ଆଜି ଲଘୁଚାପ, ୨୩ରେ ବାତ୍ୟା: ମୁକାବିଲା ପାଇଁ ସରକାର ପ୍ରସ୍ତୁତ, ମୁଖ୍ୟ ସଚିବଙ୍କ ଜରୁରୀ ବୈଠକ
ଭୁବନେଶ୍ବର: ଓଡ଼ିଶା ପୁଣି ଅକ୍ଟୋବରରେ ଆଉ ଏକ ସାମୁଦ୍ରିକ ଝଡ଼କୁ ସାମ୍ନା କରିବାକୁ ଯାଉଛି। ପ୍ରାକୃତିକ ବିପର୍ଯ୍ୟୟ ବାତ୍ୟାରେ ଯୁଝି ହୋଇ ପଡୁଥିବା ଓଡ଼ିଶା ପାଇଁ କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା ‘ଦାନା’। ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା ୨୪ଘଣ୍ଟା ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପରେ ପରିଣତ ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୨ତାରିଖ ସକାଳେ ଅବପାତ ରୂପ ନେଇପାରେ। ଏହା ୨୩ ତାରିଖ ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହୋଇ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ଏବଂ ୨୪ ତାରିଖ ସକାଳେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ୨୩ରୁ ୨୬ତାରିଖ ପର୍ଯ୍ୟନ୍ତ ବର୍ଷା ହେବାକୁ ଥିବାବେଳେ ୨୪ ଓ ୨୫ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳେ ସମୁଦ୍ରରେ ପବନର ବେଗ ୧୦୦ରୁ ୧୨୦କି.ମି. ରହିବ; କିନ୍ତୁ ସମ୍ଭାବ୍ୟ ବାତ୍ୟା ଉପକୂଳ ଛୁଇଁଲା ବେଳେ ସ୍ଥଳଭାଗରେ ଏହାର ତୀବ୍ରତା କେତେ ରହିବ ଏବଂ କେଉଁଠାରେ ସ୍ଥଳଭାଗ ଛୁଇଁବ ତାହା ଆଗକୁ ସ୍ପଷ୍ଟ ହୋଇଯିବ ବୋଲି ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଆଇଏମଡି ଡିଜି ଶ୍ରୀ ମହାପାତ୍ର କହିଛନ୍ତି, ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୨୩ରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ। କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୪ ଓ ୨୫ରେ ଅତି ପ୍ରବଳ ବର୍ଷା ହେବ। ଉପକୂଳବର୍ତ୍ତୀ ଜିଲାଗୁଡିକରେ ଅଧିକ ବର୍ଷା ହେବାକୁ ଥିବାବେଳେ ଆଭ୍ୟନ୍ତରୀଣରେ କମ୍ ବର୍ଷା ହୋଇପାରେ। କିଛି ସ୍ଥାନରେ ୨୦ରୁ ୩୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାକୁ ଥିବାବେଳେ ଆଉ କିଛି ସ୍ଥାନରେ ୩୦ ସେଣ୍ଟିମିଟରରୁ ଅଧିକ ବର୍ଷା ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୨୬ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ। ଏଥିପାଇଁ ମତ୍ସ୍ୟଜୀବୀ ସମୁଦ୍ର ନଯିବାକୁ ପରାମର୍ଶ ଦିଆଯାଇଛି। ମତ୍ସ୍ୟଜୀବୀମାନେ ଆଣ୍ଡାମାନ ସାଗରରୁ ୨୧ ତାରିଖ ପର୍ଯ୍ୟନ୍ତ ଯିବାକୁ ବାରଣ କରାଯାଇଥିବାବେଳେ ୨୩ ପର୍ଯ୍ୟନ୍ତ କେନ୍ଦ୍ରୀୟ ବଙ୍ଗୋପସାଗର ଓ ୨୫ ତାରିଖ ପର୍ଯ୍ୟନ୍ତ ଉତ୍ତର ବଙ୍ଗୋପସାଗର ଯିବାକୁ ମନା କରାଯାଇଛି। ଯେଉଁ ମତ୍ସ୍ୟଜୀବୀ ସମୁଦ୍ରରେ ରହିଛନ୍ତି ସେମାନେ ଉପକୂଳକୁ ଫେରି ଆସିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ସମ୍ଭାବ୍ୟ ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ସ୍ପଷ୍ଟ ହୋଇଯିବ ବୋଲି