www.samajalive.in
Saturday, December 6, 2025
19.1 C
Bhubaneswar

ଲୋକ ପରମ୍ପରା ଡମ୍ବ ସଂପ୍ରଦାୟର ଦିଆଲ୍ ପରବ

ଲାଞ୍ଜିଗଡ଼: ଓଡ଼ିଆମାନଙ୍କ ମଧ୍ୟରେ ବାରମାସରେ ତେରଯାତ୍ରା ପାଳିତ ହେବାର ବିଧି ରହିଛି । କିନ୍ତୁ ଓଡ଼ିଶାର ପାହାଡ଼ ପର୍ବତ ଓ ଗ୍ରାମାଞ୍ଚଳରେ ରହୁଥିବା ଆଦିବାସୀ ଓ ଅନୁସୂଚିତ ଜାତିର ଲୋକମାନଙ୍କ ପାଇଁ ଏହି ବାରମାସ ଓ ତେରଯାତ୍ରା କୌଣସି ମହତ୍ତ୍ୱ ରଖେନାହିଁ । ସେମାନେ ଯେହେତୁ ପ୍ରକୃତିର ମଣିଷ ତେଣୁ ପ୍ରକୃତିର ନିର୍ଦ୍ଦେଶକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ସେମାନେ ଉଚିତ୍ ଭାବନ୍ତି । ତାଙ୍କ ପର୍ବପର୍ବାଣୀ ସାଧାରଣତଃ ପାହାଡ଼ ପର୍ବତ ଝାଡ଼ଜଙ୍ଗଲକୁ ନେଇ ନିର୍ଦ୍ଧାରିତ ହୋଇଥାଏ । ସେଥିପାଇଁ ତେର ପର୍ବଠାରୁ ବି ସେମାନେ ଅଧିକ ପର୍ବପର୍ବାଣୀ ପାଳନ କରନ୍ତି ବୋଲି ମନେ ହୋଇଥାଏ ।
ଏହିପରି ଭାବେ ଆଦିବାସୀ ଓ ଅନୁସୂଚିତ ଜାତି ବହୁଳ କଳାହାଣ୍ଡି ଜିଲ୍ଲାରେ ନୂଆଖାଇ, ଚୈତ୍ରପର୍ବ ପରି ଜାକଜମକରେ ପାଳିତ ହେଉଥିବା ଏକ ଅନନ୍ୟ ପର୍ବ ହେଲା ଦିଆଲ୍ ପରବ୍ । ବିଶେଷତଃ ଦୀପାବଳି ବା ଦିୱାଲୀ ଦିନ ହିଁ ଏହା ପାଳିତ ହେଉଥିବାରୁ ଏହାକୁ ଦୀପାବଳି ସହିତ ମିଶାଇ ଦିଆଯାଇଥାଏ । କିନ୍ତୁ ଦିଆଲ୍ ପରବ୍‌ର ଏକ ସ୍ୱତନ୍ତ୍ର ଗୁରୁତ୍ୱ ରହିଛି । ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ଜନଗୋଷ୍ଠୀ ଭାବେ ପରିଚିତ ଡମ୍ବ ସଂପ୍ରଦାୟର ଲୋକଙ୍କ ପାଇଁ ଏହା ଏକ ମୁଖ୍ୟ ପର୍ବ ।
କାରଣ ଦୀପାବଳି ପୂର୍ବରୁ ପାଞ୍ଜି ଅନୁସାରେ ଅପରପକ୍ଷରେ ଉଚ୍ଚଜାତିର ଲୋକମାନେ ତିଳତର୍ପଣ ଓ ଶ୍ରାଦ୍ଧ କର୍ମ କରୁଥିବାବେଳେ ଡମ୍ବ ସଂପ୍ରଦାୟର ଲୋକେ ଦିଆଲ୍ ଦିନକୁ ହିଁ ଅପେକ୍ଷା କରିଥାନ୍ତି । କିନ୍ତୁ କର୍ମକାଣ୍ଡ ଅନୁସାରେ ନହୋଇ ଏହି ପିଣ୍ଡଦାନ ଏମିତି ସୁନ୍ଦର ଭାବେ ଆୟୋଜିତ ହୋଇଥାଏ ସତରେ ଦେଖିବା ଭଳି । ଦିଆଲ ପୂର୍ବ ଦିନ(ଯାହାକୁ ଆମେ ଛୋଟ ଦୀପାବଳି ବୋଲି କହୁ) ଏହି ସଂପ୍ରଦାୟର ଲୋକେ ‘ଛୋଟ ଉପାସ’ ପାଳନ କରନ୍ତି । ଅର୍ଥାତ୍ ଦିନ ତମାମ ଉପବାସ ରହି ରାତି ଏକଓଳି ଖାଇଥାନ୍ତି । ଯାହାକି କାର୍ତ୍ତିକ ମାସରେ ହବିଷାନ୍ନ ସାଙ୍ଗେ ସମାନ ।
