ବଳ ଗୋଟାଉଛି ‘ଦାନା’ : ଆଜି ବାତ୍ୟାର ରୂପ ନେବ ଅବପାତ, ସନ୍ଧ୍ୟାରୁ ବର୍ଷା ସହ ପବନ

ଭୁବନେଶ୍ବର : ସମୁଦ୍ରରେ ବଳ ଗୋଟାଉଛି ‘ଦାନା’। ଘଣ୍ଟାପ୍ରତି ୪ କି.ମି ବେଗରେ ଉପକୂଳ ଆଡ଼କୁ ଗତି କରୁଛି। ଅବପାତରେ ପରିଣତ ହୋଇଥିବା ଦାନା ମଙ୍ଗଳବାର ତୀବ୍ର ଅବପାତରେ ପରିଣତ ହୋଇଛି। ଏହା ଆସନ୍ତା ୨୪ ତାରିଖ ରାତି ଏବଂ ୨୫ ତାରିଖ ସକାଳ ସୁଦ୍ଧା ପୁରୀଠାରୁ ସାଗରଦ୍ବୀପ ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ସମୟରେ ଅତି ପ୍ରବଳ ବର୍ଷା ସହିତ ଘଣ୍ଟାପ୍ରତି ୧୦୦ରୁ ୧୧୦କି.ମି ବେଗରେ ପବନ ବହିପାରେ। ଏପରିକି ଏହାର ଝଟ୍‌କା ୧୨୦ କିମି ଘଣ୍ଟାପ୍ରତି ରହିପାରେ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ମଙ୍ଗଳବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତରେ ପରିଣତ ହୋଇଛି। ସନ୍ଧ୍ୟାରେ ବଙ୍ଗୋପସାଗରରେ ସକ୍ରିୟ ଅବପାତ ଗଭୀର ଅବପାତ ରୂପ ନେଇ ଦକ୍ଷିଣ-ପୂର୍ବ ଦିଗରେ ପାରାଦ୍ୱୀପରୁ ୬୮୦ କି.ମି. ଓ ଦକ୍ଷିଣ-ଦକ୍ଷିଣ-ପୂର୍ବ ସାଗରଦ୍ବୀପରୁ ୭୨୦କି.ମି. ତଥା ଦକ୍ଷିଣ-ଦକ୍ଷିଣ-ପୂର୍ବରେ ବାଂଲାଦେଶ ଖେପୁପରାରୁ ୭୦୦କି.ମି.ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଅଧିକ ଘନୀଭୂତ ହୋଇ ବୁଧବାର ସକାଳ ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସାମୁଦ୍ରିକ ଝଡ଼ ରୂପ ନେବା ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତିପଥ ବଜାୟ ରଖି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ୨୪ ସକାଳ ସୁଦ୍ଧା ଭୀଷଣ ବାତ୍ୟା ରୂପ ନେଇପାରେ। ଭୀଷଣ ବାତ୍ୟା ସମୁଦ୍ରରୁ ଆହୁରି ଅଧିକ ବଳ ଗୋଟାଇ ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ମଧ୍ୟବର୍ତ୍ତୀ ପୁରୀରୁ ସାଗରଦ୍ବୀପ ମଧ୍ୟରେ ୨୪ ରାତି ଏବଂ ୨୫ତାରିଖ ସକାଳ ସୁଦ୍ଧା ଭୀଷଣ ବାତ୍ୟା ରୂପରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ଉତ୍ତର ଓଡ଼ିଶାରେ ଅଧିକ ପ୍ରଭାବ ପଡିବ। କେତେକ ସ୍ଥାନରେ ୨୦ରୁ ୩୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ଆଏମଡି ଡିଜି ଡ.ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ବାତ୍ୟା କେଉଁ ନିର୍ଦ୍ଧିଷ୍ଟ ସ୍ଥାନରେ ସ୍ଥଳଭାଗ ଛୁଇଁବ ତାହା ଏପର୍ଯ୍ୟନ୍ତ ପାଣିପାଗ ବିଭାଗ ସ୍ପଷ୍ଟ କରିନାହିଁ। ତେବେ ବାତ୍ୟା ପ୍ରଭାବ ବୁଧବାର ଠାରୁ ଅନୁଭୂତ ହୋଇଯିବ। ଉପକୂଳ ଓ ଉତ୍ତର ଓଡ଼ିଶାରେ ପବନ ସହିତ ବର୍ଷା ଆରମ୍ଭ ହେବ। ବାଲେଶ୍ବର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଏବଂ ପୁରୀ ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହିତ ୭ରୁ ୧୧ ସେ.ମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୪ରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ। ମୟୂରଭଞ୍ଜ, କଟକ, ଯାଜପୁର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲାର କିଛି ଅଞ୍ଚଳରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। କିଛି ଅଞ୍ଚଳରେ ୭ରୁ ୨୦ ସେ.ମି. ଏବଂ ଆଉ କେତେକ ସ୍ଥାନରେ ୨୦ ସେ.ମି.ରୁ ଅଧିକ ବର୍ଷା ହୋଇପାରେ। ଏହିସବୁ ଜିଲାଗୁଡିକୁ ପାଣିପାଗ ବିଭାଗ ରେଡ ୱାର୍ଣ୍ଣିଂ ଜାରି କରିଛି। କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ନୟାଗଡ, ଖୋର୍ଦ୍ଧା, ପୁରୀ ଏବଂ ଗଞ୍ଜାମ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଉପରୋକ୍ତ ଜିଲାଗୁଡିକ ମଧ୍ୟରୁ କିଛି ଅଞ୍ଚଳରେ ୭ରୁ ୨୦ ସେ.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ ଏବଂ ଗଜପତି ଜିଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଏହିସବୁ ଜିଲାଗୁଡିକ ମଧ୍ୟରୁ କିଛି ଅଞ୍ଚଳରେ ୭ରୁ ୧୧ ସେ.ମି. ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ରହିଛି। ୨୫ରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଏବଂ ଭଦ୍ରକ ଜିଲାକୁ ଅତି ପ୍ରବଳ ବର୍ଷା ନେଇ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। ଉପରୋକ୍ତ ଜିଲାଗୁଡିକ ମଧ୍ୟରୁ କିଛି ଅଞ୍ଚଳରେ ୭ରୁ ୨୦ ସେ.ମି. ପର୍ଯ୍ୟନ୍ତ ବର୍ଷା ହେବାକୁ ଥିବାବେଳେ ଆଉ କିଛି ସ୍ଥାନରେ ୨୦ ସେ.ମି.ରୁ ଅଧିକ ବର୍ଷାର ଆଶଙ୍କା ରହିଛି। ସୁନ୍ଦରଗଡ, ଦେବଗଡ, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କଟକ, କେନ୍ଦ୍ରାପଡା, ଜଗତସିଂହପୁର ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଏହିସବୁ ଜିଲାଗୁଡିକରେ ୭ରୁ ୨୦ସେ.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ। ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୟାଗଡ, ଖୋର୍ଦ୍ଧା, ପୁରୀ ଏବଂ ଗଞ୍ଜାମ ଜିଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲାଗୁଡିକ ମଧ୍ୟରୁ କିଛି ସ୍ଥାନରେ ୭ରୁ ୧୧ ସେ.ମି.ପର୍ଯ୍ୟନ୍ତ ବର୍ଷା ଆଶଙ୍କା ରହିଛି। ଆଜି ସନ୍ଧ୍ୟାରୁ ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୪୦ରୁ ୫୦କି.ମି. ବେଗରେ ପବନ ବହିବ। ସ୍ଥଳବିଶେଷରେ ଘଣ୍ଟାପ୍ରତି ବେଗ ୬୦କି.ମି.ଛୁଇଁପାରେ। ପରବର୍ତ୍ତୀ ସମୟରେ ବର୍ଷା ସାଙ୍ଗକୁ ପବନର ବେଗ ବଢ଼ିବ। ୨୪ ସକାଳ ସୁଦ୍ଧା ଉପକୂଳ ଓ ଉତ୍ତର ଓଡ଼ିଶାରେ ଘଣ୍ଟାପ୍ରତି ପବନର ବେଗ ବୃଦ୍ଧି ପାଇ ୬୦ରୁ ୭୦କି.ମି. ଛୁଇଁବା ସହିତ ଝଟକା ପବନର ବେଗ ଘଣ୍ଟାପ୍ରତି ୮୦କି.ମି ପର୍ଯ୍ୟନ୍ତ ବହିପାରେ। ୨୪ ରାତି ଓ ୨୫ ତାରିଖ ସକାଳ ସୁଦ୍ଧା ଘଣ୍ଟାପ୍ରତି ପବନର ବେଗ ୧୦୦ରୁ ୧୧୦କି.ମି ଏବଂ ଝଟକା ପବନର ବେଗ ଘଣ୍ଟାପ୍ରତି ୧୨୦କି.ମି. ଛୁଇଁପାରେ। ସମୁଦ୍ର ଅଶାନ୍ତ ରହୁଥିବାରୁ ୨୬ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଥିସହିତ ରାଜ୍ୟର ସମସ୍ତ ବନ୍ଦର ଗୁଡିକୁ ୧ନଂ ବିପଦ ସଙ୍କେତ ଜାରି କରିଛି ପାଣିପାଗ ବିଭାଗ। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର, ପୁରୀ, ଖୋର୍ଦ୍ଧା, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କଟକ ଏବଂ ଢେଙ୍କାନାଳ ଜିଲା ଅଧିକ ପ୍ରଭାବିତ ହେବା ସମ୍ଭାବନା ରହିଛି। ତଳିଆ ଅଞ୍ଚଳରେ ପାଣି ଜମିବା ସହ ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ପରିସ୍ଥିତି ସୃଷ୍ଟି ହୋଇପାରେ। ଲୋକଙ୍କୁ ସତର୍କ ଓ ସଚେତନ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ଏହାସହ କଚ୍ଚାଘର ଭାଙ୍ଗି ପଡିବା ସହ ଚାଷ ଜମି ଜଳମଗ୍ନ ହୋଇପାରେ। ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ଜିଲାରେ ଘଣ୍ଟାପ୍ରତି ପବନର ବେଗ ୧୦୦ରୁ ୧୧୦କି.ମି ରହିପାରେ। ମୟୂରଭଞ୍ଜରେ ୮୦ରୁ ୯୦କି.ମି, ପୁରୀରେ ୬୦ରୁ ୮୦ମି.ମି, କଟକ, ଯାଜପୁର, ଖୋର୍ଦ୍ଧା, ଭୁବନେଶ୍ବର, ଢେଙ୍କାନାଳ ଏବଂ କେନ୍ଦୁଝରରେ ୬୦ରୁ ୭୦କି.ମି, ସୁନ୍ଦରଗଡ ଓ ଦକ୍ଷିଣ ଝାଡଖଣ୍ଡରେ ୫୦-୬୦କି.ମି, ଏବଂ ଅନୁଗୋଳ, ଗଞ୍ଜାମ, ନୟାଗଡ, ବୌଦ୍ଧ, ସମ୍ବଲପୁର ଏବଂ ଦେବଗଡରେ ୪୦ରୁ ୫୦କି.ମି ବେଗରେ ପବନ ବହିବା ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼, କଟକ ଓ ଖୋର୍ଦ୍ଧା ଜିଲାରେ ଥିବା ବିଶ୍ବବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟଗୁଡ଼ିକ ଆସନ୍ତା ୨୩ଠାରୁ ୨୫ ତାରିଖ ଯାଏ ବନ୍ଦ ରହିବ। ଉପକୂଳ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାର ୧୪ଟି ଜିଲାର ଡିଗ୍ରୀ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଗୁଡ଼ିକ ୩ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ଡାକ୍ତର ଓ କର୍ମଚାରୀଙ୍କ ଛୁଟି ବାତିଲ ସହ ଶିମିଳିପାଳ ଅଭୟାରଣ୍ୟକୁ ଆସନ୍ତା ୩ ଦିନ ପାଇଁ ବନ୍ଦ ରଖାଯାଇଛି।

Comments are closed.