ବାଲ୍ୟ ବିବାହ ରୋକିବା ପ୍ରସଙ୍ଗରେ ବୈଠକ

ସମ୍ବଲପୁର: ସମ୍ବଲପୁରର ଧନୁପାଲି ସ୍ଥିତ ଆଦର୍ଶ ଅନୁଷ୍ଠାନର କାର୍ଯ୍ୟାଳୟ ଠାରେ ବାଲ୍ୟ ବିବାହ ରୋକିବା ପ୍ରସଙ୍ଗରେ ଗୁରୁତ୍ୱପୁର୍ଣ୍ଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଜିଲା ଶ୍ରମ ଅଧିକାରୀ ଶତୃଜିତ ସାହୁ, ଜିଲା ସମାଜ ମଙ୍ଗଳ ଅଧିକାରୀ, ବରିଷ୍ଠ ଆଇନଜୀବୀ ବ୍ରଜେନ୍ଦ୍ର ପଣ୍ଡା, ଶିକ୍ଷାବିତ ରାଜେନ୍ଦ୍ର ପଣ୍ଡା, ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାଶ ଓ ଅନ୍ୟ ମାନେ ବୈଠକରେ ଉପସ୍ଥିତ ରହିଥିଲେ। ଆଦର୍ଶ ଅନୁଷ୍ଠାନର ସମ୍ପାଦକ ପ୍ରଦୀପ କୁମାର ବେହେରା ବୈଠକକୁ ପରିଚାଳନା କରିଥିଲେ। ଏଥିରେ ଆଦର୍ଶ ଅନୁଷ୍ଠାନର ଜିଲା ସଂଯୋଜକ, ସମ୍ବଲପୁର ଜିଲାର ବିଭିନ୍ନ ଗ୍ରାମାଞ୍ଚଳରେ ବାଲ୍ୟ ବିବାହ ରୋକିବା ପାଇଁ କାର୍ଯ୍ୟରତ ପ୍ରତିନିଧି ମାନେ ଯୋଗ ଦେଇଥିଲେ। ନିକଟ ଅତୀତରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଦେଶରେ ବାଲ୍ୟ ବିବାହ ରୋକିବା ଦିଗରେ ଦେଇଥିବା ଗୁରୁତ୍ୱପୁର୍ଣ୍ଣ ରାୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବାଲ୍ୟ ବିବାହକୁ ରୋକିବାକୁ ଥିଭା ବିଭିନ୍ନ ଆଇନ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇ ବାଲ୍ୟ ବିବାହକୁ କିଭଳି ଭାବରେ ପ୍ରଭାବୀ ଢ଼ଙ୍ଗରେ ରୋକାଯାଇ ପାରିବ, ତାହା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ସମ୍ବଲପୁର ଓ ଝାରସୁଗୁଡା ଜିଲାରେ କୈଳାସ ସତ୍ୟାର୍ଥୀ ଚିଲ୍ଡରେନ ଫାଉଣ୍ଡେସନର ସହଯୋଗରେ ବାଲ୍ୟ ବିବାହକୁ ରୋକିବାକୁ ଆଦର୍ଶ ଅନୁଷ୍ଠାନ ପକ୍ଷରୁ ବିଗତ କିଛି ବର୍ଷ ହେବ ସ୍ୱତନ୍ତ୍ର ଅଭିଯାନ କରାଯାଇ ନିରନ୍ତର କାର୍ଯ୍ୟକ୍ରମ କରାଯାଇ ଜନ ସଚେତତନା କରାଯାଉଛି।

Comments are closed.