ଲୁଚି ଯାଉଛି ଶକ୍ତି ଉପାସନା ଓ ପୀଠ ପୂଜା

ସମ୍ବଲପୁର: ଶକ୍ତି ଉପାସନା ଓ ପୀଠ ପୂଜାର ବିଶେଷ ଗୁରୁତ୍ୱ ହିନ୍ଦୁ ଧର୍ମଧାରରେ ସବୁ ବେଳେ ରହି ଆସିଛି। ଓଡ଼ିଶାକୁ ଭାରତର ପ୍ରଥମ ଶକ୍ତି ଉପାସନାର ପୀଠସ୍ଥଳୀ ବୋଲି ମଧ୍ୟ ମତ ପ୍ରକାଶ ପାଇଥାଏ। ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ ଶକ୍ତି ଉପାସନା ଆବାହନ ପୁରାତନ କାଳରୁ ଚାଲି ଆସିଛି ଏବଂ ଏହା ଅନନ୍ତ କାଳ ପର୍ଯ୍ୟନ୍ତ ଚାଲିଥିବ। ତେବେ ଏହି ଚାକଚକ୍ୟ ମଧ୍ୟରେ ପୁରାତନ କାଳରୁ ଘରେ ଘରେ ଚାଲି ଆସିଥିବା ପୀଠ ପୁଜା ସହିତ ଶକ୍ତି ଉପାସନାର ପରମ୍ପରା ଦିନକୁ ଦିନ ଲୋପ ପାଇବାରେ ଲାଗିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ସମ୍ବଲପୁରର ଅନ୍ୟତମ ପୁରାତନ ବସ୍ତି ବଡ ସଡକ ଓ ସାନ ସଡକ ଅଞ୍ଚଳରେ ସିଂହଭାଗ ଘର ମାନଙ୍କରେ ଏହି ଶକ୍ତି ଉପାସନା ଚାଲିଥିବା ବେଳେ କିନ୍ତୁ ଆଜିର କର୍ମମୟ ଜୀବନ ଶୈଳୀ ଓ ପାଶ୍ଚାତ୍ୟନ୍ନୁମୁଖୀ ହେଉ ଅଥବା ଲୋକଙ୍କ ମଧ୍ୟରେ ନିଷ୍ଠା ଓ ଇଚ୍ଛା ଶକ୍ତିର ଅଭାବ ଯୋଗୁଁଁ ହେଉ, ଏହି ପରମ୍ପରା କ୍ରମଶଃ ଲୋପ ପାଇବାରେ ଲାଗିଛି। ପୀଠ ପୁଜାର ମୁଖ୍ୟ ତତ୍ୱ ହେଉଛି ନିଜର ଇଷ୍ଟଦେବୀଙ୍କୁ ତାଙ୍କ ଅସ୍ଥାନରୁ ଉଠାଇ ଆଣି ସ୍ୱତନ୍ତ୍ର ରୂପେ ନିର୍ମିତ ପୀଠ ଉପରେ ସ୍ଥାପନ କରି ଦଶହରା ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ତ୍ରିରାତ୍ର ପୁଜା କିମ୍ବା ମହାଳୟା ଦିନଠାରୁ ଦଶହରା ଦଶମୀ ପର୍ଯ୍ୟନ୍ତ ନବରାତ୍ର ପୁଜା ପର୍ଯ୍ୟନ୍ତ ଅତ୍ୟନ୍ତ ନିଷ୍ଠା ଓ ଭକ୍ତିପୁତ ମନୋଭାବ ନେଇ କରାଯାଇଥାଏ। ଏଥିରେ ପରିବାରର ପ୍ରତ୍ୟେକ ସଦସ୍ୟ ଙ୍କର କିଛି ନା କିଛି ଭୁମିକା ରହିଥାଏ ଏବଂ ଏହା ଶହ ଶହ ବର୍ଷ ଧରି ଘର ମାନଙ୍କରେ ପିଢ଼ି ପରେ ପିଢ଼ି ପାଳିତ ହୋଇ ଅସୁଛି। କେବଳ ସେତିକି ନୁହେଁ ପରିବାର ଯିଏ ଯେଉଁଠି ଥିଲେ ମଧ୍ୟ ପୁଜା ସମୟରେ (ନୁଆଁଖାଇ ଭଳି) ନିଶ୍ଚିତ ରୁପେ ଘରକୁ ଆସନ୍ତି। ଏହା ସହିତ ଘରର ବାହା ହୋଇଥିବା ଝିଅମାନେ ମଧ୍ୟ ଏହି ସମୟରେ ଶାଶୁ ଘରୁ ଆସି ପୁଜା ଓ ଉପାସନାରେ ସାମିଲ ହୋଇଥାନ୍ତି। ପରିବାରର ବୋହୁମାନେ ଏହି ଧାର୍ମିକ ଅନୁଷ୍ଠାନ ପାଇଁ ପିତ୍ରାଳୟକୁ ନ ଯାଇ ପୁଜାରେ ପୁର୍ଣ୍ଣ ମନପ୍ରାଣ ଦେଇ ସାମିଲ ହୋଇ ସହଯୋଗ କରିଥାନ୍ତି।

ଏହି ପରମ୍ପରାକୁ ବଜାୟ ରଖି ଏ ପର୍ଯ୍ୟନ୍ତ ନିଷ୍ଠା ଓ ଭକ୍ତିର ସହିତ ପାଳନ କରୁଥିବା ଏକ ପରିବାର ହେଉଛି ନନ୍ଦପଡ଼ା ବାଲୁଙ୍କେଶ୍ୱର ମନ୍ଦିର ସମ୍ମୁଖରେ ବାସ କରୁଥିବା ମିଶ୍ର ପରିବାର। କାହିଁ କେଉଁ ପୁରା କାଳରୁ ଏହି ପରିିବାରରେ ଶକ୍ତି ଉପାସନା ଓ ପୁଜାର ପ୍ରଚଳନ ରହିଛି, ତାହା କହିବା ମୁସ୍କିଲ। ପ୍ରତିବର୍ଷ ଇଷ୍ଟଦେବୀ ଭୁବନେଶ୍ୱରୀଙ୍କୁ ତାଙ୍କର ଆସ୍ଥାନରୁ ଆଣି ପୀଠରେ ସ୍ଥାପନ ପୁର୍ବକ ଦଶହରା ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ରୀତିନୀତି ପାଳନ କରି ତ୍ରିରାତ୍ର ପୁଜା ଓ ଶକ୍ତି ଉପାସନା ଏହି ପରିବାର ଅତ୍ୟନ୍ତ ଆନନ୍ଦ, ଉଲ୍ଲାସ ଓ ନିଷ୍ଠାର ସହିତ କରିଥାନ୍ତି। ପୁର୍ବେ ନବମୀ ଦିନ ରାତିରେ ମାଁ ଦୁର୍ଗାଙ୍କ ମନ୍ଦିରରେ ପଶୁବଳି ଦେଇ ଦଶମୀ ଦିନ ମାଁ ଭୁବନେଶ୍ୱରୀଙ୍କ ପାଖରେ ବଳି ମାଂସକୁ ଭୋଗ ଲାଗାଇବାର ପରମ୍ପରା ରହି ଆସିଥିଲା। କିନ୍ତୁ ଏହି ପ୍ରଥାକୁ ନୁଆଁ ପିଢିର ପରବାର ସଦସ୍ୟ ମାନେ ୩୦ ବର୍ଷ ପୁର୍ବେ ବନ୍ଦ କରି ଦେଇ ପ୍ରତିକାତ୍ମକ ବଳି ରୂପେ ନାରୀକେଳ ବଳି ଦେଇ ପୂଜା ବିଧିକୁ ରକ୍ଷା କରି ଆସୁଛନ୍ତି।

ପ୍ରତି ବର୍ଷ ଶ୍ରାବଣ ପୁର୍ଣିମା ପରେ ପରେ ପୁଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥାଏ। ଯେଉଁ କୋଠରୀରେ ମାଁ ଙ୍କ ପୀଠ ସ୍ଥାପିତ ହୁଏ, ସେଇ କୋଠରୀକୁ ଚୁନ ସଫେଇ କରି ସଫାସୁତୁରା କରାଯାଇଥାଏ। ଦଶହରା ଷଷ୍ଠୀ ଦିନ ସେଇ ଘରେ ରଙ୍ଗୀନ ଚାନ୍ଦୁଆ, ଆମ୍ବ ତୋରଣ ଆଦି ଲାଗାଯାଇ ପାରମ୍ପରିକ ସାଜସଜ୍ଜା କରାଯାଇଥାଏ। ସେହି ଦିନ ସନ୍ଧ୍ୟାରେ ପରିବାରର ପୁତ୍ର ମାନଙ୍କ ଦ୍ୱାରା ଗୋଟିଏ କାଠ ନିର୍ମିତ ଟେବୁଲ ଉପରେ ଧଳା କନା ଲାଗାଇବା ପରେ ମାଁ ଭୁବନେଶ୍ୱରୀ ଙ୍କ ଯନ୍ତ୍ର କୁ ତିଆରି କରାଯାଇଥାଏ, ଯାହାକୁ ମଣ୍ଡଳ ବୋଲି କୁହାଯାଇଥାଏ। ମଣ୍ଡଳ ନିର୍ମାଣରେ ଧଳା, କଳା, ନାଲି, ହଳଦିଆ ଓ ସବୁଜ ରଙ୍ଗର ଚାଉଳ ବ୍ୟବହାର କରାଯାଇଥାଏ। ସପ୍ତମୀ ଦିନ ସନ୍ଧ୍ୟାରେ ମୁଖ୍ୟ ପୁଜକ ମଙ୍ଗଳ ମୁହୁର୍ତ୍ତ ଦେଖି ଘଣ୍ଟ ଓ ଶଙ୍ଖ ଧ୍ୱନି ମଧ୍ୟରେ ମହାନଦୀ ରୁ କଳସରେ ଜଳ ଭର୍ତ୍ତି କରିବା ପରେ ଏହାକୁ ପୁଜା କୋଠରୀ ରେ ଆଣି ସ୍ଥାପନା କରିଥାନ୍ତି। କଳସ ସ୍ଥାପନ ସହିତ ଉପଯୁକ୍ତ ରିତିନିତିରେ ତ୍ରିରାତ୍ର ପୁଜାର ଶୁଭାରମ୍ଭ ହୋଇଥାଏ। ରିତି ଅନୁଯାୟୀ ଅଖଣ୍ଡ ଜାଗରର ପ୍ରଜ୍ୱଳନ କରାଯାଇ ବିଧିବଦ୍ଧ ଭାବରେ ସପ୍ତମୀ ରାତ୍ର ପୁଜା ଆରମ୍ଭ ହେବା ସହ ନବମୀ ପର୍ଯ୍ୟନ୍ତ ପ୍ରତ୍ୟେକ ରାତ୍ରିରେ ଷଡୋଶପଚାର ସହିତ ମାଁ ଙ୍କର ପୁଜା ଉପାସନା କରାଯାଇଥାଏ। ମାଁ ଭୁବନେଶ୍ୱରୀଙ୍କ ସହିତ ଅନ୍ୟାନ୍ୟ ଗୁହ ଦେବ ଦେବୀ ମାନେ ମଧ୍ୟ ଏହି ତିନି ଦିନ ଧରି ପୁଜା ପାଇଥାନ୍ତି। ସପ୍ତମୀରୁ ନବମୀ ପର୍ଯ୍ୟନ୍ତ ପ୍ରତିଦିନ ଦେବୀଙ୍କ ପାଖରେ ଚଣ୍ଡି ପାଠ କରାଯାଇଥାଏ। ଅଷ୍ଟମୀ ଦିନ ନନ୍ଦପଡ଼ା ସ୍ଥିତ ମାଁ ଦୁର୍ଗା ଙ୍କ ମନ୍ଦିର ରେ ରାତିରେ ଅନ୍ନ ଓ ପିଠାପଣା ମଧ୍ୟ ଭୋଗ ଲଗାଯାଇଥାଏ। ପୁର୍ବରୁ ନବମୀ ରାତ୍ରିରେ ପଶୁବଳୀର ନିୟମ ରହିଥିଲା, କିନ୍ତୁ ପଶୁବଳୀ ବନ୍ଦ ହେବା ପରେ ପ୍ରତିକାତ୍ମକ ବଳି ଭାବରେ ସେହି ରାତିରେ ନାରିକେଳ ବଳି ଏବେ ଦିଆଯାଉଛି। ଦଶହରା ଦଶମୀ ଦିନ ଲଗ୍ନ ଅନୁଯାୟୀ ମାଁ ଙ୍କର ପୁଜାର୍ଚ୍ଚନା ପୁର୍ବାହ୍ନରେ କରାଯାଇ ଭାତ ଭୋଗ ଓ ପିଠାପଣା ଭୋଗ ଲାଗି କରାଯାଇ ପରେ ବ୍ରାହ୍ମଣ ଭୋଜନ କରାଯାଇଥାଏ। ବ୍ରାହ୍ମଣ ଭୋଜନ ଚାଲିଥିବା ସମୟରେ ହିଁ ମହାନଦୀ ଜଳରେ ଘଣ୍ଟଘଣ୍ଟା, ଶଙ୍ଖ ଧ୍ୱନି ସହିତ ସପ୍ତମୀ ଦିନ ସ୍ଥାପନା କରାଯାଇଥିବା କଳସକୁ ବିର୍ସଜନ କରାଯାଇଥାଏ।

