ଡିଏଫଓଙ୍କ ଅନିୟମିତତା ଅଭିଯୋଗର ସ୍ୱତନ୍ତ୍ର ଅଡିଟ୍‌‌ ଆରମ୍ଭ

କେନ୍ଦୁଝରଗଡ଼: କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି.ଙ୍କ ନାମରେ ହୋଇଥିବା ଅନିୟମିତତା ଅଭିଯୋଗର ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଡିଟ୍‌‌ ଆରମ୍ଭ ହୋଇଛି। ଅଡିଟ ଅଫିସର ମୋହନ ରାଉଡିଆ, ସହକାରୀ ଅଡିଟ ଅଫିସର ଆଶୁତୋଷ କାମ୍ପା ଏବଂ ଅଡିଟର ସନତ କୁମାର ସାହୁଙ୍କୁ ନେଇ ଗଠିତ ୩ଜଣିଆ ଟିମ୍‌‌ ଏହି ସ୍ୱତନ୍ତ୍ର ଅଡିଟ୍‌‌ କାର୍ଯ୍ୟ ଗୁରୁବାରୁ ଆରମ୍ଭ କରିଛନ୍ତି। କେନ୍ଦୁଝର ବନଖଣ୍ଡ ଡିଭିଜନରେ ବ୍ୟାପକ ଦୁର୍ନୀତି ଏବଂ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ହେବା ପରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଉମାକାନ୍ତ ତ୍ରିପାଠୀ ଏବଂ ଆର୍‌‌ସିସିଏଫ ରାଉରକେଲା ସେପ୍ଟେମ୍ବର ୧୭ ତାରିଖ ଅଭିଯୋଗର ତଦନ୍ତ ପାଇଁ କେନ୍ଦୁଝର ଜିଲା ଗସ୍ତରେ ଆସି ସେପ୍ଟେମ୍ବର ୧୯ ତାରିଖରେ ସରକାରଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ। ଏହି ରିପୋର୍ଟକୁ ଆଧାର କରି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ କେନ୍ଦୁଝର ବନଖଣ୍ଡ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଅଡିଟ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜଙ୍ଗଲ ଓ ପରିବେଶ ବିଭାଗର ଉପସଚିବ ଚିଠି ସଂଖ୍ୟ ୧୯୬୦୨ ତା ୦୯/୧୦/୨୦୨୪ ରିଖରେ ମୁଖ୍ୟ ବନ ସଂରକ୍ଷକ ଦେବୀଦତ୍ତ ବିଶ୍ୱାଳଙ୍କୁ ଅକ୍ଟୋବର ୧୪ରୁ ଏକ ୩ଜଣିଆ ସ୍ୱତନ୍ତ୍ର ଟିମ୍‌‌ ଗଠନ କରି ଅଡିଟ ପାଇଁ ଚିଠି ଲେଖିଥିଲେ। ସ୍ୱତନ୍ତ୍ର ଅଡିଟ୍‌‌ ପରେ ଅନିୟମିତତା ନେଇ ହୋଇଥିବା ଅଭିଯୋଗର ସତ୍ୟାସତ୍ୟ ଜଣାପଡ଼ିବ।

Comments are closed.