ଉତ୍ତର ଭାସୁଛି : ପଶ୍ଚିମରେ ମରୁଡ଼ି ଆଶଙ୍କା
ଭୁବନେଶ୍ୱର/ସୁନ୍ଦରଗଡ଼ : ବାତ୍ୟା ‘ଦାନା’ ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାର ୫ଟି ଜିଲାରେ ବର୍ଷା ଓ ପବନ ଯୋଗୁ ଧାନ ଓ ପରିବା ଫସଲ କ୍ଷତିଗ୍ରସ୍ତ ହୋଇଛି। ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼ ଜିଲାରେ ଶହ ଶହ ଧାନ ଜମି ପାଣି ବିନା କ୍ଷୀର ଢୋକି ନ ପାରି ମରିବାକୁ ବସିଛି। ଫଳରେ ସେଠାରେ ମରୁଡ଼ି ଆଶଙ୍କା ଦେଖାଯାଇଛି। ଏଣେ ଉତ୍ତର ଓ ଉପକୂଳ ଓଡ଼ିଶାରେ ଦାନା ଯୋଗୁଁ ବର୍ଷା ଓ ପବନରେ ଧାନ ସମେତ ବାଇଗଣ, ଭେଣ୍ଡି, ଝୁଡଙ୍ଗ, ପୋଟଳ ଅନ୍ୟାନ୍ୟ ପରିବା ଜମିରେ ଲୋଟୁଛି। ବାତ୍ୟାରେ ୧୪ଟି ଜିଲା ପ୍ରଭାବିତ ହୋଇଛି। ତେବେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ମୟୂରଭଞ୍ଜ ଜିଲାରେ ଅଧିକ ଫସଲ କ୍ଷତିଗ୍ରସ୍ତ ହୋଇଛି। କୃଷି ବିଭାଗର ପ୍ରାଥମିକ ଆକଳନ ଅନୁଯାୟୀ, ଏହି ୫ଟି ଜିଲାର ପ୍ରାୟ ୧ ଲକ୍ଷ ୯୩ ହଜାର ୧୧ ହେକ୍ଟର ଜମି ଜଳମଗ୍ନ ଓ ଫସଲ ପ୍ରଭାବିତ ହୋଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଫସଲ କ୍ଷୟକ୍ଷତି ଉପରେ ସମୀକ୍ଷା କରି କହିଛନ୍ତି, ନିୟମ ଅନୁଯାୟୀ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ। ଏଥିପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ୭ଦିନରେ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦାଖଲ କରିବାକୁ ଜିଲା କୃଷି ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ରିପୋର୍ଟରେ କୌଣସି ପ୍ରକାର ତ୍ରୁଟି ରହିବ ନାହିଁ, ଯଦି କୌଣସି ଅଧିକାରୀ ତ୍ରୁଟି କରନ୍ତି, ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓ କହିଛନ୍ତି।
