ବାତ୍ୟା ଆଶ୍ରୟସ୍ଥଳ ବୁଲିଲେ ଦୁଇ ମନ୍ତ୍ରୀ, ରିପୋର୍ଟ ପ୍ରଦାନ ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ

କେନ୍ଦୁଝରଗଡ଼: ସାମୁଦ୍ରିକ ବାତ୍ୟା ‘ଦାନା’ ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପ୍ରଶାସନ ପକ୍ଷରୁ ୧୦୮୫୯ଜଣଙ୍କୁ ବିଭିନ୍ନ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିବା ବେଳେ ବାଂଶପାଳ ଓ ଚମ୍ପୁଆ ବ୍ଲକରେ ଗୋଟିଏ ଲେଖାଏଁ ଘର ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ବାତ୍ୟା ଆଶ୍ରୟସ୍ଥଳ ମାନଙ୍କରେ ଲୋକମାନଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ସହ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଣ ଜାରି ରହିଛି। ବାତ୍ୟା ‘ଦାନା’ର ପ୍ରଭାବରେ ଜିଲାରେ ଗତ ୨୪ଘଣ୍ଟା ମଧ୍ୟରେ ୨୩୫.୩ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା ବେଳେ ଚମ୍ପୁଆରେ ସର୍ବାଧିକ ୫୦.୧ ମି.ମି. ବର୍ଷା ରେକର୍ଡ କରାଯାଇଛି।

ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଶୁକ୍ରବାର ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ସାମୁଦ୍ରିକ ବାତ୍ୟା ‘ଦାନା’ର ପରବର୍ତ୍ତୀ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଶ୍ରୀ ପାତ୍ର ଆନନ୍ଦପୁରରେ ପହଞ୍ଚି ସେଠାକାର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିବା ସହ ବାତ୍ୟା ପରବର୍ତ୍ତୀ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ବାତ୍ୟା ‘ଦାନା’ ଯୋଗୁଁଁ କ୍ଷୟକ୍ଷତିର ଆକଳନ କରି ଯଥାଶିଘ୍ର ରିପୋର୍ଟ ପ୍ରଦାନ କରିବାକୁ ମନ୍ତ୍ରୀ ଶ୍ରୀ ପାତ୍ର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ଆନନ୍ଦପୁର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ସମୟରେ ଲୋକସଭା ସଦସ୍ୟ ଅନନ୍ତ ନାୟକ, ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା କେନ୍ଦୁଝରର ପୂର୍ବତନ ଜିଲାପାଳ ଡା.ଏନ୍‌‌.ତିରୁମାଲା ନାଏକ, ଜିଲାପାଳ ବିଶାଲ ସିଂହ, ଅତିରିକ୍ତ ଜିଲାପାଳ, ଆନନ୍ଦପୁର ଉପଜିଲାପାଳଙ୍କ ସମେତ ଜିଲାସ୍ତରୀୟ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ପରେ ମନ୍ତ୍ରୀ ଶ୍ରୀ ପାତ୍ର କେନ୍ଦୁଝର ସର୍କିଟ୍‌‌ହାଉସ୍‌‌ରେ ପହଞ୍ଚି ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଜିଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ।

ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଷରାମ ସିଂ ଖୁଣ୍ଟିଆ ମଧ୍ୟ ଶୁକ୍ରବାର କେନ୍ଦୁଝର ଜିଲା ଗସ୍ତରେ ଆସି ସାମୁଦ୍ରିକ ବାତ୍ୟା ‘ଦାନା’ ଯୋଗୁଁଁ କ୍ଷୟକ୍ଷତି ହୋଇଥିବା ତୁରୁମୁଙ୍ଗା, ନିନୁଆଁ, ଶରଧାପୁର, ବୋଦାପଳସା, ପଦ୍ମପୁର, ନେଲୁଙ୍ଗ, ଝୁମ୍ପୁରା ଆଦି ଅଞ୍ଚଳରେ ଥିବା ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କରି ଲୋକଙ୍କୁ ଭେଟି ସୁବିଧା ଅସୁବିଧା ପଚାରି ବୁଝିଥିଲେ। ଏହାପରେ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କେନ୍ଦୁଝର ସର୍କିଟହାଉସରେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଭିତରକନିକାରେ ବାତ୍ୟା ‘ଦାନା’ ସ୍ଥଳ ଭାଗ ଛୁଇଁବା ସମୟରେ ଭିତରକନିକାରେ ଜୀବଜନ୍ତୁ ତଥା କୌଣଷି ଜୀବନ ହାନୀ ହୋଇନଥିବା ବେଳେ କିଛି ସ୍ଥାନରେ ଗଛପଡ଼ି ରାସ୍ତା ଅବରୋଧ ସହ କେତେକ ସ୍ଥାନରେ ପାଣି ଜମି ରହିଛି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ବାତ୍ୟା ପରବର୍ତ୍ତୀ ସମୟରେ ବିଭିନ୍ନ ସ୍ଥାନରେ ଉଦ୍ଜାର କାର୍ଯ୍ୟରେ ତତ୍ପର ଥିବା ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି। କେନ୍ଦୁଝର ଜିଲାର କୋଣସି ସ୍ଥାନରେ ଜନଜୀବନ କ୍ଷୟକ୍ଷତି ହୋଇନାହିଁ। ମନ୍ତ୍ରୀଙ୍କ ସହ ଅସ୍ଥାୟୀ ଆଶ୍ରୟସ୍ଥଳୀ ବୁଲିବା ସମୟରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଡିଏଫ୍‌‌ଓ ଧନରାଜ ଏଚ.ଡି ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.