ବିଦ୍ୟାଳୟ ଶ୍ରେଣୀ କୋଠା ନିର୍ମାଣ ଦାବିରେ ଫାଟକରେ ତାଲା ପକାଇଲେ ଅବିଭାବକ

କଲମପୁର: ସମଗ୍ର ଜିଲ୍ଲାରେ ଜିଲ୍ଲା ଗଠନର ୭୫ତମ ବର୍ଷ ମହାସମାରୋହର ସହିତ ପାଳନ କରାଯାଉଥିବା ବେଳେ କଲମପୁର ବ୍ଲକ ଭାଲୁବୁଟ୍ରା ସରକାରୀ ପ୍ରାଥମିକ ବିଦ୍ୟାଳୟର ଫାଟକରେ ତାଲା ପଡ଼ିଥିଲା। ଛାତ୍ର ଛାତ୍ରୀ ରାଜ ରାସ୍ତାରେ ଦରି ପକାଇ ବସିଥିଲେ। ଅବିଭାବକ ଏବଂ ବିଦ୍ୟାଳୟ ପରିଚାଳନା କମିଟର ସମସ୍ତ ସଦସ୍ୟ ସଦସ୍ୟା ବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ ନିର୍ମାଣ ନେଇ ଦାବି କରି ତାଲା ମାରିଥିଲେ। ଏଭଳି ଏକ ଅଭାବନୀୟ ଘଟଣା ସମ୍ବନ୍ଧରେ କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମଧୁସ୍ମିତା ନାଏକଙ୍କୁ ସୂଚନା ମିଳିଥିଲା। ତୁରନ୍ତ ସହକାରୀ ଗୋଷ୍ଟୀ ଶିକ୍ଷା ଅଧିକାରୀ ଶୁସିଳ କୁମାର ମୁଣ୍ଡ ଏବଂ ହେମନ୍ତ କୁମାର ପଣ୍ଡାଙ୍କୁ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ସମାଧାନ କରିବା ପାଇଁ ପଠାଇଥିଲେ। କିନ୍ତୁ ଆନ୍ଦୋଳନକାରୀ ନିଜ ଜିଦରେ ଅଟଳ ରହିଥିଲେ। ଖୋଦ ବିଡିଓ ଆସି ସେମାନଙ୍କ ସମସ୍ୟାର ସମାଧାନ କରିବାକୁ ଅଡି ବସିଥିଲେ।

ଭାଲୁବୁଟ୍ରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୧୦୮ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି। କିନ୍ତୁ ୮ଗୋଟି ଶ୍ରେଣୀ ପାଇଁ ରହିଛି ଦୁଇଗୋଟି ଶ୍ରେଣୀ ଗୃହ। ଦୀର୍ଘ ବର୍ଷ ଧରି ବିଦ୍ୟାଳୟ କୋଠା ନିର୍ମାଣ ପାଇଁ ଦାବି କରାଯାଉଥିଲେ ମଧ୍ୟ କେହି ଗୁରୁତ୍ୱ ଦେଉନଥିବାରୁ ବାଧ୍ୟ ହେଇ ଦୁଇ ଗୋଟି ଶ୍ରେଣୀ ଗୃହରେ ଛାତ୍ର ଛାତ୍ରୀଙ୍କୁ ଭରି ଦେଇ ଜଗୁଆଳି ସାଜି ଶିକ୍ଷକ ଜଗି ରହନ୍ତି। ଯାହାକୁ ନେଇ ଅବିଭାବକ ଏବଂ ବିଦ୍ୟାଳୟ ପରିଚାଳନା କମିଟି ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା। ଅସନ୍ତୋଷ କାରଣରୁ ଶୁକ୍ରବାର ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦୁଃଶାଷନ ଖର୍ସେଲ, ଅଜିତ କୁମାର ମୁଣ୍ଡ, ଅମିତ କୁମାର ବାରିକ, ହରିଶଙ୍କର ସାହୁ, ଶଙ୍କର୍ଶଣ ସାହୁ, ହରପ୍ରସାଦ ମାଝୀ ପ୍ରମୁଖଙ୍କ ନେତୃତ୍ୱରେ ବିଦ୍ୟାଳୟର ଫାଟକରେ ତାଲା ଦିଆଯାଇଥିଲା। ଏହାସହ ରାସ୍ତାକଡରେ ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ମାନଙ୍କୁ ବସାଇଥିଲେ। ବିଡିଓ ବିଜୟ କୁମାର ମାଣ୍ଡାଙ୍ଗି, ସହକାରୀ ଯନ୍ତ୍ରୀ ଇଂ ସନ୍ତୋଷ କୁମାର ବେହେରା, ନୁଆଗାଁ ସରପଂଚ ଶୁଶାନ୍ତ ମାଝୀ ପ୍ରମୁଖ ଆନ୍ଦୋଳନସ୍ଥଳରେ ପହଂଚି ବିଦ୍ୟାଳୟର ନୂତନ କୋଠା ନିର୍ମାଣ ପାଇଁ ଥିବା ଅନୁଦାନ ସମ୍ବନ୍ଧରେ ଆଲୋଚନା କରିଥିଲେ। ଏହାସହ ସୋମବାର ଠାରୁ ନୂତନ କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିଶ୍ରୁତି ପାଇବା ପରେ ଆନ୍ଦୋଳନକାରୀ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ।

Comments are closed.