ବର୍ଷା କମିବା ପରେ ଅଧିକାରୀମାନେ ତୃଣମୂଳ ସ୍ତରକୁ ଯାଇ କ୍ଷୟକ୍ଷତିର ଜିଓ ଟ୍ୟାଗିଂ ରିପୋର୍ଟ କରି ସରକାର ଓ କୃଷି ବିଭାଗକୁ ପଠାଇବେ। ଭଦ୍ରକ ଜିଲାର ୭ଟି ବ୍ଲକର ୮୮,୫୯୪ ହେକ୍ଟର ଜମି ଜଳମଗ୍ନ ହୋଇଥିବା ବେଳେ ୨୪,୮୨୭ ହେକ୍ଟର ଚାଷ ଜମିରେ ଫସଲହାନି ଆକଳନ କରାଯାଇଛି। ସେହିପରି କେନ୍ଦ୍ରାପଡ଼ା ଜିଲାର ୮ଟି ବ୍ଲକରେ ପ୍ରାୟ ୨୮,୪୨୬ହେକ୍ଟର ଜମି ପ୍ରଭାବିତ ହୋଇଛି। ବାଲେଶ୍ବର ଜିଲାର ୧୨ଟି ବ୍ଲକର ୪୩୯୬ ହେକ୍ଟର ଜମି ଜଳମଗ୍ନ ଥିବାବେଳେ ୩୧୪୦ ହେକ୍ଟର ଜମି ପ୍ରଭାବିତ ହୋଇଛି। ଯାଜପୁର ଜିଲାର ୭ଟି ବ୍ଲକର ୧୭,୬୬୬ ହେକ୍ଟର ଜମି ଜଳମଗ୍ନ ହୋଇଥିବା ବେଳେ
୨୧,୭୦୯ ହେକ୍ଟର ଜମି ପ୍ରଭାବିତ ହୋଇଛି। ମୟୂରଭଞ୍ଜ ଜିଲାର ୧୬ଟି ବ୍ଲକରୁ ୧୮୭୨ ହେକ୍ଟର ଜମି ଜଳମଗ୍ନ ହୋଇଥିବା ବେଳେ ୨୩୮୧ ହେକ୍ଟର ଜମି ପ୍ରଭାବିତ ହୋଇଥିବା ବିଭାଗ ପକ୍ଷରୁ ଆକଳନ କରାଯାଇଛି।
ସରକାରଙ୍କ ନିର୍ଦେଶ ଅନୁଯାୟୀ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ, ଯାହାଙ୍କ ପାଖରେ ୨ ହେକ୍ଟର ପର୍ଯ୍ୟନ୍ତ ଚାଷଜମି ଥିବ ଏବଂ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ୩୩ ପ୍ରତିଶତରୁ ଅଧିକ ଫସଲ ହାନି ହୋଇଥିବ ସରକାରଙ୍କ ଧାର୍ଯ୍ୟ ସହାୟତା ମୂଲ୍ୟ ବର୍ଷାଜଳ ଉପରେ ନିର୍ଭରଶୀଳ ତଥା ଅଣଜଳସେଚିତ ଅଞ୍ଚଳ(ରେନଫେଡ଼ ଏରିଆ)ରେ ହେକ୍ଟର ପିଛା ୮୫୦୦ ଟଙ୍କା ରହିଛି। ଜଳସେଚନ ଅଞ୍ଚଳରେ ହେକ୍ଟର ପିଛା ୧୭,୦୦୦ ଟଙ୍କା ଏବଂ ବାରମାସୀ ଫସଲ ହେକ୍ଟର ପିଛା ୨୨,୫୦୦ ଟଙ୍କା ରହିଛି। ସମସ୍ତ ତଥ୍ୟ ମିଳିବା ପରେ ସରକାର ଏ ଦିଗରେ ନିଷ୍ପତ୍ତି ନେବେ ବୋଲି ବିଭାଗୀୟ ସଚିବ ଡ. ଅରବିନ୍ଦ ପାଢୀ କହିଛନ୍ତି। ବୈଠକରେ କୃଷି ନିର୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦେଶକ ନିଖିଲ ପୱନ କଲ୍ୟାଣଙ୍କ ସହିତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ଆଭାସି ମାଧ୍ୟମରେ ଜିଲା କୃଷି ଅଧିକାରୀମାନେ ସାମିଲ ହୋଇଥିଲେ।
