ବାତ୍ୟା ଆଶ୍ରୟସ୍ଥଳୀରେ ପହଁଞ୍ଚିଲେ ଆଦିବାସୀ

ପାତ୍ରପୁର : ପାତ୍ରପୁର ବ୍ଲକର ଆଦିବାସୀ ବହୁଳ ପାହାଡ଼ ଉପରେ ଥିବା ଗାଁରେ ବର୍ଷା ହେଲେ ଭୁସ୍ଖଳନ ହୋଇ ଅସୁବିଧାର ଆଶଙ୍କା ଥିବାରୁ ପାତ୍ରପୁର ବ୍ଲକ ପ୍ରଶାସନ ଉକ୍ତ ଗାଁର ଆଦିବାସୀ ମାନଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳକୁ ଆଣି ଥାଇଥାନ୍ କରିଛି । ବ୍ଲକର ଆଦିବାସୀ ଗାଁ ମାନଙ୍କୁ କର୍ମଚାରୀମାନେ ଯାଇ  ଲୋକଙ୍କୁ ବର୍ଷା ହେବା ଆଶଙ୍କା ପାଇଁ ଗାଁ ଛାଡି ଆସିବାକୁ ଅନୁରୋଧ କରିବା ପରେ  ଆଦିବାସୀ ଇଲାକା ଆଙ୍କୁଲି ଓ ବୁରାତାଳ ପଞ୍ଚାୟତରୁ ଲୋକମାନେ ବାତ୍ୟା ଆଶ୍ରୟସ୍ଥଳୀରେ ନିଜ ପିଲାଛୁଆ ଧରି ପହଞ୍ଚିଛନ୍ତି । ଆଙ୍କୁଲି ପଂଚାୟତର ଶତାଧିକ ଲୋକଙ୍କୁ ମନ୍ଦରଡା ପଂଚାୟତର ହୁକୁମା ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି । ପିଲାଙ୍କୁ କ୍ଷୀର ବିସ୍କୁଟ ଓ ବଡ଼ ଲୋକଙ୍କୁ ଚୁଡା ଗୁଡ ଦିଆଯାଇ ମଧ୍ୟାହ୍ନରେ ସମସ୍ତଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ ଡାଲମା ଦିଆଯାଇଥିଲା ।

ବାତ୍ୟା ଆଶ୍ରୟସ୍ଥଳୀରେ ଥିବା କିଛି ଅସୁସ୍ଥ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ଔଷଧ ପ୍ରଦାନ କରାଯାଇଥିଲା । ବ୍ରହ୍ମପୁର ଉପଜିଲ୍ଲାପାଳ ଦୀନ ଦସ୍ତାଗିର ଗୁରୁବାର ଅପରାହ୍ନରେ ହୁକୁମା ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସେଠାରେ ଥିବା ଲୋକଙ୍କ ବିଭିନ୍ନ ସମସ୍ୟା ନେଇ କଥା ହୋଇଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀରେ ପିଇବା ପାଣି, ରୋଷେଇ ଘର ଓ ଶୌଚାଳୟ ସହ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ଟିକିନିଖି ଭାବେ ଉପଜିଲାପାଳ ପାତ୍ରପୁର ବିଡ଼ିଓ ଦାୟିତ୍ୱରେ ଥିବା ତହସିଲଦାର ଅଶୋକ ପଟ୍ଟନାୟକ ଓ ଏବିଡ଼ିଓ ବିଜୟ କୁମାର ପ୍ରଧାନଙ୍କୁ  ପଚାରି ବୁଝିଥିଲେ । ଉପଜିଲାପାଳଙ୍କ ଗସ୍ତ ସମୟରେ ତାଙ୍କ ସହ ପ୍ରବେଶନ ଆଇଏଏସ ପ୍ରଣତି ଦାସ ଉପସ୍ଥିତ ଥିଲେ । ପାତ୍ରପୁର ବ୍ଲକର ବାଘଲଟି ଜଳଭଣ୍ଡାର ଆରପଟେ ଥିବା ଆଦିବାସୀ ଗାଁ ଏଲଗଲ,ସିରିସିଗଣ୍ଡ,ମାଡୁଆ ଝରିବାଡ , ମାଡୁଆ ଗୁମା ବେହେରା ପୁଟୁ ଗ୍ରାମବାସୀ ପ୍ରଶାସନର  ଚେଷ୍ଟା ସତ୍ତ୍ୱେ ବାତ୍ୟା ଆଶ୍ରୟସ୍ଥଳୀ ଆସିବାକୁ ମନା କରିଦେଇଛନ୍ତି ।  ସ୍ଥାନୀୟ ପୁଲିସ ଓ ପ୍ରଶାସନିକ ଟିମ ଏହି କାର୍ଯ୍ୟରେ ଉଦ୍ୟମ ଜାରି ରଖିଛନ୍ତି।

ବ୍ଲକର ଅନ୍ୟ ଟିମ ବୁରାତାଳ ପଂଚାୟତର ଅପହଞ୍ଚ ଆଦିବାସୀ ଗାଁର ବହୁ ଆଦିବାସୀଙ୍କୁ ବୁରାତାଳ ଆଦିବାସୀ ବିଦ୍ୟାପୀଠରେ ହୋଇଥିବା ବାତ୍ୟା ଆଶ୍ରୟସ୍ଥଳୀକୁ ଆଣିବାରେ ସକ୍ଷମ ହୋଇଛି । ପାତ୍ରପୁର ବ୍ଲକର ବିଡ଼ିଓ,ଏବିଡ଼ିଓଙ୍କ ସହିତ ସିଡିପିଓ ସ୍ଵର୍ଣପ୍ରଭା ଦାସ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସମସ୍ତ ଯନ୍ତ୍ରୀ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ମିଶନ ଶକ୍ତି କର୍ମଚାରୀ, ଅଙ୍ଗନବାଡି କର୍ମୀ ,ଶିକ୍ଷକ ଓ ଅନ୍ୟାନ୍ୟ ସରକାରୀ କର୍ମଚାରୀ ବାତ୍ୟା ଦାନାର ମୁକାବିଲା କାର୍ଯ୍ୟରେ ନିୟୋଜିତ ହୋଇ କାର୍ଯ୍ୟ କରୁଛନ୍ତି  ।

Comments are closed.