ବାଣ ଫୁଟାଇବା ନେଇ ହିନ୍ଦୁ ପରିବାର ଉପରେ ଆକ୍ରମଣ, ବିକ୍ରି କରିଦେବେ ବାସଗୃହ
ଡେସ୍କ: ହରିୟାଣାର ଫରିଦାବାଦରେ ଦୀପାବଳି ପାଳନ ସମୟରେ ବାଣ ଫୁଟାଇବାକୁ ନେଇ ମୁସଲମାନ ସମ୍ପ୍ରଦାୟର କିଛି ଲୋକ ଏକ ହିନ୍ଦୁ ପରିବାର ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଆନନ୍ଦପୁର ଅଞ୍ଚଳରେ ଘଟିଥିବା ବେଳେ ରାଜ ଓ ଆଶିକ ନାମକ ଦୁଇ ଜଣ ବ୍ୟକ୍ତିଙ୍କ ନେତୃତ୍ୱରେ କିଛି ମୁସଲମାନ ଲୋକ ଶିଶୁ ଓ ମହିଳାଙ୍କ ସମେତ ପରିବାର ସଦସ୍ୟଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସେମାନେ ପରିବାରର ଝିଅକୁ ଅସଦାଚରଣ କରିବା, ପୋଷାକ ଚିରି ଦେବା ସହ ଯୌନ ନିର୍ଯାତନା ଦେବାକୁ ଚେଷ୍ଟା କରିଥିଲେ। ଫଳରେ ପୀଡ଼ିତା ପରିବାର ଘର ବିକ୍ରି କରି ଅନ୍ୟତ୍ର ପଳାଇବାକୁ ନିଷ୍ପତ୍ତି ନେଇଛନ୍ତି।
ସୂଚନା ଅନୁଯାୟୀ, ଦୁର୍ଗା ପ୍ରସାଦଙ୍କ ନାବାଳକ ପୁଅ ସୁଭାଷ କଲୋନୀରେ ଥିବା ନିଜ ଘର ବାହାରେ ବାଣ ଫୁଟାଉଥିଲା। ଏଥିରେ କ୍ରୋଧିତ ହୋଇ ପଡ଼ୋଶୀ ରାଜ ଓ ଆଶିକଙ୍କ ନେତୃତ୍ୱରେ କିଛି ମୁସଲମାନ ଆସି ତାଙ୍କୁ ବାଣ ଫୁଟାଇବା ବନ୍ଦ କରିବାକୁ କହିଥିଲେ। ଏହାକୁ ନେଇ ପରିବାର ଲୋକଙ୍କ ସହ ଯୁକ୍ତିତର୍କ ହେବା ପରେ ଭିଡ଼ ସେମାନଙ୍କୁ ଆକ୍ରମଣ କରିଥିଲା।
ସେମାନେ ଘର ଉପରକୁ ପଥର ଓ ଇଟା ମାଡ଼ କରିବା ସହ ପରିବାର ଲୋକେ ଭିତରକୁ ଯାଇ କବାଟ ବନ୍ଦ କରିଦେଇଥିଲେ। କିନ୍ତୁ ଉତ୍ତ୍ୟକ୍ତ ଲୋକେ ଘର ଭିତରକୁ ପଶି ମୁଖ୍ୟ କବାଟ ଭାଙ୍ଗି ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ। ସେମାନେ ମହିଳାଙ୍କ ସମେତ ପରିବାର ସଦସ୍ୟଙ୍କୁ ଲାଠିରେ ମାଡ଼ ମାରିଥିଲେ। ଏହା ପରେ ମଧ୍ୟ ସେମାନେ ଶିଶୁର ବଡ଼ ଭଉଣୀଙ୍କୁ ଅସଦାଚରଣ କରିବା ସହ କପଡ଼ା ଫାଡି ଦେଇଥିଲେ, ତାଙ୍କୁ ଅଶ୍ଳୀଳ ଭାବେ ସ୍ପର୍ଶ କରିଥିଲେ ଏବଂ ଦୁଷ୍କର୍ମ ଉଦ୍ୟମ କରିଥିଲେ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ହିନ୍ଦୁ ପରିବାର ଉପରେ ଆକ୍ରମଣ କରିଥିବା ଭିଡ଼ରେ ପ୍ରାୟ ୫୦ରୁ ୬୦ ଜଣ ସାମିଲ ଥିଲେ। ସେମାନେ ପ୍ରଥମେ ଘର ଉପରକୁ ପଥର ମାଡ଼ କରିବା ପରେ କବାଟ ଭାଙ୍ଗି ଘର ଭିତରକୁ ପଶି ପରିବାର ଲୋକଙ୍କୁ ମାଡ଼ ମାରିଥିଲେ।
ଏହି ପୁରା ଘଟଣା ସ୍ଥାନୀୟ ଅଞ୍ଚଳର ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଫୁଟେଜରେ ଅନେକ ଲୋକ ଦୁର୍ଗା ପ୍ରସାଦଙ୍କ ଘର ଉପରକୁ ପଥର ମାଡ଼ କରିବା ସହ କବାଟ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ଫୁଟେଜରେ ମହିଳା ଓ ଶିଶୁଙ୍କ ଉପରେ ହୋଇଥିବା ଆକ୍ରମଣ ମଧ୍ୟ ଦେଖିବାକୁ ମିଳିଛି।
ଏ ନେଇ ପୀଡ଼ିତାଙ୍କ ପରିବାରର ଝିଅ ଥାନାରେ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି। ତେବେ ପୁଲିସ ଗଣମାଧ୍ୟମକୁ କୌଣସି ବୟାନ ଦେବାକୁ ମନା କରିଦେଇଛି।
Comments are closed.