ଏହା ପରଦିନ ପାଳିତ ହୁଏ ‘ଦିଆଲ ପରବ୍‌’ । ଥିଲା ନଥିଲା ଲୋକ ବି ଦିଆଲ ପାଳିବାକୁ ଆଗଭର ହୋଇଯାଏ । ଦିନ ତମାମ ଚାନ୍ଦାଭେଦା କରି ମଦ ଆଣି ପିଆଯାଏ । ବାଜାବାଣରେ ସାହି ଦୁଲୁକି ଉଠେ । ସନ୍ଧ୍ୟା ହେଲେ ଘରମାନଙ୍କରେ ଭିଡ ଜମେ । ପରିବାରର ମୁଖ୍ୟମାନେ ନିଜ ନିଜ ପିଦର(ଇଷ୍ଟ ଦେବାଦେବୀଙ୍କ ଆସ୍ଥାନ)କୁ ସ୍ନାନଶୌଚ ତଥା ଶୁଦ୍ଧପୂତ ଭାବେ ପ୍ରବେଶ କରନ୍ତି । ସେହି ସମୟରେ ତାଙ୍କ ସହିତ ପାଖପଡିଶାର କିଛି ବୟସ୍କ ବନ୍ଧୁବାନ୍ଧବ ମଧ୍ୟ ଉପସ୍ଥିତ ଥାନ୍ତି ।
ବିଭିନ୍ନ ସୁସ୍ୱାଦୁ ଦ୍ରବ୍ୟ ସହିତ ନୂଆଧାନର ଚାଉଳରୁ ପ୍ରସ୍ତୁତ ଭାତ, ମାଖନ( ବୋଇତାଳୁ) ଓ ଝୁଡଙ୍ଗ ତରକାରୀ ତଥା ଖାସିମାଂସକୁ ପିତୃପୁରୁଷଙ୍କ ପାଇଁ ଭୋଗ ବାଢନ୍ତି । ଶିଆଳି ପତ୍ରକୁ ଓଲଟାଇ ପ୍ରସ୍ତୁତ କରାଯାଇଥିବା ଖଲିରେ ଭୋଗ ବଢାଯିବା ପରେ ପରିବାର ମୁଖ୍ୟ ନିଜ ନିଜ ପିତୃପୁରୁଷଙ୍କ ନାମ ଉଚ୍ଚାରଣ କରନ୍ତି । ଭକ୍ତି ସହକାରେ ନିଉଛାଳି ହୋଇ କହନ୍ତି- ‘ସବୁଦିନର ଭାତ୍ ମାଇଁ, ଆଜିର୍ ଭାତ୍ ଏଣ୍ଡରା, ମୁଇଁ ତମର୍ ନାଁ ଜାନେ ନାଇ, ଗାଁ ଜାନେ ନାଇଁ, ଜନେ କେ ଦେଲେ ସବୁ ବାଟିଁ କରି ଖାଏବ..ଏକବୋଲ୍‌, ଦୁଇ ବୋଲ୍‌, ବ୍ରହ୍ମାବିଷ୍ଣୁ ତିନ୍ ବୋଲ୍‌… ପାଏ କି ନପାଏ ହୋ ।’ ତା’ ପରେ ତାଙ୍କ ପାଖରେ ଉପସ୍ଥିତ ଥିବା ଲୋକେ ପାଳି ଧରନ୍ତି ‘ପାଏ, ପାଏ’ ବୋଲି । ସେହି ସମୟରେ ସେଠାରେ ସୃଷ୍ଟି ହୋଇଯାଏ ଏକ ଭାବଗମ୍ଭୀର ପରିବେଶ ।
ଏପରିକି ଏହି କରୁଣ ଡାକ ସତେକି ସେହି ପିତୃପୁରୁଷଙ୍କ ଆତ୍ମା ଶୁଣି ପାରୁଥିବା ଭଳି ପ୍ରତୀୟମାନ ହୁଏ । ପିଦରଠାରେ(ଦେବାଦେବୀଙ୍କ ଆସ୍ଥାନ) ପିତୃପୁରୁଷଙ୍କୁ ଭୋଗଲାଗି ପରେ ସେଠାରେ ହିଁ ନିଜ ବନ୍ଧୁବାନ୍ଧବଙ୍କ ପୂର୍ବପୁରୁଷଙ୍କୁ ମଧ୍ୟ ଆବାହନ ସହିତ ଭୋଗଲାଗି କରାଯାଇଥାଏ । ଏହାପରେ ଧାନଘର(ଭଣ୍ଡାର ଗୃହ)କୁ ଯାଇ ସେଠାରେ ଆରାଧନା ପୂର୍ବକ ଅଧିକ ଅମଳ ଓ ସଞ୍ଚୟ ପାଇଁ ପ୍ରାର୍ଥନା କରାଯାଏ । ପରେ ପରେ କୁକୁଡା ଘର, କୁଟେନ୍ ଶାଳ(ଢିଙ୍କିଶାଳ), ବାଟ ଦୁଆର(ଘରର ମୁଖ୍ୟ ଦରଜା)ଠାରେ ମଧ୍ୟ ଏହିପରି ଭୋଗ ସମର୍ପଣ କରାଯାଏ ।