ଅପରପକ୍ଷରେ ସୁନ୍ଦରଗଡ଼ ଜିଲାର ନଦୀ,ନାଳ ଶୁଖିଲା, କ୍ଷେତ ପଡ଼ିଆ ପଡ଼ିଛି। ସୁନ୍ଦରଗଡ଼ ଜିଲାରେ କ୍ଷେତ ଫାଟି ଆଁ କଲାଣି। ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ସବଡେଗା ବ୍ଲକ ହମିରପୁର ପଞ୍ଚାୟତ ସର୍ବାଧିକ ପ୍ରଭାବିତ ହୋଇଥିବା ଖବର ହସ୍ତଗତ ହୋଇଛି। ଶହଶହ ଏକର ଜମିରେ ଧାନ ଚାଷ ହୋଇଥିଲେ ହେଁ ପାଣି ଅଭାବରୁ ଧାନ ଗଛ ମରିବାକୁ ବସିଲାଣି। ସରକାର ଧାନର ସର୍ବନିମ୍ନ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି କଲା ପରେ ଉତ୍ସାହିତ ଚାଷୀକୂଳ ବହୁ ହେକ୍ଟର ଜମିରେ ଧାନ ଚାଷ କରିଥିଲେ। ତେବେ ବର୍ଷା ଅଭାବରୁ କ୍ଷେତରେ ଧାନ ମରିବାକୁ ବସିଲାଣି । ଅଭାବୀ ବର୍ଷା ଓ ଜଳସେଚନ ଅଭାବ ସମ୍ଭାବ୍ୟ ମରୁଡ଼ିର ମୂଳ କାରଣ ବୋଲି କୁହାଯାଇପାରେ। ତଥ୍ୟ ଅନୁସାରେ ଗତ ସେପ୍ଟେମ୍ବର ମାସର ବୃଷ୍ଟିପାତ ହାର ୨୧୨.୨ ମିମି ରହିଥିବାବେଳେ ଜିଲାରେ ଗତମାସ ୧୭୮.୭୩ମିମି ବର୍ଷା ହୋଇଥିବା ରେକର୍ଡ କହୁଛି ା ଅର୍ଥାତ୍ ଗତମାସ ଜିଲାରେ ମୋଟ ୧୪ଦିନ ବର୍ଷା ହୋଇଥିବାବେଳେ ସ୍ବାଭାବିକ ବୃଷ୍ଟିପାତ ହାରରୁ ୮୪.୨୩ପ୍ରତିଶତ କମ ବୃଷ୍ଟିପାତ ହୋଇଥିବା ରେକର୍ଡ କରାଯାଇଛି। ସେହିପରି ଚଳିତମାସ ମଧ୍ୟ ନିଅଣ୍ଟିଆ ବର୍ଷା ଚାଷୀକୂଳ ପାଇଁ ବିପଦ ସୃଷ୍ଟି କରିଛି। ଜିଲାର ଅକ୍ଟୋବର ମାସର ବୃଷ୍ଟିପାତ ହାର ୫୭.୬ମିମି ହୋଇଥିବାବେଳେ ଆଜିସୁଦ୍ଧା ମୋଟ ୨ଦିନକୁ ବର୍ଷାଦିନ ଭାବେ ରେକର୍ଡ କରାଯାଇଛି। ମୋଟ ୧୫.୧ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି, ଯାହା ସ୍ବାଭାବିକ ବୃଷ୍ଟିପାତ ହାରଠାରୁ ୨୬.୨୨ପ୍ରତିଶତ କମ୍ ବୋଲି ଜଣାଯାଇଛି । ପାଣିପାଗ ବିଭାଗର ଏହି ତଥ୍ୟ ଜିଲାରେ ନିଅଣ୍ଟିଆ ବୃଷ୍ଟିପାତକୁ ସୂଚାଉଥିବାବେଳେ ଚାଷ ଜମିକୁ ତୁରନ୍ତ ପାଣି ମଡ଼ାଯାଇ ନ ପାରିଲେ ସୁନ୍ଦରଗଡ଼ ଜିଲାରେ ମରୁଡ଼ି ପରିସ୍ଥିତି ଭୟଙ୍କର ହେବ ଓ ଚାଷୀକୂଳ ଅଧିକ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି । ଜିଲାର ଚାଷଜମି ଗୁଡ଼ିକରେ ପାଣି ସମସ୍ୟା ରହିଛି ଓ ଊଣା ଅଧିକେ ମରୁଡ଼ି ପରିସ୍ଥିତିକୁ ଜିଲା କୃଷି ଅଧିକାରୀ ସ୍ବୀକାର କରିଛନ୍ତି।
Comments are closed.