ଯେକୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ : ଧୋନି

0

ମେଲବୋର୍ଣ୍ଣ : ଘରୋଇ ଅଷ୍ଟ୍ରେଲିଆକୁ ୨-୧ରେ ଦିନିକିଆ ସିରିଜ୍‌ରେ ପରାସ୍ତ କରିଛି ଭ୍ରମଣକାରୀ ଭାରତ। ଏହି ସିରିଜ୍‌ରେ ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ ଭାବେ ବିବେଚିତ ହୋଇଥିଲେ ଭାରତୀୟ ୱିକେଟରକ୍ଷକ ବ୍ୟାଟସମ୍ୟାନ୍‌ ମହେନ୍ଦ୍ର ସିଂ ଧୋନି। ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆରେ ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଧୋନି ସାମ୍ବାଦିକଙ୍କ ସହ ଆଲୋଚନା କାଳରେ କହିଥିଲେ ଭାରତୀୟ ବ୍ୟାଟିଂକ୍ରମର ଯେକୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ସେ ପ୍ରସ୍ତୁତ। ସାଧାରଣତଃ ଧୋନି ବ୍ୟାଟିଂକ୍ରମର ୬ନଂରେ ବ୍ୟାଟିଂ କରିଥାନ୍ତି। ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ୪ନଂରେ ବ୍ୟାଟିଂ କରିଥିଲେ। ଏ ସଂପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଧୋନି କହିଥିଲେ ୪ କିମ୍ବା ୬ନଂରେ ବ୍ୟାଟିଂ କରିବା ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ନୁହେଁ। ଯେକୌଣସି ସ୍ଥାନରେ ବ୍ୟାଟିଂ କରି ଦଳକୁ ବିଜୟୀ କରାଇ ପାରିଲେ ଖୁସି ହେବି। ଦଳ ଯେତେବେଳେ ତାଙ୍କୁ ବ୍ୟାଟିଂ କରିବାକୁ କହିବ ସେହି ସ୍ଥାନରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ ଅଛି।
ତୃତୀୟ ଦିନିକିଆରେ ଧୋନି ଅପରାଜିତ ୮୭ ରନ୍‌ କରି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କେଦାର ଯାଦବଙ୍କ ସହ ଧୋନି ୧୨୧ ରନ୍‌ର ପାର୍ଟନରସିପ୍‌ କରିଥିଲେ। ତୃତୀୟ ଦିନିକିଆରେ ବିଜୟୀ ହେବାକୁ କ’ଣ ରଣନୀତି ପ୍ରସ୍ତୁତ କରିଥିଲେ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଧୋନି କହିଥିଲେ ମେଲବୋର୍ଣ୍ଣ ପିଚ୍‌ ଧିମା ଥିଲା। ଏହି ପିଚ୍‌ରେ ରନ୍‌ ସଂଗ୍ରହ କରିବା ବେଶ୍ କଷ୍ଟକର। ଅଷ୍ଟ୍ରେଲିଆ ବୋଲରମାନେ ଭଲ ପ୍ରଦର୍ଶନ କରୁଥିବାରୁ ଆକ୍ରମଣାତ୍ମକ ବ୍ୟାଟିଂ କରିବା ଠିକ୍‌ ନୁହେଁ ବୋଲି ଅନୁଭବ କରି ଧିରେ ସୁସ୍ଥେ ରନ୍ ସଂଗ୍ରହ କରିବା ଉପରେ ଜୋର୍‌ ଦେଇଥିଲି। କେଦାର ଯାଦବ ମଧ୍ୟ ବେଶ୍ ଭଲ ପ୍ରଦର୍ଶନ କରିବାରୁ ଦଳ ବିଜୟୀ ହୋଇଥିଲା।
ତୃତୀୟ ଦିନିକିଆ ସହ ସିରିଜ୍‌ ବିଜୟୀ ହୋଇଥିବାରୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ବେଶ୍‌ ଖୁସି ଥିବା କହିଛନ୍ତି। ତୃତୀୟ ଦିନିକିଆରେ ଧୋନି ଓ କେଦାର ଯେପରି ପ୍ରଦର୍ଶନ କଲେ ତାହାକୁ କୋହଲି ଉଚ୍ଚପ୍ରଶଂସା କରିଥିଲେ। ମ୍ୟାଚ୍‌ ଶେଷ​‌ ହେବା ପରେ ନିଜ ପ୍ରତିକ୍ରିୟାରେ କୋହଲି କହିଥିଲେ ଧୋନିଙ୍କ ଆବଶ୍ୟକତା କ’ଣ ପାଇଁ ଭାରତୀୟ ଦିନିକିଆ ଦଳରେ ରହିଛି ତାହା ସେ ପ୍ରମାଣିତ କରି ଦେଇଛନ୍ତି। ସେହିପରି କେଦାର ଯାଦବ ମଧ୍ୟ ଅଭିଜ୍ଞ ଖେଳାଳିଙ୍କ ପରି ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। କୁଲଦୀପ ଯାଦବ ଏହି ସିରିଜ୍‌ରେ ପୂର୍ବରୁ ମ୍ୟାଚ୍‌ ଖେଳି ସାରିଥିବାରୁ ତୃତୀୟ ଦିନିକିଆରେ ୟୁଜବେନ୍ଦ୍ର ଚହଲଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବାକୁ ନିଷ୍ପତ୍ତି ହୋଇଥିଲା, ଯାହାକି ଫଳପ୍ରଦ ହୋଇଛି। ଭାରତୀୟ ଦଳ ଟ୍ବେଣ୍ଟି୨୦ ସିରିଜ୍‌କୁ ଡ୍ର ରଖିଥିବା ବେଳେ ଟେଷ୍ଟ ଓ ଦିନିିକିଆ ସିରିଜ୍‌ ଜିତିଛି। ବିଶ୍ବକପ୍‌ ପ୍ରସ୍ତୁତି ନିମନ୍ତେ ଏହି ସିରିଜ୍‌ ଖେଳାଳିଙ୍କ ମନୋବଳ ବଢ଼ାଇବାରେ ବେଶ୍‌ ସହାୟକ ହେବ। ସେହିପରି ତୃତୀୟ ଦିନିକିଆରେ ୬ଟି ୱିକେଟ୍‌ ନେଇ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍ ଭାବେ ବିବେଚିତ ​‌ହୋଇଥିବା ଚହଲ୍ କହିଥିଲେ ଅଷ୍ଟ୍ରେଲିଆ ପିଚ୍‌ରେ ବୋଲିଂ କରି ସଫଳତା ପାଇଥିବାରୁ ସେ ବେଶ୍‌ ଖୁସି ଅଛନ୍ତି। ତୃତୀୟ ମ୍ୟାଚ୍‌ରେ ଧିମା ବୋଲିଂ କରିବାକୁ ସେ ନିଷ୍ପତ୍ତି ନେଇଥିଲେ ଏବଂ ଏହାଫଳରେ ସଫଳତା ପାଇଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ରେ ଭଲ ପ୍ରଦର୍ଶନ କରିବାକୁ ସେ ଆଶା ରଖିଛନ୍ତି।

Leave A Reply