୧୮ ବର୍ଷ ହେଲା ଦରମା ନାହିଁ, ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଲାଞ୍ଜିଗଡ଼ ପଞ୍ଚାୟତ ଡ଼ମ୍ବିଶି ପଡ଼ାରେ ରହୁଥିବା ସ୍ବର୍ଗତ ଦାଶରଥି ଦଳେଇଙ୍କ ପୁଅ ପିତାମ ଦଳେଇ (୪୫)। ବାପାଙ୍କ ଦେହାନ୍ତ ହୋଇ ଆଜିକୁ ୧୮ ବର୍ଷ ହେଲା ତାଙ୍କ ବେତନ ମିଳୁନାହିଁ। ଏନେଇ ବର୍ଷ ବର୍ଷ ଧରି ପଞ୍ଚାୟତ, ବ୍ଳକରେ ଅଭିଯୋଗ କରିଆସୁଥିଲେ ମଧ୍ୟ ଆଜି ହେବ କାଲି ହେବ କହି ସମୟ ଦେଇ ଚାଲିଥିବା ସେ ପ୍ରକାଶ କରିଛନ୍ତି। ଶେଷରେ ନିରାସ ହୋଇ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଜିଲ୍ଲାପାଳଙ୍କୁ ଅଭିଯୋଗ ଅନୁସାରେ ଲାଞ୍ଜିଗଡ଼ର ପିତାମଙ୍କ ବାପା ସ୍ବର୍ଗତ ଦାଶରଥି ଦଳେଇ ଲାଞ୍ଜିଗଡ଼ ପଞ୍ଚାୟତ ଅଫିସରେ ପିଅନ୍ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ୨୦୦୬ ମସିହା ଜାନୁଆରୀ ୨ ତାରିଖରେ ଦାଶରଥିଙ୍କର ମୃତ୍ୟୁ ହୋଇଥିଲା। ବାପା ଦାଶରଥିଙ୍କ ମୃତ୍ୟୁ ପରେ ପିତାମଙ୍କୁ ପଞ୍ଚାୟତରେ ପିଅନ କାମ କରିବା ପାଇଁ କୁହାଯାଇଥିଲା। ସେହି ସମୟରେ ଲାଞ୍ଜିଗଡ଼ ତତ୍କାଳୀନ ସରପଞ୍ଚ ବନମାଳୀ ମାଝୀ, ନାଏବ ସରପଞ୍ଚ ଗୋଲାପି ନାଏକ ଓ ସମସ୍ତ ୱାଡ଼ ସଭ୍ୟ ସଭ୍ୟାଙ୍କୁ ନେଇ ୨୦୦୬ ମସିହା ଜାନୁଆରୀ ୧୫ ତାରିଖରେ ଏକ ରେଜୁଲେସନ୍ କରି ବ୍ଲକ ଜିପିଓଙ୍କୁ ଅବଗତ କରାଇବା ପରେ ପିତାମକୁ ଲାଞ୍ଜିଗଡ଼ ପଞ୍ଚାୟତ ପିଅନ ଭାବେ ରଖା ଯାଇଥିଲା। ସେହି ଦିନଠାରୁ ପିତାମ ଲାଞ୍ଜିଗଡ଼ ପଞ୍ଚାୟତରେ ସୁଚାରୁ ରୂପ କାର୍ଯ୍ୟ ତୁଲାଇ ଆସୁଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ଅଛି। କିନ୍ତୁ ଆଜିକୁ ୧୮ ବର୍ଷ ହେଲା ପିତାମଙ୍କ ଅନୁମୋଦନ ହୋଇ ପାରୁନାହିଁ କିମ୍ବା ପାରିଶ୍ରମିକ ଭାବେ ପଇସା ପତ୍ର ଦିଆ ଯାଉନଥିବା ଜିଲ୍ଲାପାଳଙ୍କ ନିକଟରେ ନେହୁରା ହୋଇ ପିତାମ ଲିଖିତ ଅଭିଯୋଗ କରିଛନ୍ତି। ଏପଟେ ପିତାମଙ୍କ ମା ଜମ୍ବୁବତୀ ଦଳେଇ (୬୪), ସ୍ତ୍ରୀ ତୁଳସୀ ଦଳେଇ, ବଡ଼ପୁଅ ଆଦିତ୍ୟ ଦଳେଇ (୯) ଓ ସାନପୁଅ ମାନସ ଦଳେଇ (୬) ବହୁ କଷ୍ଟରେ ଜୀବନଯାପନ କରୁଥିବା ଅଭିଯୋଗ କରିଛନ୍ତି। ଏନେଇ ଲାଞ୍ଜିଗଡ଼ ସରପଞ୍ଚ ସରସ୍ୱତୀ ମୁଣ୍ଡାଙ୍କୁ ପଚାରିବାରୁ ପିତାମଙ୍କୁ ସମସ୍ତ କାଗଜପତ୍ର ମାଗି ପଞ୍ଚାୟତ ନିର୍ବାହୀ ଅଧିକାରୀ ଭୀଷ୍ମ ମେହେରଙ୍କୁ ଦେବା ପରେ ସେ ଜିଲ୍ଲା ପଞ୍ଚାୟତ ଅଫିସରଙ୍କୁ ଦେଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ରଙ୍କୁ ପଚାରିବାରୁ ୧୮ ବର୍ଷ ହେଲା, ଯାହା ବି ନିଷ୍ପତ୍ତି କରିବେ ଜିଲ୍ଲାସ୍ତରରେ ହିଁ କରି ପାରିବେ ବୋଲି ପ୍ରକାଶ କରିଥିଲେ।

Comments are closed.