‘ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ’

ଜଗତସିଂହପୁର : ବାତ୍ୟା ‘ଦାନା’କୁ ନେଇ ଜଗତସିଂହପୁର ଜିଲା ପ୍ରଶାସନଠାରୁ ଆରମ୍ଭ କରି ପାରାଦୀପରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ପାରାଦୀପ ପୋର୍ଟ ପକ୍ଷରୁ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀ କରି ପାରାଦୀପ ପୋର୍ଟ ଅଧ୍ୟକ୍ଷ ପିଏଲ ହାରାନାଦ କହିଛନ୍ତି ଯେ ବାତ୍ୟା ‘ଦାନା’ ର ମୁକାବିଲା ପାଇଁ ପାରାଦୀପ ପୋର୍ଟ ସଜାଗ ରହିଛି। ଆଜି ରାତିଠାରୁ ବୁଧବାର ରାତି ମଧ୍ୟରେ ବନ୍ଦରର ଆଙ୍କରେଜ ମଧ୍ୟରେ ଥିବା ସମସ୍ତ ଜାହାଜକୁ ସୁରକ୍ଷିତ ସ୍ଥାନକୁ ନିଆଯିବାର ବନ୍ଦୋବସ୍ତ କରାଯାଇଛି।

ପାରାଦୀପ ବନ୍ଦର ପକ୍ଷରୁ ମଧ୍ୟ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବା ସହିତ ବାତ୍ୟା ସମୟରେ କୌଣସି ମତ୍ସ୍ୟଜୀବୀ କିମ୍ବା ବୋଟ ଫସିଥିବାର ନେଇ ଖବର ଆସେ ତାଙ୍କୁ ତୁରନ୍ତ ସହାୟତା କରିବା ପାଇଁ ବନ୍ଦର ପକ୍ଷରୁ ବ୍ୟବସ୍ଥା କରାଯାଇଛି। ପାରାଦୀପ ବନ୍ଦର ନିଷେଧାଞ୍ଚଳ ମଧ୍ୟରେ ୨୩,୨୪ ଓ ୨୫ ତାରିଖରେ ପଣ୍ୟ କାରବାରକୁ ସମ୍ପୂର୍ଣ୍ଣ ରୂପେ ବାତିଲ କରି ଦିଆଯାଇଛି। ବାତ୍ୟା ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ସମୁଦ୍ରରେ ଉଚ୍ଚ ଜୁଆର ଆସିବାର ସମ୍ଭାବନା ରହିଛି ଯାହାକୁ ନେଇ ପାରାଦୀପରେ ବସବାସ କରୁଥିବା ତଳିଆ ଅଞ୍ଚଳବାସୀ ପାଣି ଘେରକୁ ଚାଲିଯିବାର ସମ୍ଭାବନା ରହିଛି।

ଏହାକୁ ନେଇ ପାରାଦୀପ ବନ୍ଦର ପକ୍ଷରୁ ପାନୀୟ ଜଳ ରନ୍ଧା ଓ ଶୁଖିଲା ଖାଦ୍ୟ ବିତରଣ ପାଇଁ ବ୍ୟବସ୍ଥା କରାଯାଇଥିବା ବନ୍ଦର ଅଧ୍ୟକ୍ଷ ସୂଚନା ଦେଇଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ଯେ ବାତ୍ୟାର ମୁକାବିଲା କରିବା ପାଇଁ ବନ୍ଦର ପ୍ରଶାସନ ଜିଲା ପ୍ରଶାସନ, ତଟରଖି ବାହିନୀ, ମତ୍ସ୍ୟ ବିଭାଗ ସମେତ ବିଭିନ୍ନ ବିଭାଗ ସହିତ ସମନ୍ୱୟ ରଖି   ବାତ୍ୟା ମୁକାବିଲା ପାଇଁ ପ୍ରୟାସ ଆରମ୍ଭ କରିଛି। ବାତ୍ୟା ସମୟରେ ଗଭୀର ସମୁଦ୍ର ଭିତରେ ଯଦି କୌଣସି ମତ୍ସ୍ୟଜୀବୀ ଭୁଲ ବଶତଃ ଫସି ଯାଉଛନ୍ତି ତାଙ୍କୁ ଉଦ୍ଧାର କରାଯିବା ପରେ ବନ୍ଦର ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ଖାଦ୍ୟ ପାନୀୟ ଓ ରହିବା ପାଇଁ ଅସ୍ଥାୟୀ ଘରର ବ୍ୟବସ୍ଥା ବନ୍ଦର ପକ୍ଷରୁ କରାଯାଇଛି। ବାତ୍ୟା ସମୟରେ ଭାରତୀୟ ତଟରଖି ବାହିନୀର ସହାୟତା ନିଆଯିବ ବୋଲି ବନ୍ଦର ଅଧ୍ୟକ୍ଷ ପିଏଲ ହାରାନାଦ କହିଛନ୍ତି।

Comments are closed.