ଆଇଏମଡି ଡିଜି କହିଛନ୍ତି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ, ୨୩ରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଏବଂ ଗଜପତିରେ ପ୍ରବଳ ବର୍ଷା ହେବ। ୨୪ରେ ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଏବଂ ଜଗତସିଂହପୁର ଜିଲାକୁ ଅତି ପ୍ରବଳ ବର୍ଷା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଉପକୂଳ ଓ ଉତ୍ତର ଓଡ଼ିଶାର ୮ଜିଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୯ଜିଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ୨୫ରେ ଦକ୍ଷିଣ ଓଡ଼ିଶାର କିଛି ଜିଲାକୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି। ସମ୍ଭାବ୍ୟ ବାତ୍ୟା ‘ଦାନା’ର ନାମକରଣ କାତାର ପକ୍ଷରୁ ହୋଇଛି। ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, ପ୍ରାଥମିକ ଭାବେ ଜଣାପଡୁଛି ଯେ ସମ୍ଭାବ୍ୟ ବାତ୍ୟା ଜଗତସିଂହପୁରଠାରୁ ବାଲେଶ୍ବର ମଧ୍ୟରେ କୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁପାରେ; କିନ୍ତୁ ଅବପାତ ସୃଷ୍ଟି ହେବାପରେ ସ୍ପଷ୍ଟ ଭାବେ କେଉଁଠାରେ ସ୍ଥଳଭାଗ ଛୁଇଁବ କୁହାଯାଇ ପାରିବ। ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଏସଆରସି ଦେଓରଞ୍ଜନ ସିଂ ସମସ୍ତ ବିଭାଗୀୟ ସଚିବ ବୈଠକରେ ଉପସ୍ଥିତ ଥିଲେ। ସମସ୍ତ ଉପକୂଳ ଜିଲାପାଳଙ୍କୁ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି। ଏଥିସହିତ ସମସ୍ତ ବିଭାଗୀୟ ସଚିବଙ୍କୁ ମଧ୍ୟ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଆଜି ମଧ୍ୟ ପୁନର୍ବାର ବୈଠକ ଅନୁଷ୍ଠିତ ହେବ। ଅପରପକ୍ଷରେ ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଏସଆରସି ଶ୍ରୀ ସିଂ କହିଛନ୍ତି ଯେ, ପରିସ୍ଥିତି ଉପରେ ରାଜ୍ୟ ସରକାର ତୀକ୍ଷଣ ନଜର ରଖିଛନ୍ତି। ଓଡ଼ିଶା ଉପକୂଳରେ ବାତ୍ୟାର ସମ୍ଭାବନା ରହିଛି, ତେଣୁ ଯେଉଁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ଯାଇଛନ୍ତି ସେମାନେ ସ୍ଥଳଭାଗକୁ ଶୀଘ୍ର ଫେରି ଆସନ୍ତୁ। ଆସନ୍ତା ୨୬ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତର ମତ୍ସ୍ୟଜୀବୀ ଯାଆନ୍ତୁ ନାହିଁ। ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଜିଲାପାଳଙ୍କୁ ସତର୍କ କରାଯାଇଛି। ଆଜି ଜିଲାପାଳମାନେ ବାତ୍ୟା ଆଶ୍ରୟସ୍ଥଳୀକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହିତ ଅଗ୍ନିଶମ, ଓଡ୍ରାଫ ଅଧିକାରୀଙ୍କ ସହ ଜିଲାସ୍ତରରେ ବୈଠକ କରିବେ। ତଳିଆ ଅଞ୍ଚଳରୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରଣ କରାଯିବ। ଗର୍ଭବତୀଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରିବା ପାଇଁ ନିର୍ଦେଶ ଦିଆଯାଇଛି। ବାତ୍ୟା ସମୟରେ ନିଜ ବିଭାଗ ପାଇଁ ସଚିବଙ୍କଠାରୁ ଆରମ୍ଭ କରି ଅନ୍ୟାନ୍ୟ ଅଧିକାରୀ ଦାୟିତ୍ବ ନିର୍ବାହ କରିବେ। ଏଥିପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ବିଦ୍ୟାଳୟଗୁଡ଼ିକ ଛୁଟି ନେଇ ଜିଲାପାଳମାନେ ନିଷ୍ପତ୍ତି ନେବେ ଏବଂ ବର୍ଷା ପ୍ରବଳ ହେଲେ ବିଦ୍ୟାଳୟ ଛୁଟି ଉପରେ ନିଷ୍ପତ୍ତି ନିଆଯିବ। ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଥିବାରୁ ଭୟଭୀତ ନହେବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ଏସଆରସି। ଲୋକଙ୍କ ସୁରକ୍ଷା ପାଇଁ ପ୍ରଶାସନ ସତର୍କ ରହିଛି ଏବଂ ସରକାର ଜିରୋ କାଜୁଆଲିଟି(ଶୂନ ମୃତ୍ୟୁ) ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ଜନସାଧାରଣ ପ୍ରଶାସନକୁ ସହଯୋଗ କରନ୍ତୁ ଏବଂ ଭାରତ ସରକାରଙ୍କ ସହ ରାଜ୍ୟ ସରକାର ଯୋଗାଯୋଗରେ ରହିଛନ୍ତି। ଆବଶ୍ୟକ ପଡ଼ିଲେ କେନ୍ଦ୍ର ସରକାରଙ୍କୁ ସହାୟତା ମଗାଯିବ। ତୃଣମୂଳସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ସରକାର ପ୍ରସ୍ତୁତ ରହିଥିବାରୁ ଲୋକେ ସତର୍କ ରହିଲେ ବିପଦକୁ ସହଜରେ ଏଡାଇ ଦିଆଯାଇ ପାରିବ। ବ୍ଲକସ୍ତରରେ ଅଗ୍ନିଶମ, ଓଡ୍ରାଫ ନିୟୋଜିତ ହେବାକୁ ଥିବାବେଳେ ଆବଶ୍ୟକ ପଡ଼ିଲେ କେନ୍ଦ୍ରକୁ ଏନଡିଆରଏଫ ମଗାଯିବ। ଆଜି ବିଦ୍ୟୁତ, ସ୍ବାସ୍ଥ୍ୟ, ରାଜସ୍ବ ବିଭାଗର ଅଧିକାରୀଙ୍କ ନେଇ ବୈଠକ ବସିବ। ଜିଲା ଏବଂ ବିଭାଗଗୁଡିକରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିବାକୁ କୁହାଯାଇଛି। ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ବାସ୍ଥ୍ୟ ବିଭାଗ ସଜାଗ ରହିଛି। ସବୁ ଜିଲାର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍ଓ)ଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ସବୁ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ଏବଂ ଯେଉଁମାନେ ଛୁଟିରେ ଅଛନ୍ତି ସେମାନେ ତୁରନ୍ତ କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦେଶ ଦିଆଯାଇଛି। ବିଶେଷ କରି ଜୀବନରକ୍ଷାକରୀ ଔଷଧ ମହଜୁଦ ରଖିବାକୁ କୁହାଯାଇଛି। ଥଣ୍ଡା, ଜ୍ବର ବଟିକା ସହିତ ହାଲୋଜିନ, ଓଆରଏସ୍ ପାଉଚ୍, କୁକୁର ଓ ସାପ କାମୁଡା ଔଷଧ ପର୍ଯ୍ୟାପ୍ତ ପରିମାଣରେ ଡାକ୍ତରଖାନାରେ ରଖାଯାଇଛି। ସେହିପରି ପ୍ରତି ବାତ୍ୟା ଆଶ୍ରୟସ୍ଥଳୀରେ ପିଇବା ପାଣି, ଔଷଧ ରଖିବାକୁ କୁହାଯାଇଛି। ଆବଶ୍ୟକ ପଡ଼ିଲେ ସେଠାରେ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦିଆଯିବ ଏବଂ ଡାକ୍ତରୀ ଦଳ ମଧ୍ୟ କରାଯିବ। ଗର୍ଭବତୀଙ୍କୁ ଉପଯୁକ୍ତ ଯତ୍ନ ନେବାକୁ କୁହାଯାଇଛି। ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବାକୁ ମଧ୍ୟ ନିର୍ଦେଶ ରହିଛି। ସେହିପରି ବାତ୍ୟା ପରବର୍ତ୍ତୀ ସମୟରେ ବିଭିନ୍ନ ସ୍ଥାନରେ ପାଣି ଜମିବା ଯୋଗୁ ଜଳବାହିତ ରୋଗ ସମ୍ଭାବନା ରହିଛି। ଏହାକୁ ଗୁରୁତ୍ବ ଦିଆଯାଇ ଜରୁରୀକାଳୀନ ଔଷଧ ରଖିବା ଉପରେ ଗୁରୁତ୍ବ ଦିଆଯାଇଛି।
Comments are closed.