ଦଶମୀ ଦିନ ସନ୍ଧ୍ୟାରେ ମାଁଙ୍କୁ ପୀଠରୁ ଓହ୍ଲାଇ ଆଣି ଗଙ୍ଗାଜଳରେ ମହାସ୍ନାନ କରାଯାଇଥାଏ। ଏହି ଗୁପ୍ତ ପୁଜା ସମ୍ପୁର୍ଣ ରୁପେ ଆବଦ୍ଧ କୋଠରୀ ରେ କରାଯାଏ ଏବଂ ଦେବୀଙ୍କ ମହାସ୍ନାନ ପରେ ତାଙ୍କୁ ଦହି ପଖାଳ ଭୋଗ ଲାଗି ଶାନ୍ତ କରାଯାଇଥାଏ। ଏହି ପ୍ରକ୍ରିୟା ପରେ ମୁଖ୍ୟ ପୁଜକ ସମ୍ବଲପୁରର ଅଧୀଷ୍ଟାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କୁ ଦର୍ଶନ ନିମନ୍ତେ ଯାଇ ମାଁଙ୍କୁ ନାରିକେଳ ସର୍ମପିତ କରି ମାଁ ସମଲେଶ୍ୱରୀଙ୍କ ଆର୍ଶିବାଦ ଭିକ୍ଷା କରିଥାନ୍ତି। ଏହା ପରେ ଚାରି ଦିନ ଧରି ଚାଲିଥିବା ଦଶହରା ପୁଜା ଓ ଶକ୍ତି ଉପାସନା ବିଧିବଦ୍ଧ ଭାବରେ ସେହି ବର୍ଷ ପାଇଁ ସମାପ୍ତ ହୋଇଥାଏ ବୋଲି ମୁଖ୍ୟ ପୁଜକ ବାଙ୍କା ବିହାରୀ ମିଶ୍ର କହିଛନ୍ତି।

ଏହି ପରି ଏକ ପୁରାତନ ତଥା ଅନନ୍ୟ ଧାର୍ମିକ ପରମ୍ପରା ପୂର୍ବରୁ ଶତାଧିକ ଗୃହରେ ହେଉଥିବା ବେଳେ ଏହା ଏହାର ସଂଖ୍ୟା ୧୦ରୁ ତଳକୁ ଖସି ଯାଇଛି। ଏହି ପୁରାତନ ଧାର୍ମିକ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ନନ୍ଦପଡ଼ାର ମିଶ୍ର ପରିବାର ମାନେ ଏବେ ମଧ୍ୟ ଚେଷ୍ଟିତ। ପିଢି ପରେ ପିଢି ଏହି ପବିତ୍ର ପୁଜା ଓ ଉପାସନାକୁ ଅତ୍ୟନ୍ତ ନିଷ୍ଠାର ସହିତ କରି ଆସୁଛନ୍ତି। ଆଗକୁ ମଧ୍ୟ ମାଁଙ୍କ ଆର୍ଶିବାଦ ଓ ଶକ୍ତି ଥିବା ପର୍ଯ୍ୟନ୍ତ ଧାର୍ମିକ ଏହି ପରମ୍ପରାକୁ ଜାରି ରଖିବା ପାଇଁ ସବୁ ପରିବାର ମାନେ ସଂକ୍ଳପ ବଦ୍ଧ ବୋଲି ମିଶ୍ର ପରିବାର ପକ୍ଷରୁ କୁହାଯାଇଛି। ସମାଜର ଏପରି ଏକ ଅନନ୍ୟ, ବିରଳ ଓ ପବିତ୍ର ପରମ୍ପରା କୁ ବଞ୍ଚାଇ ରଖିବା ପାଇଁ ସମସ୍ତେ ଉଦ୍ୟମ କରିବାର ବେଳ ଆସି ଯାଇଛି। ମାଁ ଭୁବନେଶ୍ୱରୀଙ୍କ କୃପା ଓ ଆର୍ଶିବାଦ ରୁ ଏହି ଧର୍ମଧାର କାଳ କୁ କାଳ ବଜାୟ ରହିବ ବୋଲି ମିଶ୍ର ପରିବାରର ଆଶା ଓ ବିଶ୍ୱାସ।

Comments are closed.