www.samajalive.in
Friday, December 12, 2025
15.1 C
Bhubaneswar

ମିଳିଲା ମୌର୍ଯ୍ୟ ଯୁଗର ୫ଟି ରୌପ୍ୟ ମୁଦ୍ରା

ଭୁବନେଶ୍ବର : କଳାହାଣ୍ଡି ଜିଲାର ନର୍ଲା ଅସୁରଗଡ଼ରେ ପ୍ରତ୍ନତାତ୍ତ୍ୱିକ ଉତ୍‌ଖନନ ପରେ ସେଠାରେ ୨୩୦୦ବର୍ଷ ପ୍ରାଚୀନ ସଭ୍ୟତାର ଅଭ୍ୟୁଦୟ ଦେଖିବାକୁ ମିଳିଛି। ତୃତୀୟ ଓ ପଞ୍ଚମ ଶତାବ୍ଦୀ ସମୟର ଏହି ସଭ୍ୟତାରେ ଲୋକଙ୍କ ଜୀବନଶୈଳୀ କିଭଳି ଥିଲା ତାହା ଧୀରେ ଧୀରେ ଲୋକଲୋଚନକୁ ଆସୁଛି। ଏଠାକାର ସଭ୍ୟତା ଶିଶୁପାଳଗଡ଼ଠାରୁ ପ୍ରାଚୀନ ବୋଲି ଅଧିକ ଉତ୍‌ଖନନ ପରେ ଜଣାପଡ଼ିବ ଭୁବନେଶ୍ୱର ଏଏସ୍‌ଆଇ ଏସ୍କାଭେସନ୍‌ ବ୍ରାଞ୍ଚ-୪ ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ ଡ.ଦିବସଦ ଗଡ଼ନାୟକ ସୂଚନା ନେଇଛନ୍ତି। ନର୍ଲା ଅସୁରଗଡ଼ ଉତ୍‌ଖନନସ୍ଥଳରୁ ୫ଟି ରୌପ୍ୟମୁଦ୍ରା ଆବିଷ୍କୃତ ହୋଇଛି, ଯାହା ମୌର୍ଯ୍ୟ ଯୁଗର ବୋଲି ଜଣାପଡ଼ିଛି। ମୌର୍ଯ୍ୟ ବଂଶର ସମସାମୟିକ ବ୍ୟବସାୟ ସମ୍ପର୍କରେ ସୂଚନା ମିଳିଛି। ପ୍ରାଚୀନ ଓଡ଼ିଶାର ମଗଧ ସହିତ ବ୍ୟବସାୟିକ ସମ୍ପର୍କ ସୁଦୃଢ଼ ଥିଲା ବୋଲି ଜଣାପଡ଼ିଛି। ଏହି ଉତ୍‌ଖନନ ସ୍ଥଳରୁ ପ୍ରାଥମିକ ପର୍ଯ୍ୟାୟରେ ୭ଟି ଗୋଲାକାର, ଅର୍ଦ୍ଧ ବୃତ୍ତାକାର, ଆୟତାକାର ଘର ଆବିଷ୍କାର କରାଯାଇଛି। ସେହିପରି ଲୌହଚକ୍ର ଓ ଦୁଇଟି ଲୌହ ତୀର ସହିତ ଗୋଡ଼ର ମୁଦି, ମୋତି, ଜାସ୍‌ପର, କାନଫୁଲ, ଆଗେଟ୍‌ ଆଦି ଉତ୍‌ଖନନ ସମୟରେ ମିଳିଛି ବୋଲି ଶ୍ରୀ ଗଡ଼ନାୟକ କହିଛନ୍ତି। ନର୍ଲା ଅସୁରଗଡ଼ରେ ଉତ୍‌ଖନନ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ଅନୁମତି ପ୍ରଦାନ ପରେ ସେଠାରେ ୨୦୧୮ ନଭେମ୍ବର ଶେଷ ସପ୍ତାହରୁ ଉତ୍‌ଖନନ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ତାହା ଏପ୍ରିଲ୍‌ ମାସ ପର୍ଯ୍ୟନ୍ତ ଚାଲିବ। ଶିଶୁପାଳଗଡ଼ ଉତ୍‌ଖନନ ପରେ ସେଠାରେ ପ୍ରାଚୀନ ସଭ୍ୟତାର ଅଭ୍ୟୁଦୟ ଦେଖିବାକୁ ମିଳିଥିଲା। ନର୍ଲା ଅସୁରଗଡ଼ରେ ଆଉ ଏକ ମାସ ତଥା ପ୍ରାୟ ୩ଫୁଟ ଡିପୋଜିଟ୍‌ ଉତ୍‌ଖନନ ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ।. ନର୍ଲା ଅସୁରଗଡ଼ ଏକ ମାଟିର ଦୁର୍ଗ ହୋଇଥିବାରୁ ତାହା ଶିଶୁପାଳଗଡ଼ଠାରୁ ପ୍ରାଚୀନ କି ନୁହେଁ ତାହା ଜାଣିବା ପାଇଁ ଏଠାରେ ଉତ୍‌ଖନନ ଜାରି ରହିଛି। ଶିଶୁପାଳଗଡ଼ ଦୁର୍ଗ ଭଳି ଦେଖିବାକୁ ନର୍ଲା ଅସୁରଗଡ଼ ମାଟିର ଦୁର୍ଗ। ଏହା କଳାହାଣ୍ଡି ଜିଲାର ସଦରମହକୁମା ଭବାନିପାଟଣାରୁ ୩୫କିଲୋମିଟର ଏବଂ ନର୍ଲାଠାରୁ ଦୁଇ କିଲୋମିଟର ଦୂରରେ ଅବସ୍ଥିତ। ଏଏସ୍‌ଆଇ ପକ୍ଷରୁ ପ୍ରଥମ ଥର ପାଇଁ ପଶ୍ଚିମ ଓଡ଼ିଶାରେ ବଡ଼ ଧରଣର ଉତ୍‌ଖନନ ପ୍ରକଳ୍ପ ହାତକୁ ନିଆଯାଇଛି। ନର୍ଲା ଅସୁରଗଡ଼ କେତେ ପୁରୁଣା, ଏଠାରେ କେତେ ବର୍ଷ ତଳର ସଭ୍ୟତା ରହିଥିଲା, ଏହା ଶିଶୁପାଳଗଡ଼ର ସମସାମୟିକ କିମ୍ବା ତା’ପୂର୍ବରୁ ରହିଛି ଇତ୍ୟାଦି ଜାଣିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଉତ୍‌ଖନନ ପରେ ଏଠାକାର ପ୍ରାଚୀନ ସଭ୍ୟତା ଓ ଓଡ଼ିଶା ଇତିହାସର ଅନେକ ତଥ୍ୟ ମିଳିପାରେ ବୋଲି ଡ.ଗଡ଼ନାୟକ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories