ବିନ୍ଦୁ ଓ କନକଦୁର୍ଗାଙ୍କୁ ସୁରକ୍ଷା ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

0

ନୂଆଦିଲ୍ଲୀ : କେରଳର ସୁପ୍ରସିଦ୍ଧ ଶାବରୀମାଳା ମନ୍ଦିରରେ ପ୍ରବେଶ କରିଥିବା ୨ ଜଣ ମହିଳାଙ୍କୁ ନିରନ୍ତର ସୁରକ୍ଷା ଯୋଗାଇଦେବା ଲାଗି ସୁପ୍ରିମକୋର୍ଟ ଶୁକ୍ରବାର ରାଜ୍ୟ ପୁଲିସକୁ ନିର୍ଦେଶ ଦେଇଛନ୍ତି। ମନ୍ଦିରରେ ୧୦ରୁ ୫୦ ବର୍ଷ ବୟସ୍କ ମହିଳାଙ୍କ ପ୍ରବେଶକୁ ନେଇ ପାରମ୍ପରିକ କଟକଣା ଥିବା ବେଳେ ଏଠାରେ ସବୁ ବୟସର ମହିଳାଙ୍କ ପ୍ରବେଶକୁ ସୁପ୍ରିମକୋର୍ଟ ୨୦୧୮ ସେପ୍ଟେମ୍ବରରେ ଅନୁମତି ପ୍ରଦାନ କରିଥିଲେ। ରାୟ ବିରୋଧରେ ପ୍ରବଳ ବିକ୍ଷୋଭ ସତ୍ତ୍ବେ ଶାବରୀମାଳାର ଆରାଧ୍ୟ ଦେବତା ଆୟାପ୍ପାଙ୍କ ମନ୍ଦିରରେ କନକ ଦୁର୍ଗା ଏବଂ ବିନ୍ଦୁ ନାମକ ଦୁଇ ଜଣ ମହିଳା ଜାନୁଆରୀ ୨ରେ ପ୍ରଥମ ଥର ଲାଗି ପ୍ରବେଶ କରିଥିଲେ। ଫଳରେ ସେମାନଙ୍କୁ ଅନେକ ଧମକ ମିଳିଥିଲା। ଏଣୁ ସୁରକ୍ଷା ଯୋଗାଇଦେବା ଲାଗି ଉଭୟ ମହିଳା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସମସ୍ତ ଯୁକ୍ତି ଶୁଣିବା ପରେ ପ୍ରଧାନବିଚାରପତି ରଞ୍ଜନ ଗୋଗଇ, ଜଷ୍ଟିସ ଏଲ୍‌. ଏନ୍‌. ରାଓ ଓ ଜଷ୍ଟିସ ଦିନେଶ ମାହେଶ୍ବରୀଙ୍କ ପୀଠ ଉଭୟ ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ପୁଲିସକୁ ନିର୍ଦେଶ ଦେଇଛନ୍ତି। ଏଥିସହ ଏହି ମାମଲାକୁ ଶାବରୀମାଳା ସମ୍ବନ୍ଧୀୟ ଅନ୍ୟ ମାମଲା ସହିତ ନ ଯୋଡିବାକୁ ପୀଠ କହିଛନ୍ତି। ଶୁଣାଣି ବେଳେ ରାଜ୍ୟ ସରକାର ସର୍ବୋଚ୍ଚ ଅଦାଲତରେ ସୂଚନା ଦେଇଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ରାୟ ପରଠାରୁ ଇତିମଧ୍ୟରେ ୫୧ ଜଣ ୫୦ ବର୍ଷ ବୟସ୍କ ମହିଳା ଏହି ମନ୍ଦିରରେ ପ୍ରବେଶ କରିଛନ୍ତି। ବରିଷ୍ଠ ଆଇନଜୀବୀ ବିଜୟ ହନସାରିଆ କେରଳ ସରକାରଙ୍କ ପକ୍ଷ ଉପସ୍ଥାପନ କରି କହିଛନ୍ତି, ମନ୍ଦିର ଦର୍ଶନ ଲାଗି ୭୫୦୦ରୁ ଊର୍ଦ୍ଧ୍ବ ମହିଳା ଅନଲାଇନରେ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୫୦ ଜଣ ସଫଳ ହୋଇଛନ୍ତି।

Leave A Reply