ସମାଜ ଡିଜିଟାଲ ଡେସ୍କ: ଗୁଜରାଟର ଅହମ୍ମଦାବାଦ ସହରରେ ଥିବା ଏକ ପୋଷାକ କାରଖାନାରେ ରବିବାର ଗ୍ୟାସ ଲିକ୍ ଯୋଗୁ ୨ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ୭ ଜଣ କର୍ମଚାରୀ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଏଲଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି।
ଅହମ୍ମଦାବାଦ ସହରର ନାରୋଲ ଶିଳ୍ପାଞ୍ଚଳରେ ଥିବା ଦେବୀ ସିନ୍ଥେଟିକ୍ସ କାରଖାନାରେ ରବିବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ଏହି ଅଘଟଣ ଘଟିଛି। କାରଖାନାରେ ବ୍ୟବହୃତ ଏସିଡକୁ ଅନ୍ୟ ଏକ ଟାଙ୍କିକୁ ସ୍ଥାନାନ୍ତର କରାଯିବା ସମୟରେ ଗ୍ୟାସ ଲିକ୍ ହୋଇଥିବା ସ୍ଥାନୀୟ ଡିସିପି ରବିମୋହନ ସାଇନି କହିଛନ୍ତି।



