କୌଣସି ବି ବ୍ୟକ୍ତିଗତ ସମ୍ପତ୍ତିକୁ ଅଧିଗ୍ରହଣ କରିପାରିବେ ନାହିଁ ସରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସାଧାରଣ ହିତ ପାଇଁ ସରକାର ଘରୋଇ ମାଲିକାନାଧୀନ ସମସ୍ତ ସମ୍ପତ୍ତିକୁ ଅଧିଗ୍ରହଣ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବ ସୁପ୍ରିମକୋର୍ଟଙ୍କ ୯ଜଣିଆ ବିଚାରପତିଙ୍କ ବୃହତ୍‌ ସାମ୍ବିଧାନିକ ପୀଠ ମଙ୍ଗଳବାର ଏହି ରାୟ ଦେଇଛନ୍ତି। ସାମ୍ବିଧାନିକ ପୀଠର ୮ଜଣ ବିଚାରପତି ରାୟ ସପକ୍ଷରେ ମତ ଦେଇଥିବାବେଳେ ଜଣେ ରାୟ ବିପକ୍ଷରେ ମତ ଦେଇଛନ୍ତି। ତେବେ ସଂଖ୍ୟାଗରିଷ୍ଠତା ମତ ଆଧାରରେ ପ୍ରଧାନ ବିଚାରପତି ଲେଖିଥିବା ରାୟରେ କୁହାଯାଇଛି ଯେ ସାଧାରଣ ହିତ ପାଇଁ ସରକାର ସମସ୍ତ ଘରୋଇ ସମ୍ପତ୍ତିକୁ ଅଧିଗ୍ରହଣ କରି ଆବଣ୍ଟନ କରିପାରିବେ ନାହିଁ। ଶୀର୍ଷ ଅଦାଲତ କହିଛନ୍ତି ଯେ, ଘରୋଇ ସମ୍ପତ୍ତି ଧାରା ୩୯(ଖ)ଅଧୀନରେ ରହିବ କି ନାହିଁ ତାହା ବିଚାରଯୋଗ୍ୟ ବିଷୟ। ପରିସ୍ଥିତିକୁ ଆଧାର କରି ଏହାର ବୈଧତା ବିଚାର କରାଯାଇଥାଏ। ସମ୍ବିଧାନର ଧାରା ୩୯(ଖ) ଅନୁଯାୟୀ ସାଧାରଣ ହିତ ପାଇଁ ସରକାର ଘରୋଇ ସମ୍ପତ୍ତିକୁ ଅଧିଗ୍ରହଣ କରି ଆବଣ୍ଟନ କରିପାରିବେ। ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ୧୯୭୮ରେ ସମାଜବାଦୀ ଚିନ୍ତାଧାରାକୁ ଆଧାର କରି ଦିଆଯାଇଥିବା ରାୟକୁ ଖାରଜ କରିଛନ୍ତି। ୧୯୭୮ରେ ସୁପ୍ରିମକୋର୍ଟ ଦେଇଥିବା ରାୟରେ କହିଥିଲେ ଯେ ସମ୍ବିଧାନର ଧାରା ୩୯(ଖ) ଅନୁଯାୟୀ, ସରକାର ସମସ୍ତ ବ୍ୟକ୍ତିଗତ ମାଲିକାନାରେ ଥିବା ସମ୍ପତ୍ତିକୁ ସର୍ବସାଧାରଣଙ୍କ ସେବା ଓ ସ୍ବାର୍ଥ ନିମିତ୍ତ ଉଦ୍ଦେଶ୍ୟ ଲାଗି ଅଧିଗ୍ରହଣ କରିପାରିବେ। ଏହି ପୂର୍ବ ରାୟକୁ ନେଇ ସୁପ୍ରିମକୋର୍ଟ ଏକ ଜଟିଳ ଆଇନଗତ ପ୍ରଶ୍ନର ସମ୍ମୁଖୀନ ହୋଇଥିଲେ ଯାହା ଉପରେ ସାମ୍ବିଧାନିକ ପୀଠ ଚୂଡାନ୍ତ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଥିଲା ଯେ ଧାରା ୩୯ (ଖ) ଅନୁଯାୟୀ ସମସ୍ତ ବ୍ୟକ୍ତିଗତ ସମ୍ପତ୍ତିକୁ ସାଧାରଣ ସାମଗ୍ରିକ ସମ୍ବଳ ଭାବରେ ବିବେଚନା କରାଯାଇପାରିବ କି ? ସାଧାରଣ ଜନତାଙ୍କ ସୁବିଧା ପାଇଁ ସରକାର ସବୁ ବ୍ୟକ୍ତିଗତ ସମ୍ପତ୍ତିକୁ ଅଧିଗ୍ରହଣ କରାଯାଇପାରିବ କି ନାହିଁ ? ମାତ୍ର ଏଭଳି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ଚୂଡ଼ାନ୍ତ ରାୟ ଦେବା ସହ ସମ୍ବିଧାନରେ ପୂର୍ବ ସ୍ବୀକୃତି ବ୍ୟକ୍ତିର ସମ୍ପତ୍ତିଗତ ମୌଳିକ ଅଧିକାରକୁ ପ୍ରାଧାନ୍ୟ ଦେଇଛନ୍ତି। ଏହି ରାୟରେ ମିନର୍ଭା ମିଲ୍‌ ମାମଲା(୧୯୮୦)କୁ ଉଦାହରଣ ଭାବେ ଦର୍ଶାଯାଇଛି। ୪୨ତମ ସମ୍ବିଧାନ ସଂଶୋଧନ ଜରିଆରେ ଦୁଇଟି ପ୍ରସଙ୍ଗକୁ ଅସାମ୍ବିଧାନିକ ଦର୍ଶାଯାଇଥିଲା। ସମ୍ବିଧାନର ଏହି ସଂଶୋଧନ ଜରିଆରେ ବ୍ୟକ୍ତିଗତ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ ସଙ୍କୁଚିତ କରାଯିବ ସହ ଏହି ସଂଶୋଧନକୁ ଆଇନଗତ ସମୀକ୍ଷା ଉପରେ ନିଶେଧାଦେଶ ରହିଥିଲା। ଧାରା ୩୧(ଗ) ସଂଯୋଗ କରି ଧାରା ୪୯(ଖ) ଓ (ଗ)ରେ ରାଷ୍ଟ୍ରକୁ ଗୋଷ୍ଠୀ ବା ବ୍ୟକ୍ତି ସମ୍ପତ୍ତିକୁ ଅଧିଗ୍ରହଣ କରିବା ରାଷ୍ଟ୍ରହିତ ପାଇଁ ଅନୁମତି ପ୍ରଦାନ କରିଥିଲା। ଅଦାଲତ ୧୬ଟି ଆବେଦନକୁ ସମୀକ୍ଷା କରିବା ସହ ୧୯୯୨ ମସିହା ମୁମ୍ବଇସ୍ଥିତ ପ୍ରପର୍ଟି ଓନର ଆସୋସିଏସନ ଆବେଦନକୁ ତର୍ଜମା କରିଥିଲେ। ମାମଲାର ଶୁଣାଣି କରିଥିବା ପୀଠରେ ପ୍ରଧାନ ବିଚାରପତିଙ୍କ ସହିତ ଥିବା ଅନ୍ୟ ବିଚାରପତିମାନେ ହେଲେ ହୃଷିକେଶ ରାୟ, ବିଭି ନାଗରତ୍ନା, ସୁଧାଶୁଂ ଧୁଲିଆ, ଜେବି ପର୍ଡିୱାଲ, ମନୋଜ ମିଶ୍ର, ରାଜେଶ ବିନ୍ଦାଲ, ସତୀଶ ଚନ୍ଦ୍ର ଶର୍ମା ଓ ଅଗଷ୍ଟାଇନ ଜର୍ଜ ମସିହ। ବିଚାରପତି ସୁଧାଶୁଂ ଧୁଲିଆ ଉପରୋକ୍ତ ରାୟ ବିପକ୍ଷରେ ମତ ଦେଇଥିବାବେଳେ ବିଚାରପତି ନାଗରତ୍ନା ଆଂଶିକ ବିରୋଧ କରିଛନ୍ତି।

Comments are closed.