ଗଞ୍ଜାମ ବ୍ଲକରେ ବାତ୍ୟା ‘ଦାନା’କୁ ନେଇ ପ୍ରସ୍ତୁତି

ଗଞ୍ଜାମ : ଗଞ୍ଜାମ ବ୍ଲକ ପ୍ରଶାସନ ପକ୍ଷରୁ ବାତ୍ୟା ଦାନାକୁ ନେଇ ଜୋରସୋର ପ୍ରସ୍ତୁତି ଆରମ୍ଭ ହୋଇଛି । ବ୍ଲକର ବିଭିନ୍ନ ସ୍ଥାନରୁ ପ୍ରାୟ ୮୨୨ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ପ୍ରାୟ ନଅଟି ସ୍ଥାନରେ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ଦିଆଯାଉଛି ବୋଲି ବ୍ଲକ ପକ୍ଷରୁ ସୂଚନା ମିଳିଛି । ଶୁକ୍ରବାର ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ପ୍ରଭାବରେ ଗଞ୍ଜାମ ବ୍ଲକ ଅଞ୍ଚଳ ସମ୍ପୂର୍ଣ୍ଣ ମେଘୁଆ ରହିଛି ପାଗ ।  କିଛି ସ୍ଥାନରେ ଝିପି ଝିପି ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ଗୁରୁବାର ଏନେଇ ବ୍ଲକ ଗୋଷ୍ଠୀ ଉନୟନ ଅଧିକାରୀ ବସନ୍ତ କୁମାର ମଲିକ ବିଭିନ୍ନ ପଞ୍ଚାୟତ ବିଶେଷ କରି ସମୁଦ୍ର ତତବର୍ତ୍ତୀ ଅଂଚଳ ପରିଦର୍ଶନ  କରିଥିଲେ । ଏହି ବ୍ଲକର ୯ ପଞ୍ଚାୟତର ପ୍ରାୟ ୨୨ ଟି ଗ୍ରାମ ପ୍ରଭାବିତ ହେବା ଆଶଙ୍କା ରହିଛି ।

ଲୋକଙ୍କୁ ବାତ୍ୟା ସମୟରେ ସୁରକ୍ଷା ଦୃଷ୍ଟିରୁ ଏ ବ୍ଲକରେ ୧୦୬ ଆଶ୍ରୟସ୍ଥଳୀ ସେଣ୍ଟର ଚି଼ହ୍ନଟ ହୋଇଛି । ସେଥିରୁ ୨୯ ଟି ବାତ୍ୟା ଆଶ୍ରୟ ସ୍ଥଳୀ ଏବଂ ୭୧ ସ୍କୁଲ ଓ ୬ ଟି କଲେଜରେ ରହିଥିବା ଜଣାପଡିଛିl   ୯ଟି ସ୍ଥାନରେ ରନ୍ଧା ଖାଦ୍ୟ ଦିଆଯାଇଛି । ସେଗୁଡିକ ମାଧ୍ୟରେ ଗୋଖରକୁଦା ଅରୁଣପୁର, ବଳଦିଆ ଢିଅ, ଗୌରାଙ୍ଗ ପାଟଣା, କଣ୍ଟିଆ ଗଡ଼, ଲୁଂଘୁରି, ବରୋଦା ଆଦି ସ୍ଥାନରେ ଖାଦ୍ୟ ଯୋଗାଇ ଦିଆଯାଇଛି ବୋଲି ସେ କହିଛନ୍ତି । ପୁରୁଣା ପୋଡ଼ମ ପେଟା ଗ୍ରାମର ଦୁଇ ପରିବାରକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମଧ୍ୟ ଗଞ୍ଜାମ ବ୍ଲକର ବାତ୍ୟା ପ୍ରଭାବିତ ଆଶଙ୍କା ରହିଥିବା ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ । ଜିଲା ସ୍ତରୀୟ ବିଭିନ୍ନ ପଦାଧିକାରୀ ସମେତ ଗଞ୍ଜାମ ତହସିଲଦାର କୁଞ୍ଜ ବିହାରୀ  ବଡ଼ଜେନା,  ପ୍ରମୁଖ ମନ୍ତ୍ରୀଙ୍କ ଗ୍ରସ୍ତ ବେଳେ ଉପସ୍ଥିତ ଥିଲେ । ଅଧିକ ପବନ ହେଲେ ଧାନ ଫସଲ ନଷ୍ଟ ହେବାର ଅଧିକ ଆଶଙ୍କା ରହିଛି ବୋଲି ଚାଷୀ ମାନେ ଚିନ୍ତାରେ ରହିଥିବା ଜଣାପଡିଛି ।

Comments are closed.