ବିଶ୍ବନାଥ ବିଦ୍ୟାପୀଠରେ ବିଜ୍ଞାନ ମେଳା

ଆଠଗଡ: ଆଠଗଡର ସର୍ବପୁରାତନ ବିଶ୍ଵନାଥ ବିଦ୍ୟାପୀଠରେ ଗୁରୁବାର ବିଦ୍ୟାଳୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରମେଶ କୁମାର ସ୍ବାଇଁ ଏହି ବିଜ୍ଞାନ ପ୍ରଦର୍ଶନୀକୁ ଉଦଘାଟନ କରି ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ ।  ଅତିଥି ତଥା ବିଚାରକ ଭାବେ ଶିକ୍ଷାବିତ ତ୍ରିଲୋଚନ ଦାଶ ଓ ଚୌଦ୍ଵାରସ୍ଥିତ କଳିଙ୍ଗ ବିଦ୍ୟାପୀଠର ବିଜ୍ଞାନ ଶିକ୍ଷୟିତ୍ରୀ ସ୍ୱାଗତିକା ସ୍ବାଇଁ ଯୋଗଦେଇ ଆଜିର ଦୁନିଆରେ ବିଜ୍ଞାନ ଶିକ୍ଷାର ଗୁରୁତ୍ଵ ଓ ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ । ସ୍କୁଲର ବିଜ୍ଞାନ ଶିକ୍ଷକ କାଶୀନାଥ ସାହୁ ଓ ଶିକ୍ଷୟିତ୍ରୀ ସରିତା ମିଶ୍ରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ବିଜ୍ଞାନ ମେଳାରେ ଛାତ୍ରମାନଙ୍କ ଦ୍ବାରା ପ୍ରସ୍ତୁତ ୪୬ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିଲା । ବିଚାରକ ଦ୍ୱୟଙ୍କ ଦ୍ବାରା ୩ଟି ସର୍ବଶ୍ରେଷ୍ଠ ପ୍ରକଳ୍ପ ମନୋନୀତ କରାଯାଇଥିଲା । ପ୍ରଥମ ସ୍ଥାନରେ ୧୦ମ ଶ୍ରେଣୀ ଛାତ୍ର ଚିନ୍ମୟ କୁମାର ସାହୁଙ୍କର ବିପର୍ଯ୍ୟୟରୁ ସୁରକ୍ଷା ପାଇଁ ପ୍ରସ୍ତୁତ ଗୃହ ପ୍ରକଳ୍ପ, ୨ୟ ସ୍ଥାନରେ ୭ମ ଶ୍ରେଣୀର ଛାତ୍ର ଆର୍ଯ୍ୟନ ବେହେରାଙ୍କ ଆଧୁନିକ ପରିବହନ ଯୋଗାଯୋଗ ପ୍ରକଳ୍ପ ଏବଂ ୩ୟ ସ୍ଥାନ ୮ମ ଶ୍ରେଣୀର ଛାତ୍ର ଅମ୍ଳାନ ପଣ୍ଡାଙ୍କ ଶକ୍ତି ଉତ୍ସର ପରିଚାଳନା ସମ୍ପର୍କିତ ପ୍ରକଳ୍ପ ମନୋନୀତ ହୋଇଥିଲା ।

Comments are closed.