ବାଜାବଜାଇ ବାଣଫୁଟାଇ ଜନ୍ମମାଟିରେ କାଳୀପୂଜା ପାଳିଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝରଗଡ଼: ଧର୍ମପତ୍ନୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ରାଜଧାନୀ ରାଜରାସ୍ତାର ଫୁଟପାଥରୁ ଦୀପ ଓ ତେଲ କିଣ ସେଠାରୁ ସିଧା ପହଞ୍ଚିଲେ ଜନ୍ମମାଟି କେନ୍ଦୁଝରର ରାଇକଳା ଗ୍ରାମରେ। ପଡୋଶୀ, ଗ୍ରାମବାସୀ ଓ ସ୍ଥାନୀୟ ଶୁଭେଛୁଙ୍କ ସହିତ ପାରମ୍ପରିକ ଆଦିବାସୀ ସମାଜ ଶୈଳୀରେ ପାଳିଲେ ଦୀପାବଳି। ମିଠା ଖାଇଲେ, ବାଣ ଫୁଟାଇଲେ, ପାରମ୍ପରିକ ମାଦଳ ବଜାଇ ଅଞ୍ଚଳବାସୀ ଓ ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇବା ସହ ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ। ମୁଖ୍ୟମନ୍ତ୍ରୀ ହେବା ପରେ ଶ୍ରୀ ମାଝୀଙ୍କ ଏହା ନିଜ ନିର୍ବାଚନମଣ୍ଡଳୀ ଓ ଜନ୍ମମାଟିକୁ ଚତୁର୍ଥ ଗସ୍ତ ଥିବାବେଳେ ଆଲୋକର ପର୍ବ ଦୀପାବଳିକୁ ପାରମ୍ପରିକ ଢ଼ଙ୍ଗରେ ଆନନ୍ଦ ଉଲ୍ଲାସର ସହ ଉପଭୋଗ କରିଛନ୍ତି। ଗୁରୁବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏକ ସ୍ୱତନ୍ତ୍ର ବିମାନରେ ଦୁଇଦିନିଆ ଗସ୍ତରେ କେନ୍ଦୁଝରେ ପହଞ୍ଚିବା ପରେ ସଡକପଥରେ ପୈତୃକ ଗ୍ରାମ ରାଇକଳାରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ହୋଇଥିବା ଗାଁର ପୁଅକୁ ଦୀପାବଳି ଅବସରରେ ସ୍ୱାଗତ କରିବା ପାଇଁ ରାଇକଳା ଗ୍ରାମବାସୀ ଉତ୍ସାହିତ ଥିଲେ। ଏକାଠି ହୋଇଥିଲେ ପଡୋଶୀ, ଗ୍ରାମବାସୀ ଓ ଆଖପାଖ ଅଞ୍ଚଳର ମୁରବୀଙ୍କ ସମେତ ବହୁ ଶୁଭେଚ୍ଛୁ ଓ ପ୍ରଶଂସକ। ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ସାନ୍ତାଳୀ ସମ୍ପ୍ରଦାୟର ପରମ୍ପରା ଅନୁସାରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ଗ୍ରାମର ମହିଳାମାନେ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ପାଦ ଧୋଇ ସ୍ୱାଗତ ଜଣାଇବା ପରେ ଆରମ୍ଭ ହୋଇଥିଲା ପାରମ୍ପରିକ ‘ବନ୍ଦଣା ପର୍ବ’। ଗ୍ରାମବାସୀଙ୍କ ସହ ମିଠା ଖାଇ ଦୀପାବଳି ଶୁଭେଚ୍ଛା ଜଣାଇବା ପରେ ଗ୍ରାମବାସୀଙ୍କ ଗହଣରେ ବାଣ ଫୁଟାଇଥିଲେ। ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ସହ ମିଶି କାନ୍ଧରେ ମୃଦଙ୍ଗ ପକାଇ ବେଶ କିଛି ସମୟ ବଜାଉଥିବା ଦେଖିବାକୁ ମିଳିଥିଲା। ସାନ୍ତାଳୀ ସଂସ୍କୃତିରେ କୌଣସି ପାର୍ବଣ ସମୟରେ ପାରମ୍ପରିକ ବାଦ୍ୟଯନ୍ତ୍ରରେ ନାଚ ଗୀତର ପରମ୍ପରା ରହିଛି। ଏହାକୁ ସ୍ଥାନୀୟ ଭାଷାରେ ‘ଧିଙ୍ଗ୍‌‌ୱାନି ନାଚ’ ବୋଲି କୁହାଯାଏ। ‘ ମୋ ଗାଁ ରାଇକଳାରେ ପାଳନ କରାଯାଉଥିବା ଦୀପାବଳି ପର୍ବକୁ ‘ବନ୍ଦଣା ପର୍ବ’ କୁହାଯାଏ। ଏଥିରେ ‘ଗୋଠାଣ ପୂଜା’ କରାଯାଏ। ଆମ ସାହିରେ କରାଯାଉଥିବା ଏହି ପୂଜାପାଠରେ ଯୋଗ ଦେବାପାଇଁ ମୁଁ ସ୍ୱତନ୍ତ୍ର ଭାବେ ଆସିଛି। ଯେହେତୁ ଛୋଟବେଳୁ ମୁଁ ଏହି ପୂଜାରେ ସବୁବେଳେ ସାମିଲ ହୁଏ, ଏ ପୂଜାକୁ ମୁଁ ଭୁଲିପାରିନାହିଁ। ତେଣୁ ଏଥିରେ ସାମିଲ ହେବାକୁ ଆସିଛି। ଆମ ଗାଁରେ ଲୋକମାନେ ମାଦଳ ବଜାଇଲେ, ଗୀତଗାଇ ନାଚିଲେ, ଘରକୁ ଘର ବୁଲିଲେ। ଏହାକୁ ଧିଙ୍ଗ୍‌‌ୱାନି ନାଚ କୁହାଯାଏ। ଏହି ନାଚ ଗୀତରେ ମୁଁ ସାମିଲ ହେଲି। ଏ ପର୍ବରେ ଓଡ଼ିଆ ଅସ୍ମିତାର କଥା ଅଛି’ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହା କହିଛନ୍ତି।

ଶୁକ୍ରବାର ଆମ ଘରେ ଶୁକ୍ରବାର ‘ଗୋବର୍ଦ୍ଧନ ପୂଜା’ ବା ‘ଗୁହାଳ ପୂଜା’ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେ ମଧ୍ୟ ମୁଁ ସାମିଲ ହେବି। କାଳୀପୂଜାକୁ ଆମ ସାନ୍ତାଳୀ ସମାଜରେ ‘ସହରାଇ ପରବ’ କୁହାଯାଏ। ଏହାକୁ ବି ପାଳନ କରିବୁ। ଏହାପରେ ଶୁକ୍ରବାର ଅପରାହ୍ନରେ କେନ୍ଦୁଝର ସହରରେ ଧୁମଧାମରେ ପାଳନ ହୋଇ ଆସୁଥିବା କାଳୀପୂଜାରେ ସାମିଲ ହୋଇ ବିଭିନ୍ନ ପୂଜାମଣ୍ଡପ ବୁଲି ମା’ଙ୍କ ଆଶିର୍ବାଦ ଭିକ୍ଷା କରିବି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନ୍ମମାଟି ରାଇକଳା ଗ୍ରାମ ଗସ୍ତରେ ସାଂସଦ ଅନନ୍ତ ନାୟକ, ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାୟକ, ଜିଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତବର୍ମାଙ୍କ ସମେତ ଜିଲା ବିଜେପିର ବହୁ ପ୍ରମୁଖ କର୍ମକର୍ତ୍ତା ଓ ଶୁଭେଛୁ ସାମିଲ ହୋଇଥିଲେ।

Comments are closed.