ଶରତ ପୁର୍ଣ୍ଣିମା ଉତ୍ସବ ପାଳିତ

ସମ୍ବଲପୁର: ଅଖିଳ ଭାରତୀୟ ମହିଳା ଅଗ୍ରୱାଲ ସମ୍ମେଳନ ସମ୍ବଲପୁର ଶାଖା ତରଫରୁ ଗୁରୁବାର ସହରର ଭିଏସଏସ ମାର୍ଗରେ ସ୍ଥିତ ଏକ ହୋଟେଲରେ ଶରତ ପୁର୍ଣ୍ଣିମା ଉତ୍ସବ ଓ ରାଷ୍ଟ୍ରୀୟ ମହିଳା ଅଧ୍ୟକ୍ଷଙ୍କ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷା ବିନିତା ଖେତବାନ ମୁଖ୍ୟ ଅତିଥି ରୂପେ ଏହି ଅବସରରେ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ରୂପେ ଅଖିଳ ଭାରତୀୟ ମହିଳା ଅଗ୍ରୱାଲ ସମ୍ମେଳନର ବରିଷ୍ଠ ପଦାଧିକାରୀ ସୁଶୀଲା ଫର୍ମାନିଆଁଙ୍କ ସମେତ ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ରାଜ୍ୟ ସଭାପତି ଓ ଅନ୍ୟ ପଦାଧିକାରୀ ମାନେ ଉପସ୍ଥିତ ରହିଥିଲେ। ମହିଳା ସଶକ୍ତିକରଣ ଉପରେ ବିସ୍ତୃତ ଆଲୋଚନା ଏବଂ ଅନୁଷ୍ଠାନର କାର୍ଯ୍ୟକ୍ରମ ଗୁଡିକ ଉପରେ ଆଲୋଚନା କରାଯାଇଥିଲା। ମହିଳା ସଶକ୍ତିକରଣ ନେଇ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା। ଏଥିରେ ଓଡ଼ିଶା ରାଜ୍ୟ ସମେତ ବିଭିନ୍ନ ରାଜ୍ୟରୁ ଆସିଥିବା ମହିଳା ପ୍ରତିନିଧି ମାନେ ବିଭିନ୍ନ ଷ୍ଟଲ ଗୁଡିକରେ ବିଭିନ୍ନ ସାମଗ୍ରୀ ଗୁଡିକ ପ୍ରଦର୍ଶନ କରିଥିଲେ। ମହିଳା ମାନଙ୍କୁ ନେଇ ସ୍ୱତନ୍ତ୍ର ଗରୱା ନୃତ୍ୟ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା। ରାଷ୍ଟ୍ରୀୟ ମହିଳା ଅଧ୍ୟକ୍ଷା ବିନିତାଙ୍କୁ ସ୍ୱତନ୍ତ୍ର ରୂପେ ସମ୍ମାନୀତ କରାଯାଇଥିଲା। ସମ୍ମେଳନର ସମ୍ବଲପୁର ଜିଲା ଶାଖାର ସଭାନେତ୍ରୀ ବିନ୍ଦୁ ଅଗ୍ରୱାଲ, ସମ୍ପାଦିକା ସବିତା ମୋଦୀ, କୋଷାଧ୍ୟକ୍ଷା କିରଣ ଅଗ୍ରୱାଲଙ୍କ ସମେତ ସବୁ ପଦାଧିକାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆୟୋଜନ ଓ ପରିଚାଳନା କରିଥିଲେ।

Comments are closed.