ବାଟଦୁଆରରେ ସାଧାରଣତଃ ଆତ୍ମହତ୍ୟା କରିଥିବା ଆତ୍ମାମାନେ ପିଣ୍ଡ ପାଇଥାନ୍ତି ବୋଲି ସେମାନେ ବିଶ୍ୱାସ କରନ୍ତି । ଶେଷରେ ବଳିଥିବା ପ୍ରସାଦ(ଖଲିଭାତ୍‌)କୁ ଘରର ଜଣେ ଜ୍ୱାଇଁ କିମ୍ବା ବନ୍ଧୁ ସଂପର୍କୀୟଙ୍କୁୁ ଡାକି ଖାଇବାକୁ ଦିଆଯାଏ । ଖଲିଭାତ୍ ଖାଉଥିବା ଲୋକ ଜଣକ ନିଜ ଶକ୍ତି ଅନୁସାରେ ଗୃହକର୍ତ୍ତାଙ୍କୁ ମଦ ଦେଇଥାଏ । ଏହା ପରଦିନ ଆରମ୍ଭ ହୋଇଯାଏ ସାମୁହିକ ସ୍ନାନପର୍ବ । ଘରର ସ୍ତ୍ରୀଲୋକମାନେ ସାହିର ଏକ ଖୋଲାସ୍ଥାନ କିମ୍ବା ଲମ୍ବ ଅଗଣାରେ ଧାଡି ଧାଡି କରି ଦଉଡିଆ ଖଟସବୁ ପକାଇ ପାଣି, ବଟା ହଳଦୀ ଓ ତେଲ ନେଇ ପ୍ରସ୍ତୁତ ରହନ୍ତି । ନିର୍ଦ୍ଧାରିତ ସମୟରେ ପରିବାର ତଥା ବନ୍ଧୁବାନ୍ଧବଙ୍କ ମଧ୍ୟରେ ଥିବା ସମସ୍ତ ପୁରୁଷ ଲୋକେ ସେଠାରେ ବସନ୍ତି । ସେଠାରେ ପୁରୁଷ ଲୋକଙ୍କୁ ସ୍ତ୍ରୀଲୋକମାନେ ଗାଧୋଇ ଦିଅନ୍ତି ।
ଏପରିକି ଡମ୍ବ ସଂପ୍ରଦାୟ ବ୍ୟତୀତ ଅନ୍ୟ ଜାତିର ଇଛୁକ ପୁଅଝିଅ ଓ କୁଣିଆ ମଇତ୍ରଙ୍କ ଛୋଟଛୋଟ ଛୁଆଙ୍କୁ ମଧ୍ୟ ଏହିଦିନ ଗାଧୋଇ ଦିଆଯାଏ । ଯେଉଁ ପରିବାର ସେହି ଶିଶୁକୁ ଗାଧୋଇ ଦିଅନ୍ତି ସେମାନେ ତା’ ପାଇଁ ନୂଆ ପ୍ୟାଣ୍ଟସାର୍ଟ୍ ଆଦିର ବ୍ୟବସ୍ଥା ମଧ୍ୟ କରନ୍ତି । ଏହିପରି ଭାବେ ପାଳିତ ହୁଏ ଦିଆଲ୍ ପରବ୍ । କିନ୍ତୁ ଆଧୁନିକତାର ତାଳେ ତାଳେ ଏହି ସଂପ୍ରଦାୟର ଲୋକେ ମଧ୍ୟ ଦିଆଲ୍ ପରବ୍‌କୁ ଛାଡି ଧନ୍‌ତେରାସ୍ ଓ ଦିୱାଲୀ ପାଳନରେ ମାତିଛନ୍ତି । ଫଳରେ ଦିଆଲ ପରବ୍ ଦିନକୁ ଦିନ ତାର ଗୁରୁତ୍ୱ ହରାଇ ବସୁଛି ବୋଲି ଏହି ସଂପ୍ରଦାୟର ବୟସ୍କ ବ୍ୟକ୍ତି ଦୀନ କୁମାର, ସୁରୁ ବାଗ, ମଣିରାମ ସେନାପତି ଓ ଗୁଣସାଗର ସୁନା ପ୍ରମୁଖ କ୍ଷୋଭ ପ୍ରକାଶ କରନ୍ତି ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories