ଖୋର୍ଦ୍ଧା ଜିଲାରେ ଦକ୍ଷତା ବିକାଶ ତାଲିମ ଓ ନିଯୁକ୍ତି କାର୍ଯ୍ୟକ୍ରମ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଅଧୀନ ଓଡିଶା ଦକ୍ଷତା ବିକାଶ କର୍ତୃପକ୍ଷ ମାଧ୍ୟମରେ ଖୋର୍ଦ୍ଧା ଜିଲାରେ ବେକାର ଯୁବକ ଯୁବତୀ ନିମନ୍ତେ ଦକ୍ଷତା ବିକାଶ ତାଲିମ ଓ ନିଯୁକ୍ତି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି। ବିଭିନ୍ନ ତାଲିମ ପ୍ରଦାନକାରି ସଂସ୍ଥା ଦ୍ୱାରା ଯୁବକ ଯୁବତୀ ମାନେ ଆତ୍ମନିର୍ଭରଶିଳ ସ୍ୱାବଲମ୍ବି ହେବା ପାଇଁ ସ୍ୱଳ୍ପ ମିଆଦି ତାଲିମ ଏବଂ ବିଭିନ୍ନ ତାଲିମ ଓ ନିଯୁକ୍ତି ପ୍ରଦାନକାରି ସଂସ୍ଥାମାନଙ୍କ ଦ୍ୱାରା ତାଲିମ ଦିଆଯାଇ ନିଯୁକ୍ତି ଦେବା ନିମନ୍ତେ କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପନିର୍ଦ୍ଧେଶକ, ଦକ୍ଷତା ବିକାଶ ଏବଂ ନିଯୁକ୍ତି, ଖୋର୍ଦ୍ଧାଙ୍କ ଦ୍ୱାରା ବ୍ୟାପକ କାର୍ଯ୍ୟକ୍ରମ ଜାରି ରହିଛି।
ବର୍ତ୍ତମାନ ରାଜ୍ୟ ସରକାର ନୂଆ ଓଡିଶା କାର୍ଯ୍ୟକ୍ରମରେ ଯେପରି ବହୁଳ ମାତ୍ରାରେ ବେକାର ଯୁବକ ଯୁବତୀ ମାନେ ଯୋଜନାର ଫାଇଦା ପାଇ ପାରିବେ ସେଥିପ୍ରତି ଗୁରୁତ୍ୱ ପ୍ରଦାନ କରାଯାଉଛି। ନୁଆ ଓଡିଶା ଯୋଜନାରେ ନିଯୁକ୍ତି ଭିତ୍ତିକ ତାଲିମ ପ୍ରଦାନ କରାଯାଇ ବିଭିନ୍ନ ସଂସ୍ଥା ମାନଙ୍କରେ ନିଯୁକ୍ତି ପ୍ରଦାନ କରାଯିବ। ଯୁବକ ଯୁବତୀ ମାନଙ୍କ ବୟଷ ୧୮ ରୁ ୩୫ ବର୍ଷ ଏବଂ ଶିକ୍ଷା୍ଗତ ଯୋଗ୍ୟତା ଅଷ୍ଟମ ଶ୍ରେଣୀ ଉତୀର୍ଣ୍ଣରୁ ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ। ଯୁବକ ଯୁବତୀ ମାନଙ୍କ ନିମନ୍ତେ ଆବାସିକ ଏବଂ ଅଣଆବାସିକ ତାଲିମ ପାଇଁ ସୁବିଧା ଉପଲବ୍ଧ ଅଛି ।
ରହିବା, ଖାଇବା, ତାଲିମ ପୋଷାକ ଏବଂ ତାଲିମ ଖର୍ଚ ସରକାର ବହନ କରିବେ। ସମସ୍ତ ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ସ୍ୱଳ୍ପ ମିଆଦି ଦେଢ଼ ମାସରୁ ୬ ମାସ ମଧ୍ୟରେ ଅଟେ। ତାଲିମ ଗୁଡିକୁ ଜାତୀୟ ମାଧ୍ୟମିକ ଧନ୍ଦା ମୂଳକ ପ୍ରଶିକ୍ଷଣ ନିୟମାନୁଯାଇ ପ୍ରମାଣିତ କରାଯିବ। ତାଲିମ ସମାପ୍ତ ପରେ ତାଲୀମାର୍ଥୀ ମାନଙ୍କ ପ୍ରଶିକ୍ଷଣ ଦକ୍ଷତାକୁ ମାପକ କରି ଏନ ସି ଭି ଟି ସାର୍ଟିଫିକେଟ ପ୍ରଦାନ କରାଯିବ।
ସମସ୍ତ ପାଶ କରିଥିବା ଯୁବକ ଯୁବତୀ ମାନଙ୍କୁ ୩ ମାସ ମଧ୍ୟରେ ବିଭିନ୍ନ ନିଯୁକ୍ତି ପ୍ରଦାନ ସଂସ୍ଥା ମାନଙ୍କରେ ନିଯୁକ୍ତି ନିମନ୍ତେ ସୁଯୋଗ ପ୍ରଦାନ କରାଯିବ। ପ୍ରକାଶ ଥାଉକି ନୁଆ ଓଡିଶା ଯୋଜନା ଅଧୀନ ସ୍ୱଳ୍ପ ମିଆଦି ତାଲିମ କାର୍ଯ୍ୟ କ୍ରମରେ ୪ଗୋଟି ସଂସ୍ଥା କାର୍ଯ୍ୟ କରୁଥିବା ବେଳେ ନିଯୁକ୍ତି ଭିତ୍ତିକ ତାଲିମ ପ୍ରଦାନକାରି ୧୧ଗୋଟି ସଂସ୍ଥା ଜିଲାରେ କାର୍ଯ୍ୟ କରୁଅଛି। ବିସ୍ତୃତ ତଥ୍ୟ ପାଇବା ନିମନ୍ତେ ଉପନିର୍ଦ୍ଧେଶକ,ଦକ୍ଷତା ବିକାଶ ଏବଂ ନିଯୁକ୍ତି, ଖୋର୍ଦ୍ଧା ମୋବାଇଲ ନମ୍ବର ୯୪୩୭୫୮୪୫୪୬ ରେ ଯୋଗାଯୋଗ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।
Comments are closed.