତରେ, “ଯେତେବେଳେ ଆମେ ମହାକାଶକୁ ଦେଖୁ, ସେହି ସମୟରେ ଆମେ ଆମର ଉତ୍ପତ୍ତି ସ୍ଥଳକୁ ହିଁ ଦେଖୁଛୁ। କାରଣ ଆମେ ସମସ୍ତେ ନକ୍ଷତ୍ର ବା ତାରାମାନଙ୍କଠାରୁ ସୃଷ୍ଟ।”
Comments are closed.